Explore

Search

March 10, 2026 9:13 pm

ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ : ଭକ୍ତସାଗର ମଧ୍ୟରେ ଦର୍ଶନ କଲେ ଗଞ୍ଜାମ ଜିଲ୍ଲାପାଳ

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ପବିତ୍ର ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି । ପ୍ରଥମ ମଙ୍ଗଳବାରରୁ ମନ୍ଦିର ପରିସର ଓ ରତ୍ନଗିରି ପାହାଡ଼ ଭକ୍ତଙ୍କ ଭିଡ଼ରେ ମହୋତ୍ସବମୟ ହୋଇଉଠିଛି। ଦୂରଦୂରାନ୍ତରୁ ଆସିଥିବା ହଜାରହଜାର ଭକ୍ତ ମା’ଙ୍କ ଦର୍ଶନ ପାଇଁ ସୋମବାର ରାତିରୁ ମନ୍ଦିରରେ ଭିଡ଼ ଜମାଇଛନ୍ତି। ଏହି ଅବସରରେ ଦୁଇ ଭଉଣୀ ମା’ ତାରାତାରିଣୀ ମହାକାଳୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି।

ମଧ୍ୟରାତ୍ର ପ୍ରାୟ ୧ଟା ୩୦ ମିନିଟରେ ମନ୍ଦିର ଦ୍ୱାର ଖୋଲାଯାଇ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଜଣା, ମଙ୍ଗଳ ଆଳତି, ସିଙ୍ଗାର, ଅବକାଶ ଓ ପଞ୍ଚଶୁତ୍ର ଅଭିଷେକ ପୂଜା ହୋଇଥିଲା। ପରେ ସେବାୟତମାନେ ମା’ଙ୍କୁ ମହାକାଳୀ ବେଶରେ ସଜାଇଥିଲେ । ଏହାପରେ ଭୋର ୪ଟା ୩୦ ମିନିଟରେ ସାହାଣ ମେଲା ହୋଇ ଭକ୍ତମାନଙ୍କ ପାଇଁ ଦର୍ଶନ ଆରମ୍ଭ କରାଯାଇଥିଲା।

ତେବେ ଭୋର ୪ଟା ସମୟରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନ ପତ୍ନୀଙ୍କ ସହ ମନ୍ଦିରରେ ପହଞ୍ଚି ମା’ଙ୍କ ଦର୍ଶନ କରିଥିଲେ। ଏହାସହ ପଞ୍ଚାମୃତ ହାଣ୍ଡିକୁ ମୁଣ୍ଡରେ ବୋହି ମନ୍ଦିର ବେଢ଼ା ପରିକ୍ରମା କରି ଜିଲ୍ଲାବାସୀଙ୍କ ସୁଖ-ସମୃଦ୍ଧି ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ଭୋର ୩ଟା ୩୦ରୁ ମୁଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅନେକ ମାନସିକଧାରୀ ଭକ୍ତ ମୁଣ୍ଡନ କରି ମା’ଙ୍କ ପାଖରେ ମନୋକାମନା ପୂରଣ ପାଇଁ ପ୍ରାର୍ଥନା କରିଛନ୍ତି । ପ୍ରଥମ ମଙ୍ଗଳବାର ଥିବାରୁ ମନ୍ଦିର ପରିସରରେ ଭକ୍ତଙ୍କ ବିଶେଷ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ ଏହି ଯାତ୍ରା ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନଙ୍କ ନିର୍ଦ୍ଦେଶ ଅନୁସାରେ ଛତ୍ରପୁର ଉପଜିଲ୍ଲାପାଳ ଶୁଭାଶିଷ ବରାଳ, ଅତିରିକ୍ତ ଏସପି ପ୍ରଶାନ୍ତ ଦାଶ, ମନ୍ଦିର ନିର୍ବାହୀ ଅଧିକାରୀ ଓ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ବିଡିଓ ଶରତ କୁମାର ପାତ୍ର, ଏସଏସସି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ, ଏସଡିପିଓ ସୁଜିତ କୁମାର ନାୟକ ଓ ଆଇଆଇସି କୁଳମଣୀ ସେଠୀ ସ୍ଥଳରେ ଉପସ୍ଥିତ ରହି ସମଗ୍ର ବ୍ୟବସ୍ଥାର ତଦାରଖ କରୁଛନ୍ତି।

ସେପଟେ ଭକ୍ତମାନେ ଶାନ୍ତି ଓ ଶୃଙ୍ଖଳାର ସହିତ କିପରି ମା’ଙ୍କ ଦର୍ଶନ କରିପାରିବେ ସେନେଇ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଇଛି । ମାନସିକଧାରୀ ଭକ୍ତମାନଙ୍କ ପାଇଁ ମୁଣ୍ଡନ ବ୍ୟବସ୍ଥା ସହ ଅସ୍ଥାୟୀ ବସ ଷ୍ଟାଣ୍ଡ, ପାହାଡ଼ ଉପରକୁ ଯିବା ପାଇଁ ସ୍ବତନ୍ତ୍ର ବସ ସେବା, ରୋପୱେ ବ୍ୟବସ୍ଥା, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ମଧ୍ୟ କରାଯାଇଛି ।

ଭିଡ଼କୁ ସଂଯମରେ ରଖିବା ପାଇଁ ପୋଲିସ ପକ୍ଷରୁ ବିଶେଷ ସୁରକ୍ଷା ବ୍ୟବସ୍ଥା ଗଠନ କରାଯାଇଛି । ଏଥିପାଇଁ ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୧୫ ଜଣ ଇନ୍ସପେକ୍ଟର, ୧୧୨ ଜଣ ଏସଆଇ ଓ ଏଏସଆଇ, ୧୧ ଜଣ ହାବିଲଦାର ସହ ୨୫୦ ହୋମଗାର୍ଡ, ୧୫୪ ଓପିଏଫ କର୍ମଚାରୀ ଓ ୧୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଏଥିସହ ବହୁ ସ୍ୱେଚ୍ଛାସେବୀ ମଧ୍ୟ ଶୃଙ୍ଖଳା ରକ୍ଷାରେ ନିଯୁକ୍ତ ହୋଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score