ଭୁବନେଶ୍ୱର : ମାର୍ଚ୍ଚ ମାସ ଆରମ୍ଭ ହେବା ସହିତ ରାଜ୍ୟରେ ଗରମ ଦିନକୁ ଦିନ ବଢ଼ୁଛି । ମାସର ପ୍ରଥମ ଦିନରେ ଓଡ଼ିଶାର ଅନେକ ସହରରେ ତାପମାତ୍ରା ୩୬ ଡିଗ୍ରୀ ଉପରକୁ ପହଞ୍ଚିଛି । ୩୬.୪ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠାରୁ ଅଧିକ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି ।
ରାଜଧାନୀ ଭୁବନେଶ୍ୱର ଓ ସୋନପୁର ରେ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ବାରିପଦାରେ ୩୬ ଡିଗ୍ରୀ ରହିଛି। ଏହାସହ ରାଜ୍ୟର ଆଉ କିଛି ସ୍ଥାନରେ ମଧ୍ୟ ପାରଦ ୩୫ ଡିଗ୍ରୀ ଉପରେ ରହିଛି।
ସେହିପରି ଚାନ୍ଦବାଲିରେ ୩୫.୮ ଡିଗ୍ରୀ, ସମ୍ବଲପୁରରେ ୩୫.୬ ଡିଗ୍ରୀ, ତାଳଚେରରେ ୩୫.୮ ଡିଗ୍ରୀ, ଭବାନୀପାଟଣାରେ ୩୫.୪ ଡିଗ୍ରୀ, ବଲାଙ୍ଗିରରେ ୩୫ ଡିଗ୍ରୀ ଓ ଢେଙ୍କାନାଳରେ ୩୫.୮ ଡିଗ୍ରୀ ରେକର୍ଡ ହୋଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ବର୍ତ୍ତମାନ କୌଣସି ଜିଲ୍ଲା ପାଇଁ ବିଶେଷ ଆଲର୍ଟ ଜାରି ହୋଇନି। ଆସନ୍ତା ସପ୍ତାହରେ ତାପମାତ୍ରାରେ ବଡ଼ ପରିବର୍ତ୍ତନ ସମ୍ଭାବନା ନାହିଁ। ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୩୬ ଡିଗ୍ରୀ ଓ ସର୍ବନିମ୍ନ ୨୩ ଡିଗ୍ରୀ ପାଖାପାଖି ରହିପାରେ।
ମାର୍ଚ୍ଚରୁ ମେ ଯାଏଁ ଅଧିକ ତାତିର ଆଶଙ୍କା
ଭାରତୀୟ ପାଣିପାଗ ବିଭାଗ (IMD) ଆକଳନ କରିଛି ଯେ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଦେଶର ବହୁ ସ୍ଥାନରେ ସାଧାରଣଠାରୁ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ।
ଓଡ଼ିଶା ସହ ପଶ୍ଚିମ ରାଜସ୍ଥାନ, ଗୁଜରାଟ, ହରିୟାଣା, ମହାରାଷ୍ଟ୍ରର କିଛି ଅଞ୍ଚଳ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁର କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ବଢ଼ିପାରେ।
ଏହି ପରିସ୍ଥିତିରେ ଲୋକମାନଙ୍କୁ ଦିନ ବେଳେ ବାହାରେ କମ ସମୟ ରହିବା, ପାଣି ଅଧିକ ପିଇବା ଓ ସୂର୍ଯ୍ୟତାପରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
