Explore

Search

February 28, 2026 9:15 pm

ଖସିପଡ଼ିଲା ନୋଟ ଭର୍ତ୍ତି ବିମାନ : ୧୫ ମୃତ ୩୦ ଆହତ

ଖସିପଡ଼ିଲା ନୋଟ ଭର୍ତ୍ତି ବିମାନ । ଏହି ଘଟଣାରେ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ବୋଲିଭିଆ ରାଜଧାନୀ ଲା ପାଜ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ବିମାନ ଦୁର୍ଘଟଣା ଘଟିଛି । ବିମାନଟି ବିମାନବନ୍ଦର ପାଖରେ ଥିବା ଏକ ବ୍ୟସ୍ତ ରାଜପଥ ଉପରେ ଖସି ପଡ଼ିଥିଲା। ଖସିବା ସମୟରେ ଏହା ରାସ୍ତା ପାର୍ଶ୍ୱରେ ପାର୍କିଂ ହୋଇଥିବା ଅନେକ ଯାନକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୧୫ରୁ ଅଧିକ ଯାନ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି। ମୃତକମାନେ ବିମାନରେ ଥିଲେ କି ରାଜପଥରେ ଥିବା ଲୋକମାନେ ଥିଲେ, ସେଥି ପ୍ରସଙ୍ଗରେ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିନାହିଁ।

ସୋସିଆଲ ମିଡିଆରେ ଘଟଣାସ୍ଥଳର ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରେ ବିମାନର ଭଙ୍ଗା ଅଂଶ, ଜଳିଯାଇଥିବା ଗାଡ଼ି ଓ ରାସ୍ତାରେ ବିଛିନ୍ନ ଅବସ୍ଥାରେ ପଡ଼ିଥିବା ମୃତଦେହ ଦେଖିବାକୁ ମିଳୁଛି। ଦୁର୍ଘଟଣା ପରେ ସୁରକ୍ଷା କାରଣରୁ ବିମାନବନ୍ଦରର ସମସ୍ତ ଉଡ଼ାଣକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି।

ରିପୋର୍ଟ ଅନୁଯାୟୀ, ଏହା ଏକ ବୋଲିଭିଆନ ବାୟୁସେନାର ହର୍କୁଲସ ବିମାନ ଥିଲା। ବିମାନଟି କେନ୍ଦ୍ରୀୟ ବ୍ୟାଙ୍କରୁ ନୂଆ ମୁଦ୍ରା ନୋଟ ନେଇ ଅନ୍ୟ ଏକ ସହରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ବିମାନରେ ଥିବା ବହୁ ଟଙ୍କା ସମଗ୍ର ଅଞ୍ଚଳରେ ବିଛାଡ଼ି ହୋଇଥିଲା।

ଘଟଣା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଓ ହଇଚଇ ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ଲୋକ ରାସ୍ତାରେ ପଡ଼ିଥିବା ଟଙ୍କା ଉଠାଇବା ପାଇଁ ଦୌଡୁଥିବା ଦେଖିବାକୁ ମିଳିଥିଲା । ଟଙ୍କା ନେବାକୁ ନେଇ ଠେଲାଠେଲି ପରିସ୍ଥିତି ମଧ୍ୟ ହୋଇଥିଲା। ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିଥିଲା ।

ତେବେ ଏ ପର୍ଯ୍ୟନ୍ତ ଦୁର୍ଘଟଣାର ସଠିକ କାରଣ ଜଣାପଡ଼ିନାହିଁ। ଅଧିକାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score