Explore

Search

February 21, 2026 12:51 am

କୋରାପୁଟରେ ଷ୍ଟ୍ରବେରୀ ଚାଷର ନୂଆ ପରିଚୟ : ମହିଳା ହେଲେ ସ୍ୱାବଲମ୍ବୀ

କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳ ପୂର୍ବରୁ ଫୁଲ ଝାଡ଼ୁ ଓ ତେନ୍ତୁଳି ପାଇଁ ପରିଚିତ ଥିଲା। ଏବେ ସେହି କୋଟିଆ ଷ୍ଟ୍ରବେରୀ ଚାଷ ଦ୍ୱାରା ଆଉ ଏକ ନୂଆ ପରିଚୟ ପାଇଛି। ସମୁଦ୍ର ପତନଠାରୁ ପ୍ରାୟ ୧୬୦୦ ମିଟର ଉଚ୍ଚତାରେ ଥିବା ଏହି ପାହାଡ଼ିଆ ଅଞ୍ଚଳର ଥଣ୍ଡା ଓ ଉପଯୁକ୍ତ ଜଳବାୟୁ ଷ୍ଟ୍ରବେରୀ ଚାଷ ପାଇଁ ଖୁବ ସହାୟକ ହୋଇଛି।

କୋଟିଆର ଡୋଳିଆମ୍ବ ଠାରୁ ଗାଲିଗାବତର ପର୍ଯ୍ୟନ୍ତ ଅଞ୍ଚଳରେ ବର୍ତ୍ତମାନ ଷ୍ଟ୍ରବେରୀ ଚାଷ ହେଉଛି । ପାହାଡ଼ ଧାରରେ ଝରଣା ପାଣିର ସହାୟତାରେ ଏହି ଚାଷ କରାଯାଉଛି। ଯେଉଁ ଜମିରେ ପୂର୍ବରୁ ଅଲସୀ, ସୁଆଁ ଓ ମାଣ୍ଡିଆ ଚାଷ ହେଉଥିଲା, ସେଠାରେ ଏବେ ଜିଲ୍ଲା ପ୍ରଶାସନର ସହଯୋଗରେ ଲାଲ ଲାଲ ଷ୍ଟ୍ରବେରୀ ଫଳ ଫଳୁଛି ।

ମହିଳାଙ୍କୁ କରୁଛି ରୋଜଗାରକ୍ଷମ :

ଷ୍ଟ୍ରବେରୀ ଚାଷ ସବୁଜ ଗଛ ମଧ୍ୟରେ ଲାଲ ରଙ୍ଗର ଏହି ଷ୍ଟ୍ରବେରୀ ଫଳ ଦେଖିବାକୁ ଖୁବ ସୁନ୍ଦର ଲାଗୁଛି । ତେବେ ଏହା କେବଳ ସ୍ଥାନୀୟବାସିନ୍ଦାଙ୍କ ପାଇଁ ହୋଇନାହିଁ । ଏହାକୁ ଚାଷ କରି ଭଲ ଫଳ ଫଳିବା ପରେ ଗାଁର ମହିଳାମାନେ ଯତ୍ନର ସହ ଫଳ ତୋଳୁଛନ୍ତି । ଏହାପରେ ସେହି ଫଳକୁ ସୁନ୍ଦର ପ୍ୟାକେଟ କରି ବିକ୍ରି କରୁଛନ୍ତି । ତେବେ ସବୁଠୁ ବଡ କଥା ଏଠି ଯେତେ ଯେତେ ଫଳ ତିଆରି ହେଉଛି, ସେତେ ଶୀଘ୍ର ବିକ୍ରି ହୋଇଯାଉଛି । ବାହାର ରାଜ୍ୟକୁ ଯାଇ ବିକ୍ରି କରିବା ଆବଶ୍ୟକ ହେଉନାହିଁ।

ମିଳିଲା ପ୍ରଶାସନର ସହଯୋଗ :

ଗତବର୍ଷ ଅଳ୍ପ ପରିମାଣରେ ଏହି ଚାଷ ହୋଇଥିଲେ ମଧ୍ୟ, ଚଳିତବର୍ଷ ଅଧିକ ଅଞ୍ଚଳରେ ଏହି ଚାଷ ବଢ଼ାଯାଇଛି। ପ୍ରଶାସନର ସହଯୋଗରେ ୧୦ ରୁ ୨୦ ଜଣ ମହିଳା ଏହି କାମରେ ନିଯୁକ୍ତ ହୋଇ ନିଜେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେଉଛନ୍ତି । ତେବେ ପୂର୍ବରୁ କାମ ନଥିବାରୁ ଅନେକ ଲୋକ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଉଥିଲେ। ଏବେ ପ୍ରଶାସନର ସହଯୋଗ ମିଳିବା ପରେ ଷ୍ଟ୍ରବେରୀ ଚାଷ ମାଧ୍ୟମରେ ବାର୍ଷିକ ୩ରୁ ଉର୍ଦ୍ଧ୍ୱ ଲକ୍ଷ ଟଙ୍କା ଲାଭ କରୁଛନ୍ତି ଚାଷୀ । ଯାହା ସେମାନଙ୍କ ଆର୍ଥିକସ୍ଥିତିକୁ ମଜବୁତ କରିବାରେ ସାହାଯ୍ୟ କରୁଛି ।

ଆତ୍ମନିର୍ଭରଶୀଳ ହେଲେ ସ୍ବୟଂସହାୟିକା ଗୋଷ୍ଠୀର ମହିଳା :

ଓଡ଼ିଶା ମାଟିରେ ଏବେ ବିଦେଶୀ ଫଳ ଷ୍ଟ୍ରବେରୀର ଚାଷ ସଫଳ ହେଉଛି। ଧାଡ଼ି ଧାଡ଼ି ସବୁଜ ଗଛ ମଧ୍ୟରେ ଲାଲ ଟକଟକ ହୋଇ ଫଳିଥିବା ଏହି ଷ୍ଟ୍ରବେରୀ ଫଳ ଦେଖିବାକୁ ବହୁତ ଆକର୍ଷଣୀୟ ଲାଗୁଛି। ଫଳର ସୁଆଦ ଯେତେ ଭଲ, ତାହାର ସୁଗନ୍ଧ ମଧ୍ୟ ସେତେ ମନମୋହକ । ମନ ମୋହି ନେଉଛି ଏହି ଷ୍ଟ୍ରବେରୀ ଫଳ । ଆଧୁନିକ ପ୍ରଣାଳୀ ଓ ସୁବ୍ୟବସ୍ଥିତ ପଦ୍ଧତିରେ ଏହି ଚାଷ କରାଯାଇଛି ।

ମାତ୍ର କିଛି ମାସ ତଳେ ଲଗାଯାଇଥିବା ଗଛ ଗୁଡ଼ିକର ଫଳର ଚାହିଦା ଏବେ ବଜାରରେ କାହିଁରେ କେତେ ରହିଛି । ସରକାରଙ୍କ ସହଯୋଗରେ ଗତବର୍ଷ ପ୍ରଥମ ଥର ପାଇଁ ଏହି ଚାଷ କରି ଭଲ ଲାଭ ହୋଇଥିଲା । ତେଣୁ ଏବେ ସେମାନେ ପ୍ରାୟ ୩୩ ହେକ୍ଟର ଜମିରେ ଷ୍ଟ୍ରବେରୀ ଚାଷ କରିଛନ୍ତି । ଫଳ ଭଲ ହୋଇଥିବାରୁ ଏଥର ମଧ୍ୟ ଭଲ ଆୟ ହେବ ବୋଲି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଆଶା କରିଛନ୍ତି। ତେବେ ଏହି ଚାଷ ମାଧ୍ୟମରେ ଏବେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ସ୍ବୟଂସହାୟିକା ଗୋଷ୍ଠୀର ମହିଳା।

ଷ୍ଟ୍ରବେରୀ ଏକ ଦାମିଆ ଓ ଚାହିଦା ଥିବା ଫଳ। ଦେଖିବାକୁ ଯେତେ ସୁନ୍ଦର, ଖାଇବାକୁ ସେତେ ସ୍ବାଦିଷ୍ଟ। ବିଦେଶରେ ଭଲ ହେଉଥିବା ଏହି ଫଳ ଏବେ କୋଟିଆର ପାହାଡ଼ିଆ ମାଟିରେ ମଧ୍ୟ ସଫଳ ଭାବେ ଚାଷ ହେଉଛି । ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜମିକୁ ପାଣି ପାଇଛନ୍ତି ଉଦ୍ୟାନ ବିଭାଗର ସହାୟତାରେ ସୁନାର ଫସଲ ଫଳିଛନ୍ତି ।

ଷ୍ଟ୍ରବେରୀ ଚାଷ ଏବେ କୋଟିଆବାସୀଙ୍କୁ ନୂଆ ପରିଚୟ ଓ ନୂଆ ଆଶା ଦେଇଛି । ତେବେ କେବଳ କୋଟିଆ କାହିଁକି କୋରାପୁଟ ଜିଲ୍ଲାର ଅନେକ ବ୍ଲକ ଯଥା ଲମତାପୁଟ, ପଟାଙ୍ଗୀ, ସେମିଲିଗୁଡା, ନନ୍ଦପୁର, କୋରାପୁଟ ଓ ଦଶମନ୍ତପୁରରେ ମଧ୍ୟ ଏବେ ଏହା ଚାଷ କରି ସ୍ୱାବଲମ୍ବୀ ହେଉଛି ଗାଁର ମହିଳାମାନେ। ଦିନେ ଖାଇବାକୁ ୨ ଓଳି ଭାବିବାକୁ ପଡୁଥିବା ବେଳେ ଏବେ ଷ୍ଟ୍ରବେରୀ ଚାଷ ଦେଇଛି ସ୍ୱତନ୍ତ୍ର ପରିଚୟ ।

ଆଧୁନିକ ଓ ସଠିକ କୃଷି ପ୍ରଣାଳୀ :

ସମ୍ପୂର୍ଣ୍ଣ ଆଧୁନିକ ଓ ସଠିକ କୃଷି ପ୍ରଣାଳୀରେ ଷ୍ଟ୍ରବେରୀ ଚାଷ କରାଯାଉଛି । ଯେଉଁଥିରେ ଭଲ ଓ ଉଚ୍ଚମାନର ଫଳ ହେଉଛି। ଏହି ଚାଷରେ ମୁଖ୍ୟତଃ ପ୍ଲାଷ୍ଟିକ ମଲଚିଂ ପ୍ରଣାଳୀ, ଡ୍ରିପ୍ ସେଚନ ବ୍ୟବସ୍ଥା ଏବଂ ସଠିକ୍ ସମୟରେ ଉନ୍ନତ ବିହନ ବା ଚାରା ରୋପଣ କରାଯାଏ।

ପ୍ରଥମେ ଭଲଭାବେ ବେଡ୍ ପ୍ରସ୍ତୁତ କରାଯାଇ, ପରେ ଉଚ୍ଚମାନର କିସମ ଯଥା ୱିଣ୍ଟର ଡନ୍ (Winter Dawn) ଓ କାମାରୋସା (Camarosa) ଚାରା ଲଗାଯାଏ। ବେଡକୁ ପ୍ଲାଷ୍ଟିକ ସିଟରେ ଘୋଡାଇ ରଖିଲେ ଅବାଞ୍ଛିତ ଘାସ କମିଥାଏ ଓ ମାଟିର ଆର୍ଦ୍ରତା ରହିଥାଏ। ଏହାଦ୍ୱାରା ଜଳ ସଂରକ୍ଷଣ ହୁଏ ଏବଂ ଚାଷ ଖର୍ଚ୍ଚ ମଧ୍ୟ କମିଥାଏ।

ଜୈବିକ ଚାଷ ପ୍ରଣାଳୀ :

  • ମାଟି ପ୍ରସ୍ତୁତି : ଜୈବିକ ଚାଷ ପାଇଁ ମାଟିରେ ଅଧିକ ପରିମାଣର ଖତ ଓ କମ୍ପୋଷ୍ଟ ମିଶାଇ ଉର୍ବରତା ବୃଦ୍ଧି କରାଯାଏ। ଉତ୍ତମ ଜଳ ନିଷ୍କାସନ ସୁବିଧା ଥିବା ଦୋରସା ମାଟି ସର୍ବୋତ୍ତମ।
  • ସାର ପ୍ରୟୋଗ : ଗୋବର ଖତ, କମ୍ପୋଷ୍ଟ, ବର୍ମିକମ୍ପୋଷ୍ଟ, ଏବଂ ନିମ୍ବ ପିଡିଆ ବ୍ୟବହାର କରାଯାଏ, ଯାହା ମାଟିକୁ ପୋଷକ ତତ୍ତ୍ୱ ଯୋଗାଇଥାଏ ।
  • ମଲ୍ଚିଂ (Mulching) : ଷ୍ଟ୍ରବେରୀ ଗଛ ମୂଳରେ ପ୍ଲାଷ୍ଟିକ ସିଟ କିମ୍ବା ଶୁଖିଲା ପତ୍ର/ଘାସ (Mulching) ବ୍ୟବହାର କଲେ ଆର୍ଦ୍ରତା ରକ୍ଷା ହେବା ସହ ଫଳ ସିଧାସଳଖ ମାଟି ସଂସ୍ପର୍ଶରେ ଆସେ ନାହିଁ, ଯାହାଦ୍ୱାରା ଫଳ ପଚିବା ବନ୍ଦ ହୁଏ ।
  • ଜଳସେଚନ: ଡ୍ରିପ ଇରିଗେସନ (Drip Irrigation) ମାଧ୍ୟମରେ ନିୟମିତ ପାଣି ଦେବା ଆବଶ୍ୟକ, କାରଣ ସନ୍ତସନ୍ତିଆ କିନ୍ତୁ ଜଳ ଜମି ନରହିବା ଭଳି ପରିବେଶ ଏଥିପାଇଁ ଆବଶ୍ୟକ ।
  • କୀଟ ଓ ରୋଗ ନିୟନ୍ତ୍ରଣ : ନିମ୍ବ ତେଲ, ଦଶପର୍ଣ୍ଣି ଅର୍କ, ବା ଜୀବାମୃତ ବ୍ୟବହାର କରି କୀଟ ନିୟନ୍ତ୍ରଣ କରାଯାଇପାରେ।

ଜୈବିକ ଉପାୟରେ ଚାଷ କଲେ ଷ୍ଟ୍ରବେରୀର ସ୍ୱାଦ, ରଙ୍ଗ ଏବଂ ଗୁଣବତ୍ତା ଅଧିକ ହୁଏ, ଏବଂ ଏହାର ଚାହିଦା ବଜାରରେ ଅଧିକ ଥାଏ । ସାଧାରଣତଃ ଶୀତ ଦିନରେ ଏହି ଚାଷ ଭଲ ହୋଇଥାଏ । ତେବେ ଏହି ଚାଷ ପାଇଁ ଦୃଢ଼ ସଂସ୍ଥାଗତ ସହଯୋଗ ମିଳୁଛି ବୋଲି ଚାଷୀମାନେ କହିଛନ୍ତି । ଯଥା OAIC, OLM, ORMAS ଭଳି ସମ୍ପୃକ୍ତ କୃଷି ବିଭାଗ ଗୁଡ଼ିକରୁ ସହାୟତା ମିଳୁଛି ।

କୋରାପୁଟର ଏହି ପାହାଡ଼ିଆ ଅଞ୍ଚଳର ଥଣ୍ଡା ଓ ଉପଯୁକ୍ତ ଜଳବାୟୁ ଷ୍ଟ୍ରବେରୀ ଚାଷ ପାଇଁ ଖୁବ ସହାୟକ ହୋଇଛି। ଏଠାରେ ଋତୁକାଳୀନ ଷ୍ଟ୍ରବେରୀ ଚାଷ ପାଇଁ ଭଲ ପରିବେଶ ମିଳେ। ବିଶେଷ କରି ଆଦିବାସୀ ପହାଡ଼ ଅଞ୍ଚଳରେ ଏହି ଚାଷ ସହଜରେ କରାଯାଇପାରେ। କିନ୍ତୁ ଭଲ ପାଣି ନିସ୍କାସନ ବ୍ୟବସ୍ଥା ଏବଂ ଗ୍ରୀଷ୍ମରେ ତାପ ନିୟନ୍ତ୍ରଣ ରଖିବା ଆବଶ୍ୟକ । ଯାହାଦ୍ୱାରା ଚାଷ ଆହୁରି ଭଲ ହେବାସହ ଚାଷୀ ମଧ୍ୟ ବେଶ ଭଲ ରୋଜଗାର କରିପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score