Explore

Search

February 11, 2026 9:40 pm

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ସବୁ ଗାଁରେ ହେବ ପାଇପ ସୁବିଧା, ମିଳିବ ସ୍ୱଚ୍ଛ ପାଣି

ଭୁବନେଶ୍ୱର : ରାଜ୍ୟର ପ୍ରତ୍ୟେକ ଗ୍ରାମକୁ ସୁରକ୍ଷିତ ଓ ସ୍ୱଚ୍ଛ ପାନୀୟଜଳ ପହଞ୍ଚାଇବାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ୨୦୨୭ ମାର୍ଚ୍ଚ ମଧ୍ୟରେ ସମସ୍ତ ଗାଁରେ ପାଇପ ଯୋଗେ ପାଣି ଯୋଗାଣ ସୁବିଧା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଲୋକସେବା ଭବନରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର କାର୍ଯ୍ୟସମୀକ୍ଷା ବୈଠକରେ ଏହି ଲକ୍ଷ୍ୟ ପ୍ରାପ୍ତି ପାଇଁ ମିଶନ ମୋଡ୍‌ରେ କାମ କରିବାକୁ ସେ ଅଧିକାରୀମାନଙ୍କୁ ଦିଗନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗ୍ରାମୀଣ ଅଞ୍ଚଳରେ ଶୁଦ୍ଧ ପାନୀୟଜଳ ସୁବିଧା ଲୋକଙ୍କ ଜୀବନମାନ ସହ ସମ୍ପୃକ୍ତ ଏକ ମୌଳିକ ଆବଶ୍ୟକତା। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ ଗ୍ରାମକୁ ପାଇପ ଜଳ ସଂଯୋଗ ଦେବା ପାଇଁ ଯୋଜନା ଗୁଡ଼ିକୁ ଦ୍ରୁତ ଗତିରେ ସମ୍ପାଦନ କରିବାକୁ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି। ବିଶେଷକରି ଆଦିବାସୀ ଓ ଦୁର୍ଗମ ଅଞ୍ଚଳ ଗୁଡ଼ିକୁ ପ୍ରାଥମିକତା ଦେଇ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ରାଜ୍ୟର ୪୬,୫୩୧ଟି ଗ୍ରାମ ମଧ୍ୟରୁ ପ୍ରାୟ ୨୧,୭୨୧ଟି ଗ୍ରାମରେ ପାଇପ ଜଳ ଯୋଗାଣ ବ୍ୟବସ୍ଥା ଚାଲୁ ଅଛି। ଅନ୍ୟାନ୍ୟ ଗ୍ରାମ ଗୁଡ଼ିକରେ ସୌର ଶକ୍ତି ଆଧାରିତ ପ୍ରଣାଳୀ ଓ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ କାମ ଜୋରଦାର ଭାବେ ଚାଲିଛି। ସମସ୍ତ ଅପୂର୍ଣ୍ଣ ପ୍ରକଳ୍ପକୁ ଶୀଘ୍ର ସମାପ୍ତ କରି ସମଗ୍ର ରାଜ୍ୟରେ ପାଇପ ଜଳ ସୁବିଧା ସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଏହି ବ୍ୟାପକ ପାଇପ ଜଳ ଯୋଗାଣ ଯୋଜନା ପାଇଁ ପ୍ରାୟ ୫୪ ହଜାର କୋଟି ଟଙ୍କା ବ୍ୟୟ ଅନୁମାନ କରାଯାଇଛି। ସେଥିରୁ ଜଳ ଜୀବନ ମିଶନ ଅନ୍ତର୍ଗତ ୩୨,୧୨୮ କୋଟି ଟଙ୍କା ଅନୁଦାନ ରହିଥିବା ବେଳେ ଅବଶିଷ୍ଟ ୨୧,୧୦୯ କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ୱ ତହବିଲରୁ ବ୍ୟୟ କରିବେ।

ସରକାରଙ୍କ ଏହି ପଦକ୍ଷେପ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସୁରକ୍ଷା ଓ ଜୀବନମାନ ଉନ୍ନତିରେ ମୂଳ ଭୂମିକା ନିଭାଇବ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score