ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଏବେ ଦୁଇ ସପ୍ତାହରୁ କମ୍ ସମୟ ବାକି ରହିଛି। ଆସନ୍ତା ଫେବୃଆରୀ ୧୯ ତାରିଖରୁ ମାଟ୍ରିକ ସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଆରମ୍ଭ ହେବ। ଚଳିତବର୍ଷ ପରୀକ୍ଷାକୁ ସ୍ୱଚ୍ଛ ଓ ସୁଚାରୁ ଭାବେ ଆୟୋଜନ କରିବା ପାଇଁ ବୋର୍ଡ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।
ଏଥର ସର୍ବମୋଟ ୩ ହଜାର ୮୨ଟି ପରୀକ୍ଷା କେନ୍ଦ୍ରରେ ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା କରାଯିବ। ପ୍ରଶ୍ନପତ୍ର ଚୋରି ରୋକିବା ପାଇଁ ପ୍ରତ୍ୟେକ ପ୍ରଶ୍ନପତ୍ରରେ କ୍ୟୁଆର କୋଡ ଓ ୱାଟରମାର୍କ ବ୍ୟବସ୍ଥା ରହିଛି । ପରୀକ୍ଷା ପାଇଁ ପ୍ରସ୍ତୁତ ପ୍ରଶ୍ନପତ୍ର ଗୁଡ଼ିକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମସ୍ତ ଷ୍ଟ୍ରଙ୍ଗ ରୁମକୁ ପହଞ୍ଚାଇ ଦିଆଯାଇଛି ।
ପରୀକ୍ଷାର ସ୍ୱଚ୍ଛତା ଓ ଗୁଣମାନ ରକ୍ଷା ପାଇଁ ନିର୍ଭୁଲ ପ୍ରଶ୍ନପତ୍ର ପ୍ରସ୍ତୁତି, ଆଉଟ ଅଫ ସିଲାବସ ପ୍ରଶ୍ନ ନଥିବା ସହ ନୋଡାଲ ସେଣ୍ଟର ଗୁଡ଼ିକୁ ସମୟରେ ପ୍ରଶ୍ନପତ୍ର ପହଞ୍ଚିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଚଳିତବର୍ଷ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏହି ତିନୋଟି ପରୀକ୍ଷା ପାଇଁ ମୋଟ ୫ ଲକ୍ଷ ୬୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି।
ପ୍ରଶ୍ନପତ୍ର ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସାରା ରାଜ୍ୟରେ ୩୨୨ଟି ନୋଡାଲ ସେଣ୍ଟର ସ୍ଥାପନ କରାଯାଇଛି। ପରୀକ୍ଷା ପ୍ରସ୍ତୁତିକୁ ଆଖି ଆଗରେ ରଖି ଦୂରସ୍ଥ ୬ଟି ଜିଲ୍ଲା ପାଇଁ ଆସନ୍ତା ୧୦ ତାରିଖରୁ ପ୍ରଶ୍ନପତ୍ର ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ପରୀକ୍ଷା ବୋର୍ଡ ପକ୍ଷରୁ ସୂଚନା ମିଳିଛି ।
ପରୀକ୍ଷା ସମ୍ପର୍କିତ ଏହି ସମସ୍ତ ପ୍ରକ୍ରିୟା ଆସନ୍ତା ୧୫ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ । ୧୬ ତାରିଖ ସୁଦ୍ଧା ସମସ୍ତ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ପହଞ୍ଚାଇ ଦିଆଯିବ ବୋଲି ସୂଚନା ମିଳିଛି। ନୋଡାଲ ସେଣ୍ଟରଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ନେଇ ସ୍ଥାନୀୟ ଜିଲ୍ଲାପ୍ରଶାସନ ସହ ପୂର୍ବରୁ ଆଲୋଚନା ସମ୍ପନ୍ନ ହୋଇଛି।
ଏନେଇ ବୋର୍ଡ ସଭାପତି କହିଛନ୍ତି ଯେ, ପ୍ରଶ୍ନପତ୍ର ସୁରକ୍ଷା ଦୃଷ୍ଟିରୁ ଆର୍ମ୍ଡ ପୁଲିସ ସହିତ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟମାନଙ୍କ ଦ୍ୱାରା କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
