Explore

Search

February 28, 2026 1:30 pm

ଭାରତ ସହ ଖେଳିବନି ପାକିସ୍ତାନ

ଭାରତ ସହ ଖେଳିବନି ପାକିସ୍ତାନ। ଆଗାମୀ ଆଇସିସି ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ରେ ଭାରତ ସହ ପାକିସ୍ତାନ ମୁକାବିଲା ହେବ ନାହିଁ । ଭାରତ ବିପକ୍ଷ ମ୍ୟାଚକୁ ପାକିସ୍ତାନ ବର୍ଜନ କରିଥିବା ସ୍ପଷ୍ଟ ହୋଇଛି । ଏନେଇ ବୁଧବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସ୍ପଷ୍ଟ ମତ ରଖିଛନ୍ତି । ସେ କହିଛନ୍ତି ଯେ, ଏହି ବିଷୟରେ ସରକାରର ଅବସ୍ଥାନ ସ୍ପଷ୍ଟ ଓ ଭାରତ ବିପକ୍ଷରେ ମ୍ୟାଚ ଖେଳିବା ପ୍ରଶ୍ନ ଉଠୁନାହିଁ।

ଉଲ୍ଲେଖଯୋଗ୍ୟ ଯେ, ଫେବୃଆରୀ ୧୫ ତାରିଖରେ କଲୋମ୍ବୋରେ ଗ୍ରୁପ-ଏ’ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମୁକାବିଲା ଖେଳାଯିବାର ସୂଚୀ ଥିଲା। କିନ୍ତୁ ଏହି ମ୍ୟାଚକୁ ନେଇ ପାକିସ୍ତାନ ପକ୍ଷରୁ ଆପତ୍ତି ଜଣାଯାଇଛି । କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସ୍ପଷ୍ଟ କରି କହିଛନ୍ତି ଯେ, ପାକିସ୍ତାନ ଦଳ ଭାରତ ବିପକ୍ଷରେ କୌଣସି ମ୍ୟାଚରେ ଅଂଶଗ୍ରହଣ କରିବ ନାହିଁ ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ଯେ, ଆଇସିସି ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପକୁ ନେଇ ପାକିସ୍ତାନ ସରକାର ଭଲଭାବେ ଭାବିଚିନ୍ତି ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁସାରେ ପାକିସ୍ତାନ ଭାରତ ବିପକ୍ଷରେ କୌଣସି ମ୍ୟାଚ ଖେଳିବ ନାହିଁ। ଶେହବାଜ କହିଛନ୍ତି, ଖେଳ ପଡ଼ିଆରେ ରାଜନୀତି ହେବା ଉଚିତ ନୁହେଁ ଏବଂ ବାଂଲାଦେଶ ସହ ନିଆଯାଇଥିବା ଅବସ୍ଥାନକୁ ସେ ଠିକ୍ ବୋଲି ମନେ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଫେବୃଆରୀ ୧ ତାରିଖରେ ପାକିସ୍ତାନ ସରକାର ଘୋଷଣା କରିଥିଲେ ଯେ, ସିନିୟର ପୁରୁଷ କ୍ରିକେଟ ଦଳ ବିଶ୍ୱକପରେ ଭାଗ ନେବ । ହେଲେ ଫେବୃଆରୀ ୧୫ ତାରିଖରେ କଲୋମ୍ବୋରେ ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ପାକିସ୍ତାନ ଅସ୍ୱୀକାର କରିଛି । ଏହା ପଛରେ ସୁରକ୍ଷା କାରଣ ଉଲ୍ଲେଖ କରାଯାଇଛି । ପୂର୍ବରୁ ବାଂଲାଦେଶ ମଧ୍ୟ ସୁରକ୍ଷା ଆଶଙ୍କା ଦର୍ଶାଇ ଭାରତରେ ବିଶ୍ୱକପ ଖେଳିବାକୁ ଅସ୍ୱୀକାର କରିଥିଲା ।

ସୂତ୍ର ଅନୁସାରେ, ବାଂଲାଦେଶକୁ ବିଶ୍ୱକପରୁ ବିଦା କରାଯିବା ପରେ ପାକିସ୍ତାନ ଏଭଳି ଅବସ୍ଥାନ ନେଇଛି । ତେବେ ଭାରତ ବିପକ୍ଷ ମ୍ୟାଚ ବର୍ଜନ ବିଷୟରେ ପାକିସ୍ତାନ ପକ୍ଷରୁ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଆଇସିସିକୁ ଅବଗତ କରାଯାଇନାହିଁ । ସୂତ୍ରମାନେ କହୁଛନ୍ତି ଯେ, ପାକିସ୍ତାନ କ୍ରିକେଟ ବୋର୍ଡ ନେଇଥିବା ଏହି ନିଷ୍ପତ୍ତି ସମ୍ପର୍କରେ ଆଇସିସିକୁ ବିଧିବଦ୍ଧ ଇ-ମେଲ ପଠାଇବାକୁ ଏପର୍ଯ୍ୟନ୍ତ ମନା କରୁଛି ।

ଯଦି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବିଧିବଦ୍ଧ ଭାବେ ଆଇସିସିକୁ ନିଜ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇନାହିଁ, ତେବେ ଭାରତ–ପାକିସ୍ତାନ ମ୍ୟାଚର ସୂଚୀ ପୂର୍ବବତ ରହିପାରେ ଏବଂ ସମଗ୍ର ପ୍ରସଙ୍ଗକୁ ନେଇ ଅନିଶ୍ଚିତତା ଜାରି ରହିବ। ଏହି ମାମଲାରେ ଆଇସିସି ପାକିସ୍ତାନ ପକ୍ଷରୁ ଆସିବାକୁ ଥିବା ବିଧିବଦ୍ଧ ଚିଠିକୁ ଅପେକ୍ଷା କରିଛି। ଚିଠି ମିଳିଲା ପରେ ଆଇସିସି ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ସୂଚନା ମିଳିଛି।

ଏପଟେ, ଭାରତୀୟ କ୍ରିକେଟ ଦଳ ଫେବୃଆରୀ ୧୫ ତାରିଖର ମ୍ୟାଚ ପାଇଁ କଲୋମ୍ବୋ ଯିବ। ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ମ୍ୟାଚ ପୂର୍ବ ସନ୍ଧ୍ୟାରେ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ ଏବଂ ପରଦିନ ଟସ ପାଇଁ ପଡ଼ିଆକୁ ପହଞ୍ଚିବେ। ଯଦି ପାକିସ୍ତାନ ଦଳର ଅଧିନାୟକ ସଲମାନ ଅଲୀ ଆଗା ଟସ ପାଇଁ ଉପସ୍ଥିତ ନ ହୁଅନ୍ତି, ତେବେ ମ୍ୟାଚ ରେଫରୀ ଭାରତକୁ ୱାକଓଭର ଦେଇପାରନ୍ତି। ଏହି ପରିସ୍ଥିତିରେ ଭାରତକୁ ୨ ଅଙ୍କ ମିଳିବ।

ତେବେ ଯଦି ଭାରତ ଓ ପାକିସ୍ତାନ ଉଭୟ ଦଳ କଲୋମ୍ବୋକୁ ନ ଆସନ୍ତି, ସେଥିରେ ଆଇସିସି ନିୟମ ଅନୁସାରେ ଦୁଇ ଦଳକୁ ଏକ ଏକ ପଏଣ୍ଟ ଦିଆଯିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score