Explore

Search

March 13, 2026 7:33 am

ବ୍ରହ୍ମପୁରରେ ଆରମ୍ଭ ହେଲା ହେଲିଟ୍ୟାକ୍ସି ସେବା : ଅଢେଇ ହଜାର ଦେଲେ ଉଡିବେ ତାରାତାରିଣୀ-ଚିଲିକା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟକଙ୍କ ପାଇଁ ବ୍ରହ୍ମପୁରରେ ଆରମ୍ଭ ହୋଇଛି ନୂଆ ହେଲିଟ୍ୟାକ୍ସି ସେବା । ଏଣିକି ଆକାଶ ମାର୍ଗରୁ ପର୍ଯ୍ୟଟକ ଦର୍ଶନ କରିବେ ମା’ ତାରାତାରିଣୀଙ୍କ ପୀଠ ସହ ନୀଳ ସମୁଦ୍ର । ‘ଏନଜୟ ରାଇଡ’ ନାମରେ ପରିଚିତ ଏହି ହେଲିଟ୍ୟାକ୍ସି ସେବା ରଙ୍ଗେଇଲୁଣ୍ଡା ବିମାନଘାଟିରୁ ଉଡାଣ ଭରି ଧବଳେଶ୍ୱର ହୋଇ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚୁଛି । ଏହି ସେବା ମାଧ୍ୟମରେ ପର୍ଯ୍ୟଟକମାନେ ଆକାଶପଥରୁ ଗଞ୍ଜାମର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ।

ମାତ୍ର ୨୫୦୦ ଟଙ୍କା ଦେଇ ପର୍ଯ୍ୟଟକମାନେ ଏହି ହେଲିଟ୍ୟାକ୍ସି ଯାତ୍ରାର ସୁବିଧା ନେଇପାରିବେ। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହଯୋଗରେ ପବନ ହଂସ ପକ୍ଷରୁ ଏହି ହେଲିଟ୍ୟାକ୍ସି ସେବା ଆରମ୍ଭ କରାଯାଇଛି । ଏହା ଦ୍ୱାରା ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି ।

ଏହି ସେବା ମାଧ୍ୟମରେ ପର୍ଯ୍ୟଟକମାନେ ମା’ ତାରାତାରିଣୀ, ଚିଲିକା, ସାତପଡ଼ା, ମା’ନାରାୟଣୀ ପୀଠ ଏବଂ ଗୋପାଳପୁର ବେଳାଭୂମି ଭଳି ସ୍ଥାନ ଗୁଡ଼ିକୁ ଆକାଶମାର୍ଗରୁ ପରିକ୍ରମା କରିପାରିବେ । ଏହି ଯୋଜନାର ସଫଳତା ପାଇଁ ଗତ ଶୁକ୍ରବାର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ଏକ ଟ୍ରାଏଲ ରନ କରାଯାଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ ଓ ଛତ୍ରପୁର ବିଧାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ସାମିଲ ହୋଇ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ଅନୁଧ୍ୟାନ କରିଥିଲେ। ଆଗାମୀ ଦିନରେ ପୁରୀ ଏବଂ ସମ୍ବଲପୁରରେ ମଧ୍ୟ ସମାନ ସେବା ଆରମ୍ଭ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ଶୀଘ୍ର ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଏଣିକି ପର୍ଯ୍ୟଟକମାନେ କେବଳ ସ୍ଥଳପଥ ନୁହେଁ, ବରଂ ଆକାଶମାର୍ଗରୁ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀମାନଙ୍କର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ।

ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତିଭୂଷଣ ଜେନାଙ୍କ ସୂଚନା ଅନୁଯାୟୀ, ମା’ ତାରାତାରିଣୀ ପୀଠକୁ କେନ୍ଦ୍ର କରି ‘ହେଲିଟ୍ୟାକ୍ସି’ ସେବା ଆରମ୍ଭ କରାଯାଇଛି । ଏହି ସେବା ପାଇଁ ମାତ୍ର ୨୫୦୦ ଟଙ୍କା ଭଡ଼ା ନିର୍ଦ୍ଧାରଣ କରାଯାଇଛି । ଯାହାଦ୍ୱାରା ସାଧାରଣ ପର୍ଯ୍ୟଟକମାନେ ମଧ୍ୟ ହେଲିକପ୍ଟର ଯାତ୍ରାର ଅନୁଭବ ନେଇପାରିବେ ।

ଏହି ହେଲିଟ୍ୟାକ୍ସି ସେବା ଆରମ୍ଭ ହେଲେ ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ଉନ୍ନତିରେ ନୂଆ ଦିଗ ମିଳିବା ସହ ପର୍ଯ୍ୟଟକଙ୍କ ଆକର୍ଷଣ ଅଧିକ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score