Explore

Search

February 11, 2026 1:44 pm

ଗଞ୍ଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟି : ୩୨ କୋଟି ଟଙ୍କା ବିନିଯୋଗରେ ସୌନ୍ଦର୍ଯ୍ୟକରଣ ହେବ ଗୋପାଳପୁର ବେଳାଭୂମି

ବ୍ରହ୍ମପୁର : ସରିଲା ଗୋପାଳପୁର ବେଳାଭୂମି ମହୋତ୍ସବ । ଲୋକକଳା ଓ ସଂସ୍କୃତିରେ ଝୁମିଥିଲା ବେଳାଭୂମି ଝୁମିଥିଲେ ଦର୍ଶକ । ବଲିଉଡ ଠୁ ନେଇ ଓଲିଉଡ଼ କଳାକାରଙ୍କ ଗୀତରେ ନାଚିଥିଲା ମନ। ତେବେ ଗତକାଲି ମହୋତ୍ସବର ଶେଷ ସନ୍ଧ୍ୟାରେ ବଲିଉଡ ସିଙ୍ଗରଙ୍କ ଗୀତରେ ଶୀତୁଆ ରାତି ବି ଲୋକଙ୍କୁ ରୋମାଞ୍ଚକ ଲାଗିଥିଲା। ଆଉ ଏହି ଗୋପାଳପୁର ବେଳାଭୂମି ଉଦଯାପନୀ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଗଞ୍ଜାମବାସୀଙ୍କୁ ଯେଉଁ ଭେଟି ଦେଇଛନ୍ତି ତାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯିବ ଗଞ୍ଜାମବାସୀଙ୍କ ପାଇଁ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି ଭେଟିକୁ ନେଇ ସମଗ୍ର ଗଞ୍ଜାମ ଖୁସିବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣେଇଛନ୍ତି ।ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ପ୍ରଥମେ ସମୁଦ୍ର ଆଳତୀ କରିଥିଲେ ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଜିଲ୍ଲାର ସମଗ୍ର ବିକାଶକୁ ଦୃଷ୍ଟିରେ ରଖି ୪୯୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରେ ୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୫ଟି ପ୍ରକଳ୍ପର ଉଦଘାଟନ କରାଯାଇଥିବା ବେଳେ, ୪୪୨ କୋଟି ଟଙ୍କା ମୂଲ୍ୟର ୬୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।

ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢ଼ିକରଣ, ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ସୁବିଧା ବିକାଶ, ସଡକ ଓ ଯାତାୟାତ ବ୍ୟବସ୍ଥାର ଉନ୍ନତି ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନା ରହିଛି । ଏହା ସହିତ ୩୨ କୋଟି ଟଙ୍କା ବିନିଯୋଗରେ ଗୋପାଳପୁର ବେଳାଭୂମିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ମଧ୍ୟ ଏହି ପ୍ରକଳ୍ପର ଅଂଶ କରାଯାଇଛି।

ଗୋପାଳପୁର ବେଳାଭୂମି ମହୋତ୍ସବ–୨୦୨୬ର ଉଦଯାପନୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଥିଲେ ଗୋପାଳପୁର ମହୋତ୍ସବ ହେଉଛି ଓଡ଼ିଶାର ଇତିହାସ, ପରମ୍ପରା, ସଂସ୍କୃତି ଓ ପ୍ରକୃତିର ଅଦ୍ଭୁତ ସମନ୍ୱୟର ପ୍ରତୀକ । ଏହି ମହୋତ୍ସବ ମାଧ୍ୟମରେ ଓଡ଼ିଶାର ଅନନ୍ୟ ସାଂସ୍କୃତିକ ପରିଚୟ, ଗଞ୍ଜାମ ଜିଲ୍ଲାର ଗରିମା ଓ ସମୃଦ୍ଧ ଐତିହ୍ୟକୁ ଜନସାଧାରଣଙ୍କ ମଧ୍ୟରେ ପ୍ରସ୍ତୁତ କରାଯାଉଛି । ଆମ ସଂସ୍କୃତିର ଜୀବନ୍ତ ପରମ୍ପରାକୁ ଉତ୍ସବର ଆକାର ଦେଇ ଆଗାମୀ ପୀଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ ।

ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ଇତିହାସରେ ଗଞ୍ଜାମ ଜିଲ୍ଲା ଏକ ଅଗ୍ରଣୀ ସ୍ଥାନ ଅଧିକାର କରିଆସିଛି । ଜିଲ୍ଲାର ପ୍ରତ୍ୟେକ କୋଣାଞ୍ଚଳ କଳା, ସଂସ୍କୃତି, ନୃତ୍ୟ ଓ ସଙ୍ଗୀତର ସମୃଦ୍ଧ ପରମ୍ପରାରେ ଭରିଥିବା ସ୍ପଷ୍ଟ ଦୃଶ୍ୟମାନ ହୁଏ । ଏଠାରେ ଆୟୋଜିତ ବେଳାଭୂମି ମହୋତ୍ସବ କଳା, ସଂସ୍କୃତି ଓ ପର୍ଯ୍ୟଟନର ସଫଳ ସମନ୍ୱୟର ଏକ ଉତ୍ତମ ଉଦାହରଣ ହୋଇଉଠିଛି।

ଏହି ମହୋତ୍ସବ ସ୍ଥାନୀୟ ଲୋକଙ୍କ ପାଇଁ ଜୀବିକାର ନୂତନ ସୁଯୋଗ ସୃଷ୍ଟି କରିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଯୁବବର୍ଗଙ୍କ ପାଇଁ ଆର୍ଥିକ ସଶକ୍ତିକରଣର ଏକ ବଡ଼ ମଞ୍ଚ ଭାବେ ଉଭା ହୋଇଛି । ଏହା ମାଧ୍ୟମରେ କଳାକାର ଓ କାରିଗରମାନେ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ମର୍ଯ୍ୟାଦାପୂର୍ଣ୍ଣ ସୁଯୋଗ ପାଇ ଆସୁଛନ୍ତି ।

ଏହାସହ ଗଞ୍ଜାମ ଜିଲ୍ଲାବାସୀ ବେଳାଭୂମି ମହୋତ୍ସବ ସଫେଇ ପଦଯାତ୍ରା ମାଧ୍ୟମରେ ଜିଲ୍ଲାର ପ୍ରମୁଖ ବେଳାଭୂମି ଗୁଡ଼ିକୁ ସଫା ସୁତୁରା କରି ‘ସ୍ୱଚ୍ଛ ବେଳାଭୂମି, ସୁନ୍ଦର ଓଡ଼ିଶା’ ବାର୍ତ୍ତାକୁ ରାଜ୍ୟବ୍ୟାପୀ ପ୍ରଚାର କରିଛନ୍ତି । ଏହି ସଚେତନତାମୂଳକ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score