ଭୁବନେଶ୍ୱର : ଏଣିକି ଆପଣଙ୍କ ପିଲାଙ୍କ ପାଠ ପଢା ଉପରେ ନଜର ରଖିବ ଏଆଇ । ଆପଣଙ୍କ ପିଲା କ’ଣ ପଢୁଛି ସେ ସମସ୍ତ ଗତିବିଧି ଉପରେ ନଜର ରଖିବ ଏଆଇ। ଆଉ ପିଲା ପାଠପଢ଼ାରେ ଠକି ପାରିବେନି କି ତାଙ୍କୁ ପଢ଼ାରେ କୌଣସି ଅସୁବିଧା ହେବ ନାହିଁ । ଖାଲି ସେତିକି ନୁହେଁ ଏଣିକି ସ୍କୁଲରେ କେଉଁ ଶିକ୍ଷକ କେତେ ସମୟ ପାଠ ପଢ଼ାଉଛନ୍ତି, କିଏ ନିୟମିତ ଅନୁପସ୍ଥିତ ରହୁଛନ୍ତି ଏବଂ ପାଠପଢ଼ାର ଗୁଣମାନ କେମିତି ରହୁଛି ସେ ସବୁ ଉପରେ ତୀକ୍ଷ୍ଣ ନଜର ରଖିବ କୃତ୍ରିମ ବୃଦ୍ଧିମତା ବା ଏଆଇ। ଖୁବଶୀଘ୍ର ଏହି ନୂଆ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଯାଉଛି ଗଣଶିକ୍ଷା ବିଭାଗ।
ସ୍କୁଲରେ ପାଠପଢ଼ା କିଭଳି ହେଉଛି, ଶ୍ରେଣୀଗୃହରେ ଶିକ୍ଷକ କ’ଣ ପଢ଼ାଉଛନ୍ତି, ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଉପସ୍ଥିତ ରହୁଛନ୍ତି କି ନାହିଁ ଏସବୁ ତଥ୍ୟକୁ ଏଆଇ ପ୍ରଯୁକ୍ତି ମାଧ୍ୟମରେ ସଜୀବ ଭାବେ ମନିଟରିଂ କରାଯିବ। ମୟୂରଭଞ୍ଜରୁ ମାଲକାନଗିରି ଓ ବାଲେଶ୍ୱରରୁ ବଲାଙ୍ଗୀର ପର୍ଯ୍ୟନ୍ତ ସମସ୍ତ ସ୍କୁଲର ଗତିବିଧି ଉପରେ ହେଡକ୍ୱାଟର୍ସସ୍ତରରୁ ନଜର ରଖାଯିବ ।
ଶିକ୍ଷା ବ୍ୟବସ୍ଥାରେ ଆହୁରି ସଂସ୍କାର ଆଣିବା ଲକ୍ଷ୍ୟରେ ୫ ହଜାରରୁ ଅଧିକ ସ୍କୁଲରେ ଏଆଇ ଆଧାରିତ ଭର୍ଚୁଆଲ୍ କ୍ଲାସରୁମ୍ ଏବଂ ଡିଜିଟାଲ୍ ମୂଲ୍ୟାୟନ ବ୍ୟବସ୍ଥା ଆରମ୍ଭ କରାଯିବ। ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ପକ୍ଷରୁ ୫,୩୭୦ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଏହି ବ୍ୟବସ୍ଥା କାର୍ଯ୍ୟାନ୍ବୟନ ହେବ।
ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏଥିରେ ପ୍ରାଧାନ୍ୟ ଦିଆଯିବ। ଡିଜିଟାଲ ବିଷୟବସ୍ତୁ ଓ ଏଆଇ ପ୍ରଯୁକ୍ତି ସହାୟତାରେ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ କରିବା ଏହି ପ୍ରକଳ୍ପର ମୂଖ୍ୟ ଉଦ୍ଦେଶ୍ୟ।
ବେଳେବେଳେ ସ୍କୁଲ ଗୁଡ଼ିକରେ ଦେଖାଯାଉଥିବା ଅସଙ୍ଗତି ଅର୍ଥାତ କେଉଁଠି ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ି ଦେଉଛନ୍ତି, ଆଉ କେଉଁଠି ସ୍କୁଲକୁ ଯିବାରେ ଅନିୟମିତତା ଏସବୁକୁ ଚିହ୍ନଟ କରି ସୁଧାର ଆଣିବାରେ ଏଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ।
ସ୍କୁଲ ଗୁଡ଼ିକରେ ଶୈକ୍ଷିକ ପରିବେଶକୁ ପୁନଃଜୀବନ ଦେବା ଲକ୍ଷ୍ୟରେ ଏହି ଡିଜିଟାଲାଇଜ ବ୍ୟବସ୍ଥା ଆଣାଯାଉଛି। ତେବେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଇଣ୍ଟରନେଟ୍ ସଂଯୋଗ ଅଭାବ ଥିବାରୁ ସ୍ମାର୍ଟ କ୍ଲାସରୁମ ବ୍ୟବସ୍ଥା ଏଯାବତ୍ ବାସ୍ତବ ରୂପ ନେଇପାରୁନଥିବା ଚିତ୍ର ସାମ୍ନାକୁ ଆସୁଛି।
ଏହି ପରିସ୍ଥିତିରେ ଗଣଶିକ୍ଷା ବିଭାଗ ପକ୍ଷରୁ ଯେଉଁ ନୂଆ ଡିଜିଟାଲ୍ ବ୍ୟବସ୍ଥା ଆରମ୍ଭ କରାଯାଉଛି, ତାହା କେତେଦୂର ଗ୍ରାଉଣ୍ଡ ସ୍ତରରେ ସଫଳଭାବେ କାର୍ଯ୍ୟକାରୀ ହେବ ସେଥିପାଇଁ ଏବେ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି । ଇଣ୍ଟରନେଟ, ବିଦ୍ୟୁତ୍ ସଂଯୋଗ ଓ ପ୍ରଯୁକ୍ତିଗତ ଢାଞ୍ଚାର ଅଭାବ ଥିବା ସ୍କୁଲ ଗୁଡ଼ିକରେ ଏହି ପ୍ରଣାଳୀ କେମିତି ରୂପାୟଣ ହେବ, ତାହାକୁ ନେଇ ସନ୍ଦେହ ରହିଛି ।
ହେଲେ ସରକାରୀ ସୂତ୍ରରୁ କୁହାଯାଉଛି ଯେ, ପର୍ଯ୍ୟାୟକ୍ରମେ ଇଣ୍ଟରନେଟ ସୁବିଧା ବୃଦ୍ଧି, ଆବଶ୍ୟକ ପ୍ରଯୁକ୍ତି ଉପକରଣ ଯୋଗାଣ ଓ ଶିକ୍ଷକମାନଙ୍କ ପ୍ରଶିକ୍ଷଣ ମାଧ୍ୟମରେ ଏହି ଡିଜିଟାଲ୍ ପଦକ୍ଷେପକୁ ଭୂମିସ୍ତରରେ ସଫଳ କରାଯିବାର ପ୍ରୟାସ ଚାଲିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
