ବ୍ରହ୍ମପୁର : ଆଉ ମାତ୍ର ୫ ଦିନ । ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ଗୋପାଳପୁର ବେଳାଭୂମି ମହୋତ୍ସବ ପ୍ରସ୍ତୁତି। ଚଳିତ ମାସ ୨୭ ତାରିଖରୁ କମ୍ପିବ ଗୋପାଳପୁର ବେଳାଭୂମି ମହୋତ୍ସବ । ଏନେଇ ସବୁ କିଛି ସରିଲାଣି ପ୍ରସ୍ତୁତି। ଆଉ ଏବେ ବେଳାଭୂମି ନିକଟରେ ଥିବା ସମସ୍ତ ଉଠାଦୋକାନୀଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ମଞ୍ଚ ନିର୍ମାଣ କାର୍ଯ୍ୟ ଜୋରଦାର ଭାବେ ଆରମ୍ଭ ହୋଇଥିବା ବେଳେ ପଲ୍ଲୀଶ୍ରୀ ମେଳା ପାଇଁ ଷ୍ଟଲ ତିଆରି କାମ ମଧ୍ୟ ଆରମ୍ଭ ହୋଇଛି। ମହୋତ୍ସବକୁ ସୁଚାରୁ ଭାବେ ଆୟୋଜନ କରିବା ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି।
ସନ୍ଧ୍ୟା ସମୟରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କିର୍ତ୍ତୀ ଭାସନ ବେଳାଭୂମିରେ ପହଞ୍ଚି ମହୋତ୍ସବ ମଞ୍ଚସ୍ଥଳ ପରିଦର୍ଶନ କରିଥିଲେ। ଏହାସହ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଟ୍ରାଫିକ ନିୟନ୍ତ୍ରଣ, ପାର୍କିଙ୍ଗ ବ୍ୟବସ୍ଥା, ସୁରକ୍ଷା ଓ ଅନ୍ୟାନ୍ୟ ପ୍ରଶାସନିକ ପ୍ରସଙ୍ଗ ସମ୍ପର୍କରେ ଖୋଜଖବର ନେଇଥିଲେ।
ଏହି ଅବସରରେ ବ୍ରହ୍ମପୁର ଏସପି ଡ. ଶରବଣା ବିବେକ ଏମ୍, କମିଶନର ଶ୍ରୀଯୁକ୍ତ ଅରବିନ୍ଦ ରାଜସିର୍କେ, ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅବିନାଶ କୁମାରଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ଗୋପାଳପୁରରେ ଚଳିତ ମାସ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜିତ ହେବ। ମହୋତ୍ସବକୁ ନେଇ ଏବେଠୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଲାଣି ।
ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ହେଉଛି ପଲ୍ଲୀଶ୍ରୀ ମେଳା। ଏଠାରେ ଘରୋଇ ସାମଗ୍ରୀ, ହସ୍ତଶିଳ୍ପ ଓ ବିଭିନ୍ନ ସାଜସଜା ସାମଗ୍ରୀ ବିକ୍ରି ହୋଇଥାଏ। ଯାହାକୁ ଦେଖିବା ଓ କିଣିବା ପାଇଁ ପ୍ରତିଦିନ ବହୁ ଲୋକଙ୍କ ଭିଡ଼ ଲାଗିଥାଏ । ଖାଲି ସେତିକି ନୁହେଁ କଳାକାରଙ୍କ ଦ୍ୱାରା ପରିବେଷିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଶୀତୁଆ ସନ୍ଧ୍ୟାକୁ ଆହୁରି ରୋମାଞ୍ଚକ କରିବ ବୋଲି ଆଶା ବାନ୍ଧିଛନ୍ତି ସ୍ଥାନୀୟ ବାସିନ୍ଦାଙ୍କ ସହ ଅନେକ ଦର୍ଶକ ଓ ପର୍ଯ୍ୟଟକ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
