ଭୁବନେଶ୍ବର : ରାଜ୍ୟର ରାଜସ୍ୱ ବ୍ୟବସ୍ଥାକୁ ଅଧିକ ସୁଚାରୁ ଓ ସମୟୋପଯୋଗୀ କରିବା ଲକ୍ଷ୍ୟରେ ବଡ଼ ଧରଣର ସୁଧାର ଆଣିବାକୁ ଯାଉଛନ୍ତି ସରକାର। ପ୍ରାୟ ୪୫ ବର୍ଷ ପୁରୁଣା ରାଜସ୍ୱ ଆଇନକୁ ସଂପୂର୍ଣ୍ଣ ଭାବେ ପୁନଃଗଠନ କରାଯିବ। ଏହା ଅନ୍ତର୍ଗତ ଓଡ଼ିଶା ପ୍ରିଭେନସନ୍ ଅଫ୍ ଲ୍ୟାଣ୍ଡ ଏନ୍କ୍ରୋଚମେଣ୍ଟ ଆକ୍ଟ ଓ ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣାଯିବ। ସେହିପରି ଜମି ସମ୍ପର୍କିତ ସମସ୍ତ ପ୍ରକ୍ରିୟାକୁ ଏକତ୍ର କରିବା ପାଇଁ ଏକ ନୂଆ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’ ଆଣିବାକୁ ପ୍ରସ୍ତାବ ରହିଛି। ଏହି ଆଇନ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ ସରିଥିବା ବେଳେ, ଶୀଘ୍ର ଅନୁମୋଦନ ପାଇଁ ସମ୍ପର୍କିତ ବିଭାଗକୁ ପଠାଯିବ। ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ରାଜସ୍ୱ ବିଭାଗର ସମସ୍ତ ଆଇନ ସମୟୋପଯୋଗୀ ହେବା ଅତ୍ୟନ୍ତ ଆବଶ୍ୟକ। ଓଡ଼ିଶାରେ ଚଳିତ ରାଜସ୍ୱ ସମ୍ପର୍କିତ ଅଧିକାଂଶ ଆଇନ ୧୯୮୦ ମସିହା ପୂର୍ବରୁ ତିଆରି ହୋଇଥିବା ବେଳେ, ଏହାକୁ ପ୍ରାୟ ୪୫ ବର୍ଷ ହୋଇଯାଇଛି। ସେତେବେଳେ ଯେଉଁ ଆଇନ ଗୁଡ଼ିକ ପ୍ରାସଙ୍ଗିକ ଥିଲେ, ବର୍ତ୍ତମାନ ସମୟରେ ସେଗୁଡ଼ିକ ତେଣୁ ପ୍ରସଙ୍ଗିକ ରହିବେ ବୋଲି ଭାବିବା ଯୁକ୍ତିସଙ୍ଗତ ନୁହେଁ।
ଏହି କାରଣରୁ ସମସ୍ତ ରାଜସ୍ୱ ଆଇନର ସମଗ୍ର ଅଧ୍ୟୟନ କରାଯାଇ, ଆବଶ୍ୟକ ସଂଶୋଧନ ଆଣିବା ସହ ଅପ୍ରସଙ୍ଗିକ ଓ ଅବାନ୍ତନ ଆଇନଗୁଡ଼ିକୁ ବିଲୋପ କରିବା ପ୍ରକ୍ରିୟା ଜାରି ରହିଛି। ସେହିପରି ଓଡ଼ିଶା ପ୍ରିଭେନସନ୍ ଅଫ୍ ଲ୍ୟାଣ୍ଡ ଏନ୍କ୍ରୋଚମେଣ୍ଟ ଆକ୍ଟ ଓ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟକୁ ଏକତ୍ର କରି ଗୋଟିଏ ନୂଆ ଆଇନ ତିଆରି କରିବାକୁ ସରକାର ଯୋଜନା କରୁଛନ୍ତି।
ପ୍ରସ୍ତାବିତ ନୂଆ ବ୍ୟବସ୍ଥା ଅନୁଯାୟୀ, ଜମି ସମ୍ପର୍କିତ ଆଇନଗତ ଦ୍ୱନ୍ଦ୍ୱ ଦୂର କରିବା ସହ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯିବ। ଏହି ବ୍ୟବସ୍ଥାକୁ ସ୍ୱଚ୍ଛ, ଦକ୍ଷ ଓ ସମ୍ପୂର୍ଣ୍ଣ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ଡିଜାଇନ କରାଯାଇଛି। ଏକାଧିକ ରାଜସ୍ୱ ଆଇନକୁ ଏକତ୍ର କରି ଗୋଟିଏ ସମଗ୍ର ଆଇନ ଆଣାଯିବ, ଯାହା ଫଳରେ ଜମି ସମ୍ପର୍କିତ ନିୟମାବଳୀ ବୁଝିବା ସହ କାର୍ଯ୍ୟକାରୀ କରିବା ପ୍ରକ୍ରିୟା ଅଧିକ ସହଜ ଓ ସରଳ ହେବ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
