Explore

Search

January 13, 2026 7:10 am

ଇନୋଭେସନ ହବ ହେବ ପିପିଲି, ନୂଆ ଦିଗ ପାଇବ ଚାନ୍ଦୁଆ ଶିଳ୍ପୀଙ୍କ ଭବିଷ୍ୟତ

ଭୁବନେଶ୍ୱର : ଇନୋଭେସନ ହବ ହେବ ପିପିଲି । ନୂଆ ଦିଗ ପାଇବ ଚାନ୍ଦୁଆ ଶିଳ୍ପୀଙ୍କ ଭବିଷ୍ୟତ । ଓଡ଼ିଶାର ପ୍ରସିଦ୍ଧ ଚାନ୍ଦୁଆ ଶିଳ୍ପ ପାଇଁ ପରିଚିତ ପିପିଲି ଏବେ ଏକ ନୂଆ ପରିଚୟ ପାଇବାକୁ ଯାଉଛି । ପିପିଲିର ସମଗ୍ର ରୂପରେ ଆସିବ ବଡ଼ ପରିବର୍ତ୍ତନ । ଏହା ସହିତ ଚାନ୍ଦୁଆ ଶିଳ୍ପୀ ଓ କାରିଗରମାନଙ୍କ ଭାଗ୍ୟ ମଧ୍ୟ ବଦଳିବ । ରାଜ୍ୟ ସରକାରଙ୍କ ଏକ ଆକାଂକ୍ଷାମୂଳକ ପ୍ରକଳ୍ପ ଅନ୍ତର୍ଗତ ପିପିଲିକୁ ଏକ ଇନୋଭେସନ ହବ ଭାବେ ଗଢ଼ି ତୋଳିବା ପାଇଁ ଯୋଜନା ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା କହିଛନ୍ତି ।

ଏନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା କହିଛନ୍ତି ଯେ, ୩୧୬ ନମ୍ବର ଜାତୀୟ ରାଜପଥରେ ଭୁବନେଶ୍ୱରରୁ ପୁରୀ ଯିବା ସମୟରେ ପିପିଲିର ରଙ୍ଗୀନ ଚାନ୍ଦୁଆ କାରିଗରୀ ସବୁବେଳେ ଯାତ୍ରୀମାନଙ୍କୁ ଆକର୍ଷିତ କରିଥାଏ। ଏହି ପାରମ୍ପରିକ ଶିଳ୍ପକୁ ଆଧୁନିକ ରୂପ ଦେବା ଏବଂ ଶିଳ୍ପୀଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପିପିଲିରେ ଏକ ବଡ଼ ଇନୋଭେସନ ହବ ସ୍ଥାପନ ହେବ।

ଏହି ପ୍ରକଳ୍ପ ପାଇଁ ପ୍ରାୟ ୩୨ରୁ ୩୩ କୋଟି ଟଙ୍କା ବ୍ୟୟ ହେବ। ଏଠାରେ ଗ୍ରାମ୍ୟ କଳାକାର, ଚାନ୍ଦୁଆ ଶିଳ୍ପୀ ଓ କାରିଗରୀଙ୍କ କାମକୁ ଦେଖିବା ପାଇଁ ଲକ୍ଷାଧିକ ପର୍ଯ୍ୟଟକ ଆସିବେ। ସେହିପରି ଏଠାରେ ଏକ ଆଧୁନିକ ପ୍ରତିଷ୍ଠାନ ଗଢ଼ି ଉଠିବ । ଯେଉଁଠି ଚାନ୍ଦୁଆ ଶିଳ୍ପରେ ନୂଆ ଡିଜାଇନ, ନୂତନ ଇନୋଭେସନ ଓ ପ୍ରଯୁକ୍ତିର ବ୍ୟବହାର ହେବ।

ଇନୋଭେସନ ହବରେ ଆଧୁନିକ ଶୈଳୀ, ଉତ୍ତମ କଞ୍ଚାମାଲ, ଡିଜିଟାଲ ବ୍ୟାଙ୍କି ସୁବିଧା, ତାଲିମ କେନ୍ଦ୍ର, ଗବେଷଣା ପ୍ରତିଷ୍ଠାନ ଏବଂ ଉନ୍ନତ ବିପଣନ ବ୍ୟବସ୍ଥା ରହିବ। ଏହା ଦ୍ୱାରା ଶିଳ୍ପୀମାନେ ଦେଶ-ବିଦେଶର ବଜାର ସହ ସିଧାସଳଖ ଭାବେ ଯୋଗାଯୋଗ କରିପାରିବେ । ଆଉ ନିଜର ଆର୍ଥିକସ୍ଥିତିକୁ ସୁଦୃଢ କରିପାରିବେ ।

ଏନେଇ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ପିପିଲି ନିକଟରେ ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟରେ ଏକ ହସ୍ତଶିଳ୍ପ ଗ୍ରାମ ଗଢ଼ାଯାଇଛି । ଏହି ସମସ୍ତ ପ୍ରୟାସ ଫଳରେ ସ୍ଥାନୀୟ କଳାକାର, ହସ୍ତଶିଳ୍ପୀ ଓ ଚାନ୍ଦୁଆ କାରିଗରମାନଙ୍କ ପାଇଁ ଏକ ଖୁସିର ସମୟ ଆସୁଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସେହିପରି, ଆଖପାଖ ଅଞ୍ଚଳରେ ଥିବା ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ, ସ୍ଥାନୀୟ ଲୋକକଳା, କଳା ଓ ସଂସ୍କୃତିକୁ ନେଇ ଏକ କଳା ସଂସ୍କୃତି ସର୍କିଟ ସୃଷ୍ଟି କରାଯିବ । ଏହା ଦ୍ୱାରା କଳା ପର୍ଯ୍ୟଟନକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score