ଏଣିକି ସବୁ ମୋବାଇଲରେ ରହିବ ସାଇବର ସୁରକ୍ଷା ଆପ। ପ୍ରତ୍ୟେକ ନୂଆ ସ୍ମାର୍ଟଫୋନରେ ସାଇବର ସୁରକ୍ଷା ଆପ ସଞ୍ଚାର ସାଥୀ ପ୍ରି ଇନଷ୍ଟଲ କରାଯିବ । ଫୋନ ପ୍ରସ୍ତୁତ ହେଉଥିବା ସମୟରେ ସଞ୍ଚାର ସାଥୀ ଲୋଡ କରିବାକୁ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଟେଲିକମ ବିଭାଗ। କୌଣସି ପରିସ୍ଥିତିରେ ସେହି ଆପକୁ କେହି ଡିଲିଟ କିମ୍ବା ଅନଇନଷ୍ଟଲ କରିପାରିବେ ନାହିଁ। ଏଥିପାଇଁ ସବୁ କମ୍ପାନୀକୁ ୯୦ଦିନ ସମୟ ଦିଆଯାଇଛି । ୨୦୨୬ମାର୍ଚ୍ଚ ମାସରୁ ବିକ୍ରି ହେବାକୁ ଥିବା ସବୁ ମୋବାଇଲରେ ଏହି ସଞ୍ଚାର ସାଥୀ ଆପ ପ୍ରି-ଇନଷ୍ଟଲ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ଟେଲିକମ୍ୟୁନିକେସନ ବିଭାଗ ପକ୍ଷରୁ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଗୁଡ଼ିକ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।
ସଞ୍ଚାର ଆପ ୨୦୨୫ ଜାନୁଆରୀ ମାସରେ ଲଞ୍ଚ ହୋଇଥିଲା। ଏହି ଆପ୍ ଜରିଆରେ ଜଣେ ନିଜର ଚୋରି ଫୋନକୁ ବ୍ଲକ କରିପାରିବେ। ମୋବାଇଲ ଫୋନ ନିଜ ନାଁରେ ଅଛି କି ନାହିଁ ଜାଣିପାରିବେ। ଏଥିସହ ସାଇବର ଠକେଇ ଓ ସନ୍ଦିଗ୍ଧ କଲ ସମ୍ପର୍କରେ ରିପୋର୍ଟ କରିବାର ସୁବିଧା ପାଇବେ ବୋଲି ସରକାର କହିଥିଲେ।
କିନ୍ତୁ ନିକଟରେ ଏହି ଆପକୁ ବାଧ୍ୟତାମୂଳକ ଭାବେ ଲୋକଙ୍କ ମୋବାଇଲରେ ଇନଷ୍ଟଲ କରିବାକୁ କମ୍ପାନୀ ଗୁଡ଼ିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବାରୁ ବିବାଦ ଦେଖା ଯାଇଥିଲା। ପେଗାସସ ସ୍ପାଏୱେୟାର ଭଳି ଏହାକୁ ବିରୋଧୀ ଗୁଇନ୍ଦାଗିରିର ଗୋଟିଏ ମାଧ୍ୟମ ବୋଲି କହିଥିଲେ। ଲୋକମାନଙ୍କ ବ୍ୟକ୍ତିଗତ ଜୀବନ ଉପରେ ନଜର ରଖିବା ପାଇଁ ସରକାର ସଞ୍ଚାର ସାଥୀ ଆପକୁ ବାଧ୍ୟତାମୂଳକ କରୁଥିବା ଅନେକ ମତ ମଧ୍ୟ ରଖିଥିଲେ।
ସଞ୍ଚାର ସାଥୀ ଆପ୍ କ’ଣ ?
ସଞ୍ଚାର ସାଥୀ ଆପ ହେଉଛି କେନ୍ଦ୍ର ସରକାର ଡିଜିଟାଲ ସୁରକ୍ଷା ବ୍ୟବସ୍ଥା। ଏହା ଏକ ମୋବାଇଲ ଆପ୍ ଓ ନିଜର ୱେବ ପୋର୍ଟାଲ ମାଧ୍ୟମରେ ଅନେକ ଲୋକ କୈନ୍ଦ୍ରିକ ସେବା ପ୍ରଦାନ କରିବ। ଏହି ସୁବିଧାରେ ଚକ୍ଷୁ ବି ସାମିଲ ରହିଛି। ଏହା ମୋବାଇଲ ବ୍ୟବହାରଙ୍କୁ ସନ୍ଦିଗ୍ଧ ସାଇବର ଠକେଇର ରିପୋର୍ଟ କରିବାରେ ସହାୟକ ହେବ। ସଞ୍ଚାର ସାଥୀ ୱେବସାଇଟରେ ଉଲ୍ଲେଖ ରହିଛି ଯେ ସନ୍ଦିଗ୍ଧ ସାଇବର ଠକେଇର ଏପରି ସକ୍ରିୟ ରିପୋର୍ଟିଂ ଦୂରସଞ୍ଚାର ବିଭାଗକୁ ସାଇବର ଅପରାଧ, ଆର୍ଥିକ ଠକେଇ ଆଦି ଦୁର୍ବ୍ୟବହାରକୁ ରୋକିବାରେ ସହଯୋଗ କରିଥାଏ।
ସଞ୍ଚାର ସାଥୀ ଆପ ଯଥେଷ୍ଟ ଆଦୃତ ହାସଲ କରିଛି । ଏପର୍ଯ୍ୟନ୍ତ ୧.୧୪ କୋଟିରୁ ଅଧିକ ବ୍ୟବହାରକାରୀ ଆପରେ ପଞ୍ଜିକରଣ କରିଛନ୍ତି । ଏହାକୁ ଗୁଗଲ ପ୍ଲେ ଷ୍ଟୋରରେ ୧ କୋଟିରୁ ଅଧିକ ଥର ଡାଉନଲୋଡ କରାଯାଇଛି ।ଯେତେବେଳେ ଆପଲ ଷ୍ଟୋରରେ ୯.୫ ଲକ୍ଷରୁ ଅଧିକ ଡାଉନଲୋଡ କରାଯାଇଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
