Explore

Search

November 29, 2025 11:53 am

କିଆ ଫୁଲ ହବ୍ ପାଲଟିଛି ଗଞ୍ଜାମ; ମିଳିଛି ଜି.ଆଇ ମାନ୍ୟତା

ବ୍ରହ୍ମପୁର : ସୌନ୍ଦର୍ଯ୍ୟ ଠୁ ନେଇ ସୁଗନ୍ଧ ପର୍ଯ୍ୟନ୍ତ କିଆ ଫୁଲ ସମସ୍ତଙ୍କର ବେଶ ଆଦର । କିଆ ଫୁଲ ଫୁଟିଲେ ଚତୁଃର୍ଦିଗ ମହକି ଯାଏ ତା ବାସ୍ନା । ଏପରିକି ମହାଦେବଙ୍କ ପ୍ରିୟ ଫୁଲ ମଧ୍ୟ । କୁହାଯାଏ ଏହି କିଆ ଫୁଲ ମହାଦେବଙ୍କ ମଥାରେ ଚଢ଼ାଇଲେ ଅନେକ ମାନସିକ ପୂରଣ ହୁଏ । କଣ୍ଟା ଜାତୀୟ ଗଛରେ ଫୁଟୁଥିବା ଏହି ଫୁଲ କେବଳ ରାଜ୍ୟ ନୁହେଁ ଦେଶ ବିଦେଶରେ ମଧ୍ୟ ଏହାର ବେଶ ଚାହିଦା ରହିଛି । ସୁଗନ୍ଧିତ ଅତର ଠୁ ନେଇ ତେଲ, ଔଷଧ, କ୍ରିମ ଭଳି ବିଭିନ୍ନ ସାମଗ୍ରୀ ତିଆରିରେ ଏହି ଫୁଲର ବହୁଳ ବ୍ୟବହାର ହୋଇଥାଏ । ତେବେ ଏହି କିଆ ଫୁଲର ଉତ୍ପାଦନର ୯୦ ପ୍ରତିଶତ କେବଳ ଗଞ୍ଜାମ ଜିଲ୍ଲାରେ ହିଁ ରହିଛି । ଗଞ୍ଜାମର ଚାରୋଟି ଉପକୂଳବର୍ତ୍ତୀ ବ୍ଲକ ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା ଏବଂ ଚିକିଟିରେ ଏହି ଚାଷ ବହୁଳ ମାତ୍ରାରେ ହୋଇଛି । ଏହି ବ୍ଲକ ଗୁଡିକର ପାଖାପାଖି ୧୧୦ଟି ଗ୍ରାମର ଚାଷୀମାନେ କିଆ ଫୁଲ ଚାଷ କରୁଛନ୍ତି । କିଆ ଫୁଲ ଉତ୍ପାଦନ, ସଂଗ୍ରହ ଏବଂ ପ୍ରକ୍ରିୟାକରଣରେ ଜିଲ୍ଲାର ହଜାର ହଜାର ପରିବାର ନିୟୋଜିତ ଥିବା ବେଳେ ଏହା ସେମାନଙ୍କର ଅର୍ଥ ରୋଜଗାରର ମୁଖ୍ୟ ମାଧ୍ୟମ ସାଜିଛି । ଏହି ଜିଲ୍ଲାରେ ଛୋଟ ବଡ କିଆ ଫୁଲରୁ ଅତର ପ୍ରକ୍ରିୟାକରଣ ୟୁନିଟ ରହିଛି । ଯାହାକୁ ସ୍ଥାନୀୟ ଭାଷାରେ କୁହାଯାଏ କିଆଫୁଲ ଭାଟି । ପ୍ରତ୍ୟେକ ମଣ୍ଡିର ଚାଷୀ ଏବଂ ପ୍ରକ୍ରିୟାକରଣ ୟୁନିଟ୍ ମାଲିକମାନେ ବର୍ଷକୁ ଥରେ ଏକାଠି ହୋଇ ସର୍ବସମ୍ମତି କ୍ରମେ ଫୁଲର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିଥାନ୍ତି । ଚଳିତବର୍ଷ ଗୋଟିଏ ଫୁଲର ଦର ୩୧ ଟଙ୍କା ଧାର୍ଯ୍ୟ କରାଯାଇଛି । ଯାହା ବିଗତ ବର୍ଷ ତୁଳନାରେ ଅଧିକ ବୋଲି ଅନେକ ଚାଷୀ କହିଛନ୍ତି। ଉକୃଷ୍ଟ ଜଳବାୟୁ ଏବଂ କ୍ରମାଗତ ବର୍ଷା ହେଲେ ବର୍ଷକୁ ତିନିଥର ଉତ୍ପାଦିତ ହୋଇଥାଏ କିଆଫୁଲ । ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଏହି ଫୁଲ ସର୍ବାଧିକ ଫୁଟିଥାଏ । ଯାହା ମୋଟ ଉତ୍ପାଦନର ପ୍ରାୟ ୭୦%, ବାକି ୩୦% ଗ୍ରୀଷ୍ମ ଏବଂ ଶୀତ ଋତୁରେ ହୁଏ । ଚଳିତ ବର୍ଷ ମଧ୍ୟ ଏହି ୨ ମାସରେ ଅଧିକ କିଆ ଫୁଲ ଫୁଟିଥିଲା । ଯେଉଁଥିପାଇଁ ଭାଟି ମାଲିକମାନେ ଦ୍ୱିତୀୟ ପର୍ଯ୍ୟାୟକୁ ଅପେକ୍ଷା ନକରି ସେମାନଙ୍କର ଭାଟି ବନ୍ଦ କରିଦେଇଥିଲେ ।

ଗଞ୍ଜାମ କିଆ ଫୁଲ ବା କେୱଡା ଫୁଲ କିଆ ତେଲ ବାହାର କରିବା ପାଇଁ ବ୍ୟବହୃତ ହେଉଥିବା ସୁଗନ୍ଧିତ ସ୍କୃପାଇନ୍ ବୃକ୍ଷର ଏକ ପୁରୁଷ ଫୁଲ । ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ବଢୁଥିବା ଏହି ବୃକ୍ଷଟିର ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଲବଣାକ୍ତ ସାମୁଦ୍ରିକ ପରିବେଶ ପ୍ରାକୃତିକ ପର୍ଯ୍ୟାବରଣୀୟ କ୍ଷେତ୍ର । ସମଗ୍ର ଭାରତରେ ଉତ୍ପାଦନ ହେଉଥିବା କିଆ ଫୁଲର ୯୦ ପ୍ରତିଶତ ଗଞ୍ଜାମ ଜିଲ୍ଲାରେ ଉତ୍ପାଦିତ ହୋଇଥାଏ । ୨୦୧୨ରେ ଭାରତ ସରକାରଙ୍କ ଦ୍ୱାରା ଗଞ୍ଜାମର କିଆ ଫୁଲକୁ ଭୌଗୋଳିକ ଉପଦର୍ଶକ ମାନ୍ୟତା ମିଳିଥିଲା । କିଆ ଏକ ଦ୍ୱିଲିଙ୍ଗୀୟ ବୃକ୍ଷ ହୋଇଥିବାରୁ ଏଥିରେ ଭିନ୍ନ ବୃକ୍ଷରେ ଭିନ୍ନ ଲିଙ୍ଗର ଫୁଲ ଫୁଟିଥାଏ । ସଂସ୍କୃତରେ ଏହି ଫୁଲକୁ କେତକୀ କୁହାଯାଇଥାଏ । ପୁରୁଷ ବୃକ୍ଷକୁ କେତକୀ ବିଫଳ ବା ଧୂଳି ପୁଷ୍ପିକା କୁହାଯାଉଥିବା ବେଳେ ସ୍ତ୍ରୀଲିଙ୍ଗୀୟ ପୁଷ୍ପକୁ ସ୍ୱର୍ଣ୍ଣ କେତକୀ କୁହାଯାଇଥାଏ । ପୁଲିଙ୍ଗୀୟ ଗଛକୁ କେବଳ ଫୁଲ ଏବଂ ଅତର ପାଇଁ ଉତ୍ପାଦନ କରାଯାଉଥିବା ବେଳେ ସ୍ତ୍ରୀଲିଙ୍ଗୀୟ ଗଛରୁ କିଆ ଫଳ ଫଳିଥାଏ । ପୁରୁଷ ଫୁଲରୁ ଶହେ ପ୍ରତିଶତ ଶୁଦ୍ଧ ତେଲ ବାହାର କରାଯାଇଥାଏ । ଆୟୁର୍ବେଦରେ ଏହାକୁ ଉତ୍ତେଜକ ଦ୍ରବ୍ୟ ଭାବେ ଏବଂ ଆର୍ଥ୍ରାଇଟିସର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ ।

କିଆ ଫୁଲକୁ ଚନ୍ଦନ ତେଲରେ ମିଶାଯାଇ ଏକ ପ୍ରକାର ଅତର ପ୍ରସ୍ତୁତ କରାଯାଏ । ଯାହା ଭାରତରେ ବହୁତ ଲୋକପ୍ରିୟ ଅଟେ । କିଆ ଅତରରେ ପ୍ରାୟ ୩-୫ ପ୍ରତିଶତ କିଆ ରସ ଏବଂ ବାକି ଚନ୍ଦନ ତେଲ । ସୁବାସିତ ହାଇଡ୍ରୋସୋଲରେ ୦.୦୨ ପ୍ରତିଶତ କିଆଫୁଲ ତେଲ ଯାହାକୁ ରସଗୋଲା, ରସ ମଲେଇ, ଗୁଲାବଜାମୁନ ପରି ମିଠାଜାତୀୟ ଖାଦ୍ୟ, ସିରପ, ଥଣ୍ଡାପାନୀୟ ଏବଂ ବିରିୟାନୀରେ ବ୍ୟବହାର କରାଯାଏ । ଏହାବ୍ୟତୀତ ପ୍ରସାଧନ ସାମଗ୍ରୀ, ଅଗରବତୀ, ତମାଖୁ ଆଦିରେ ମଧ୍ୟ ବ୍ୟବହାର କରାଯାଏ । କିଆଫୁଲ ଏବଂ ସେଥିରୁ ପ୍ରସ୍ତୁତ ତେଲ ଏହି ଜିଲ୍ଲା ପାଇଁ ବିଶେଷ ଅଟେ । ଗଛରୁ ତୋଳା ଯାଉଥିବା କିଆ ଫୁଲକୁ କିଛି ସମୟ ମଧ୍ୟରେ ପ୍ରକ୍ରିୟାକରଣ ନକଲେ ସେଗୁଡିକ ନଷ୍ଟ ହୋଇଯାଏ, କିନ୍ତୁ କିଆରୁ ଉତ୍ପାଦ ସାମଗ୍ରୀ ନଷ୍ଟ ହୋଇନଥାଏ । ତେଣୁ ଜିଲ୍ଲାରେ ଏହାର ଅଭାବୀ ବିକ୍ରି ରୋକିବାକୁ ହେଲେ ସଂରକ୍ଷଣ ନିମନ୍ତେ ଶୀତଳଭଣ୍ଡାର ଆବଶ୍ୟକତା ରହିଛି । ଗଞ୍ଜାମ ଜିଲ୍ଲାରେ ଦୁଇଟି ଜି.ଆଇ ପ୍ରଡକ୍ଟ ରହିଛି । ତାହା ହେଉଛି କିଆଫୁଲ ଓ କିଆ ଅତର। ଏହି ଦୁଇଟି ସାମଗ୍ରୀ ଗଞ୍ଜାମର ଗର୍ବ ହୋଇଥିବା ବେଳେ ଏହା ଉପରେ ଜିଲ୍ଲାର ପ୍ରାୟ ୪୦ ହଜାର ପରିବାର ନିର୍ଭରଶୀଳ । ସରକାରଙ୍କ ପକ୍ଷରୁ ଏହାର ବିକାଶ ପାଇଁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦିଆଯାଇଛି । ଗତ ୨୦୧୦ରୁ କିଆ ଫୁଲ ଏବଂ ଅତରକୁ କେନ୍ଦ୍ର ସରକାରଙ୍କ ଜି.ଆଇ ମାନ୍ୟତା ପାଇଁ ଆବେଦନ କରାଯାଇଥିଲା । ୨୦୧୨ରେ ଜି.ଆଇ ମାନ୍ୟତା ମିଳିଲା । ଏହାର ଅତର ପାନମସଲା ଠାରୁ ଆରମ୍ଭ କରି ବିଭିନ୍ନ ଗୁଟଖାରେ ବ୍ୟବହୃତ ହେଉଥିବା ବେଳେ ଏହାକୁ ୟୁପିର ଅତର କୁହାଯାଏ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score