Explore

Search

November 20, 2025 3:52 pm

ଅଲବିଦା ହ୍ୟୁମାନ

ଭୁବନେଶ୍ୱର : ଆଉ ଶୁଭିବନି ଓଲିଉଡ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ସ୍ୱର। ଯାହାଙ୍କ ସ୍ୱରରେ ଦୁଲକୁଥିଲା ମଞ୍ଚ, ଝୁମୁଥିଲେ ଦର୍ଶକ । ସେ ମଞ୍ଚରେ ଚଢିଲେ ମତୁଆଲା ହେଉଥିଲେ ଶ୍ରୋତା । କେତେବେଳେ ସଙ୍ଗୀତରେ ପ୍ରେମ ଭରୁଥିଲେ ତ ଆଉ କେତେବେଳେ ବିରହ ବେଦନା ଦେଉଥିଲେ । ହେଲେ କାଲି ରାତିରୁ ନିରବି ଯାଇଛି ଓଲିଉଡ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ସ୍ୱର । ଆଉ ଖୋଜିଲେ ବି ଶୁଭିବନି ହ୍ୟୁମାନଙ୍କ କଣ୍ଠ ସ୍ୱର । ଗତ 14 ତାରିଖରେ ଏମ୍ସ ଭୁବନେଶ୍ୱରରେ ଭର୍ତ୍ତି ହୋଇଥିଲେ ହ୍ୟୁମାନ ସାଗର । ସେ ଏକାଧିକ ରୋଗରେ ପୀଡିତ ଥିଲେ । କିଡନୀ, ଲିଭରରେ ସମସ୍ୟା ସହିତ ଏକାଧିକ ଅଙ୍ଗ କାମ କରୁନଥିଲା । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଏକ୍ସପର୍ଟ ଟିମ ପକ୍ଷରୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ତେବେ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ହ୍ୟୁମାନ ସାଗର ।

ହୁମାନ ସାଗରଙ୍କ ସଙ୍ଗୀତ ଯାତ୍ରା :

୨୦୧୨ରୁ ହିଟ ଗୀତ ଇସ୍କ ତୁହି ତୁ ରୁ ଆରମ୍ଭ ହୋଇଥିଲା ହୁମାନ ସାଗରଙ୍କ ସଙ୍ଗୀତ ଯାତ୍ରା । ତାପରେ ଏ ଯାତ୍ରାରେ ସେ ଖୁବ ଆଗକୁ ଯାଇ ନିଜର ପରିଚୟ ସୃଷ୍ଟି କରିଥିଲେ । ଭସାଣୀ ଠାରୁ ଆରମ୍ଭ କରି ପ୍ରୋସେସନ ଏମିତିକି ହୃଦୟ ଭଙ୍ଗା ଲୋକର ସାହାରା ସାଜିଥିଲା ତାଙ୍କ ସ୍ୱର । ଛୋଟରୁ ବଡ଼ ସମସ୍ତଙ୍କୁ ଝୁମାଉଥିଲେ ସେ । ସଙ୍ଗୀତର ଯାଦୁରେ ଆମକୁ ବାନ୍ଧି ଆଜି ନିଜେ ଅଫେରା ରାଇଜକୁ ଚାଲି ଯାଇଛନ୍ତି ହ୍ୟୁମାନ ।

ପ୍ଲେ ବ୍ୟାକ୍ ସିଙ୍ଗର ହ୍ୟୁମାନଙ୍କ ବିଶେଷ ଗୀତ :

ସତ ଥିଲ ନା ସର୍ତ୍ତ , ଦୁଃଖ ମୋ ଭାଗ୍ୟରେ ଲେଖା, ନିଶ୍ୱାସ ତୋ ବିନା ମୋର ଚାଲେନା, ବଞ୍ଚିବି ଶହେ ବରଷ , ହାଏ ମୋ ଦିଲ, ଗଜରା ଗଭା ବାଲି, ଅନୁପମ ପଟ୍ଟନାୟକଙ୍କ କର୍ମ ସିନେମାର ଭାଇରାଲ ଗୀତ ଚିରିଂ ଚିରିଂ ଗାଇଥିଲେ ହ୍ୟୁମାନ ସାଗର ।

ହ୍ୟୁମାନ ସାଗରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟପାଳ ଡଃ ହରି ବାବୁ କମ୍ଭମପାଟି ଶୋକବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ଲେଖିଛନ୍ତି, ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି । ହ୍ୟୁମାନ ସାଗର ସଦା ସ୍ମରଣୀୟ ହୋଇ ରହିବେ ସୋସିଆଲ ମିଡିଆରେରେ ଲେଖିଛନ୍ତି ରାଜ୍ୟପାଳ ।

ଓଡ଼ିଶାର ଜଣେ ଲୋକପ୍ରିୟ ଏବଂ ପ୍ରତିଷ୍ଠିତ ଗାୟକ ଭାବରେ ବେଶ ଜଣାଶୁଣା ହ୍ୟୁମାନ ସାଗର। ତାଙ୍କ କ୍ୟାରିଅରରେ, ସେ ଶହ ଶହ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଗୀତ ଗାଇଛନ୍ତି ଥିଲେ । ଏହା ସହ ଏକ ହିନ୍ଦୀ ଆଲବମ୍ ମେରା ୟେ ଜାହାଁ ମୁକ୍ତିଲାଭ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ବ୍ୟତୀତ ଅନେକ ଆଲ୍‌ବମ୍‌ କଣ୍ଠଦାନ କରି ବେଶ ଲୋକପ୍ରିୟତା ସାଉଁଟିଛନ୍ତି ହ୍ୟୁମାନ ସାଗର । ଆଜି ସେ ଆମ ଗହଣରେ ନାହାଁନ୍ତି ସତ ହେଲେ ତାଙ୍କ ଗୀତ ସର୍ବଦା ଚିରସ୍ମରଣୀୟ ହୋଇ ରହିବ ।

ଆଜି ହେବ ଅନ୍ତିମ ସଂସ୍କାର :

ଗତକାଲି ରାତିରେ ଭୁବନେଶ୍ୱରରେ କଣ୍ଠଶିଳ୍ପୀ ହ୍ୟୁମାନଙ୍କ ଦେହାନ୍ତ ପରେ ତାଙ୍କୁ କଟକ ବାସଭବନକୁ ନିଆଯାଇଥିଲା। ଅଭିନେତା ଅନୁଭବ ମହାନ୍ତି ସମେତ କଳାକାର ରାତିରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଛନ୍ତି । ସେପଟେ ହ୍ୟୁମାନଙ୍କ ପୈତୃକ ଘର ଟିଟଲାଗଡ଼ ହୋଇଥିବା ବେଳେ ସେଠାରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score