ବାଲେଶ୍ବର : ବାହାଘର ଜୀବନକୁ ପୁରା ବଦଳାଇ ଦେଇଥିଲା । ଆଉ ଏହି କଷ୍ଟ ଦୁଃଖର ଝଡ଼କୁ ଅତିକ୍ରମ କରି ନିଜ ପାଇଁ ପରିଚୟ ସୃଷ୍ଟି କରିବା ସହିତ ସାଜିଛନ୍ତି ସବୁ ନାରୀଙ୍କ ପାଇଁ ପ୍ରେରଣା । ଦିନେ ଡ଼ାକ୍ତରଙ୍କ ପରାମର୍ଶ ନେଇ ଦୁଃଖକୁ ସାମ୍ନା କରିବାକୁ ଶକ୍ତି ସାଉଁଟୁଥିଲେ, ଆଜି ନାରୀଙ୍କୁ ସ୍ବାବଲମ୍ବୀ ହେବା ପାଇଁ ସାହାଯ୍ୟ କରୁଛନ୍ତି । ସେଥିପାଇଁ ନିଜେ ‘Indian Weaves’ ନାମକ ଏକ ଉଦ୍ୟୋଗ ପ୍ରତିଷ୍ଠା କରି ଅନେକ ନାରୀଙ୍କୁ ସ୍ବାବଲମ୍ବୀ ହେବାକୁ ସୁଯୋଗ ଦେଇଛନ୍ତି । ବାଲେଶ୍ୱର ସହରର ମଠସାହି ଅଞ୍ଚଳର ରିତୁ ଝଲାନି । ଜୀବନରେ ଆସିଥିବା ସବୁଠୁ ବଡ ମୋଡ଼ ତାଙ୍କୁ ଏପରି ଧକ୍କା ଦେଇଥିଲା ଯେ ଯେଉଁଥିରେ ସେ ପୁରା ଭାଙ୍ଗି ପଡ଼ିଥିଲେ । କିଛି କରିବା ପାଇବା ପାଇଁ ତାଙ୍କ ପାଖରେ ସାହସ ନାଥିଲା । ଏପରିକି ସେ ମାନସିକ ସ୍ତରରେ ମଧ୍ୟ ପୁରା ଭାଙ୍ଗି ପଡ଼ିଥିଲେ । କିଛି କାମ କରୁନଥିଲା ମୁଣ୍ଡ । ସାରା ରାତି ଅନିଦ୍ରା ରହୁଥିଲେ । ତାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇ ଦିନ ବିତାଇବାକୁ ପଡୁଥିଲା । ଆଉ ଆଜି ସେ ମହିଳାଙ୍କ ପାଇଁ ସାଜିଛନ୍ତି ପ୍ରେରଣା । ରିତୁଙ୍କ ଜୀବନରେ ବିବାହ ପରେ ଭିନ୍ନ ମୋଡ଼ ଆସିଥିଲା । ବିବାହ ପୂର୍ବରୁ ଶିକ୍ଷକତା କରୁଥିଲେ ରିତୁ । ବିବାହ ପରେ ସେ ଚାକିରି ଛାଡି ଦେଇଥିଲେ । ମାତ୍ର ବାହାଘର ଭାଙ୍ଗିବା ପରେ ସେ ନିଜ ଘରକୁ ଫେରି ଆସିଥିଲେ । ସେହି ସମୟରେ ନିଜେ ସ୍ବାବଲମ୍ବୀ ହେବାର ଆବଶ୍ୟକତାକୁ ଖୁବ୍ ଭଲ ଭାବେ ଅନୁଭବ କରିପାରିଥିଲେ ।
ସେହିଦିନ ଠାରୁ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ମହିଳା ଉଦ୍ୟୋଗୀ ରିତୁ । ନିଜେ ନିଜ ଗୋଡ଼ରେ ସମ୍ଭାଳି ହୋଇ ଛିଡ଼ା ହେବାର ଇଚ୍ଛା ତାଙ୍କୁ ରାଜ୍ୟ, ଦେଶ ଏପରିକି ବିଦେଶରେ ମଧ୍ୟ ଲୋକପ୍ରିୟ କରାଇଛି । କୋଭିଡ ସମୟରେ ରିତୁ ଝଲାନି ନିଜର ଉଦ୍ୟୋଗ ପାଇଁ ମୂଳଦୁଆ ସ୍ଥାପନ କରିଥିଲେ । ଏବେ ସେ ନିଜ ଉଦ୍ୟୋଗରେ ୧୦ଜଣଙ୍କୁ ରୋଜଗାରକ୍ଷମ କରି ସ୍ବାବଲମ୍ବୀ କରାଇଛନ୍ତି । ନିଜର ଏକ ହାତ ବୁଣା ପୋଷାକ ଦୋକାନ କରି ସେ ଅନେକ ଗ୍ରାହକ ସାଉଁଟିଛନ୍ତି । ବିଭିନ୍ନ ପ୍ରକାରର କପଡ଼ାରେ ସିଲେଇ କରି ଗ୍ରାହକଙ୍କ ଚାହିଦା ଅନୁସାରେ ସେ ଯୋଗାଇ ଦେଉଛନ୍ତି । ଖାଲି ସେତିକି ନୁହେଁ ବିଭିନ୍ନ ରାଜ୍ୟର ସ୍ଥାନୀୟ ବୁଣାକାରଙ୍କ ହାତ ତିଆରି କପଡ଼ା ଓ ଡ଼ିଜାଇନ୍ ଆଦି ନିଜ ଷ୍ଟୋରରେ ରଖିଛନ୍ତି । ଯେମିତି କି ଓଡ଼ିଶାର ସମ୍ବଲପୁରୀ, ଗୁଜୁରାଟର ଅଜରଖ, କଲମକାରୀ କପଡ଼ା । ଏହି ସବୁ ସୁନ୍ଦର ତଥା ଭିନ୍ନ ଭିନ୍ନ କପଡ଼ାରୁ ଗ୍ରାହକଙ୍କ ପସନ୍ଦ ମୁତାବାକ କଷ୍ଟମାଇଜଡ଼ ଶାଢ଼ୀ, ଡ୍ରେସ, ସାର୍ଟ, ପିଲାଙ୍କ ଡ୍ରେସ ଆଦି ସେ ତିଆରି କରି ଯୋଗାଇ ଦେଉଛନ୍ତି । ସେଇଥିପାଇଁ ତାଙ୍କ ଷ୍ଟୋରର ନାଁ ସେ ‘Indian Weaves’ ରଖିଛନ୍ତି।
ରିତୁ ଝଲାନି ୨୦୧୩ ମସିହାରେ ଏକ ଘରୋଇ ସ୍କୁଲରେ ପିଲାଙ୍କୁ ପାଠ ପଢାଉ ଥିଲେ। ୨୦୧୭ ମସିହାରେ ତାଙ୍କର ବାହାଘର ହୋଇଥିଲା । ବାହାଘରର କିଛି ଦିନ ଯାଏଁ ସବୁ ଠିକଠାକ ଚାଲିଥିଲା । ଏମିତିକି ବାହାଘର ପରେ ସେ ଚାକିରି ଛାଡ଼ି ସ୍ୱାମୀଙ୍କ ପାଖରେ ବିହାରରେ ରହିଥିଲେ । ହେଲେ ସେଠାରେ କିଛିଦିନ ପରେ ଦେଖା ଦେଇଥିଲା ସମସ୍ୟା । ଏହାପରେ ସେ ଓଡ଼ିଶା ଫେରି ଆସିଥିଲେ । ଆଉ ଯାହାକୁ ନେଇ ସେ ବହୁଦିନ ପର୍ଯ୍ୟନ୍ତ ମାନସିକ ଅବସାଦ ଭିତରେ ରହିଥିଲେ । ପରିସ୍ଥିତି ଏପରି ହୋଇଥିଲା ଡାକ୍ତରଙ୍କ ପରାମର୍ଶରେ ୬ ମାସ ଧରି ଚିକିତ୍ସିତ ହେଲେ । ୨୦୧୮ ମସିହାରେ ପୁଣି ଚାକିରି କରିବା ଆରମ୍ଭ କରିଲେ ରିତୁ । ଆଉ ସେବେଠୁ ସେ ଧୀରେ ଧୀରେ ସୁସ୍ଥ ବି ହେଲେ । ୨୦୨୦ ମସିହାରେ କୋଭିଡ ସମୟରେ ନିଜେ କିଛି କରିବା ପାଇଁ ଭାବିଲେ ରିତୁ । ପ୍ରଥମେ ଘରେ ରହି ସୋସିଆଲ ମିଡ଼ିଆ ଜରିଆରେ ବ୍ୟବସାୟ ଆରମ୍ଭ କରିଲେ । ଏହା ପରେ ଅର୍ଡର ପାଇଲେ ସେମାନଙ୍କୁ କୋରିଅର ଜରିଆରେ ପଠାଇ ଦେଉଥିଲେ । ଏହି ବ୍ୟବସାୟ ତାଙ୍କର ଧୀରେ ଧୀରେ ବଢିବା ଆରମ୍ଭ ହେବ ପରେ ସେ ନିଜେ ‘Indian Weaves’ ନାମରେ ଷ୍ଟୋର ଖୋଲିଲେ । ଯେଉଁଥିରେ ଭାରତର ସମସ୍ତ ସ୍ଥାନ ସହ ବିଦେଶକୁ ମଧ୍ୟ ନିଜେ ତିଆରି କରି କପଡ଼ା ପଠାନ୍ତି । ଏପରିକି କିଛି ହାତ ତିଆରି ଶାଢ଼ୀ ମଧ୍ୟ ନିଜ ଦୋକାନରେ ରଖିଛନ୍ତି ।
କଥାରେ ଅଛି ଜଣେ ନାରୀ ଚାହିଁଲେ ସବୁ ସମ୍ଭବ । ସେ ଯେଉଁ କାମ ହେଉନା କାହିଁକି । ସବୁ କିଛି କାମ କରିପାରେ ନାରୀ । ସେଥିପାଇଁ ତ ନାରୀକୁ ମହାନ ବୋଲି କୁହାଯାଏ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
