Explore

Search

October 14, 2025 6:05 pm

Genres

ରାଜ୍ଯରେ ଭାଗବତ ଟୁଙ୍ଗୀର ହେବ ପୁନରୁଦ୍ଧାର

ଧର୍ମ ଜାଗରଣ ସମିତି ଓଡ଼ିଶା ପକ୍ଷରୁ ଭୁବନେଶ୍ବରର କଟକ ରୋଡ ସ୍ଥିତ ତେରାପନ୍ଥ ଭବନ ଠାରେ ଆୟୋଜିତ ହୋଇଥିଲା ଶ୍ରୀମଦ୍ ଭାଗବତ ମହୋତ୍ସବ । ଏହି ମହୋତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପ୍ରତ୍ୟେକ ଓଡ଼ିଆ ଘରେ ଭାଗବତ ଏବଂ ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗି ମାନଙ୍କର ପୁନରୁଦ୍ଧାର ଓ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଯୁବବର୍ଗ ଆଜିର ସମାଜର ସମସ୍ତ ବିକାଶରେ ମୁଖ୍ୟ ଭୂମିକା ନିଭାଇଥାନ୍ତି ଏଣୁ ସେମାନଙ୍କୁ ଏହି ମାର୍ଗରେ ନେବା ପାଇଁ ଭାଗବତ ପାଠ ଏକ ବଳିଷ୍ଠ ମାଧ୍ୟମ । ଶ୍ରୀମଦ୍ ଭାଗବତ ଗ୍ରନ୍ଥ, ପରମ୍ପରା, ଭକ୍ତି ଓ ଧର୍ମର ଅମୂଲ୍ୟ ଶିକ୍ଷା ସହିତ ଜନସାଧାରଣଙ୍କୁ ଭଗବତ କାର୍ଯ୍ୟରେ ସଂପୃକ୍ତ କରେ । ସେହି ଦୃଷ୍ଟିରୁ ଏହି ମହୋତ୍ସବ ଆମ ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଏହି ଅବସରରେ, ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ଅନୁରୋଧ କରିଥିଲେ ଯେ, ସମସ୍ତେ ପ୍ରତ୍ୟେହ ଭାଗବତ ପାଠ କରନ୍ତୁ, କାରଣ ଏହା ଆମ ଜୀବନକୁ ଏକ ସୁସ୍ଥ ଧାର୍ମିକ ଓ ନୈତିକ ଦିଗରେ ନେଇଯିବ । ସେ ଆହୁରି ମଧ୍ୟ କହିଥିଲେ ଯେ, ଏହି ପ୍ରକାରର ମହୋତ୍ସବ ସମାଜରେ ଏକତାର ସୂଚକ । ଏହା ଭକ୍ତି, ସମ୍ମାନ, ଓ ମୌଳିକ ମୂଲ୍ୟକୁ ଦୃଢ଼ କରେ । ଏହି ମହୋତ୍ସବର ଅନୁଭୂତି ଓ ଶିକ୍ଷା ଉପସ୍ଥିତ ସୁଧିବୃନ୍ଦଙ୍କ ଜୀବନରେ ନିତିମୂଳକ, ଧର୍ମୀୟ ଓ ସାମାଜିକ ଉନ୍ନତି ଆଣିବାରେ ସାହାଯ୍ୟ କରିବ ।

୨୦୧୪ ପରେ ଭାରତରେ ଭାରତୀୟ ସଂସ୍କୃତି, ପରମ୍ପରାର ଏକ ପ୍ରକାର ଅଭ୍ୟୁଦୟ ହୋଇଛି, କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାରା ଦେଇଛନ୍ତି, ‘ବିକାଶ ଭି, ବିରାଶତ ଭି’। ପ୍ରଧାନମନ୍ତ୍ରୀ ଏହି ଭାବକୁ କେବଳ ସ୍ଲୋଗାନ କି ଭାବନାରେ ସୀମାବଦ୍ଧ କରି ରଖି ନାହାନ୍ତି । ଏହାର ପ୍ରମାଣ ହେଉଛି ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ, ମହାକୁମ୍ଭରେ ରେକର୍ଡ ୬୮ କୋଟି ଶ୍ରଦ୍ଧାଳୁଙ୍କ ଆଗମନ, କାଶୀ ବିଶ୍ବନାଥ କରିଡର, ମହାକାଳ କରିଡର ନିର୍ମାଣ । ଆଜି ଦେଶରେ ଏକ ଧର୍ମୀୟ ଭାବନାର ପୁନର୍ଜାଗ୍ରତ ହୋଇଛି ଏବଂ ଏହାର ନେତୃତ୍ବ ନେଇଛନ୍ତି ଏ ଦେଶର ଯୁବ ସମାଜ । ଆଜି ପ୍ରତ୍ୟେକ ହିନ୍ଦୁ ସଗର୍ବେ ନିଜକୁ ସନାତନୀ ଭାବେ ପରିଚୟ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ରାଜ୍ୟ ସରକାର ପ୍ରଥମ ଦିନରୁ ହିଁ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ସହିତ ଏହାର ପ୍ରଚାର ପ୍ରସାର କରିବା ପାଇଁ ବିଭିନ୍ନ ପଦକ୍ଷେପ ଐତିହ୍ୟ ନେଉଛନ୍ତି । ରାଜ୍ୟର ସବୁ ପୁରାତନ ଓ ଐତିହ୍ୟ ସମ୍ପନ୍ନ ଦୁର୍ଗାମେଢ଼ଙ୍କୁ ୫୦ ହଜାରରୁ ଆରମ୍ଭ କରି ୧ ଲକ୍ଷ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେଇଛନ୍ତି ଯାହା ଓଡ଼ିଶାରେ ପ୍ରଥମ ଥର ପାଇଁ ହୋଇଛି । ଶୀତଳ ଷଷ୍ଠୀ ଯାତ୍ରା ହେଉ କି ଧନୁଯାତ୍ରା ହେଉ କି ଓଡ଼ିଶାର ମନ୍ଦିର ମଠର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ଆର୍ଥିକ ସହଯୋଗ ପ୍ରଦାନ କରୁଛନ୍ତି । ଏହି ମହତ କାର୍ଯ୍ୟ ଆଗାମୀ ଦିନରେ ଜାରି ରହିବ ବୋଲି ସୂଚନା ଦେଇଥିଲେ ମାନ୍ୟବର l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score