Explore

Search

July 1, 2025 7:10 pm

Genres

ଭକ୍ତ ଓ ଭାଗବାନଙ୍କ ମିଳନର ଯାତ୍ରା : ରଥଯାତ୍ରା

ଆମ ଓଡ଼ିଆ ପରମ୍ପରାର ସବୁଠାରୁ ମହାନ୍ ପର୍ବ ହେଉଛି ରଥଯାତ୍ରା l ଯାହାକୁ ଅନେକାଂଶରେ ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜାଣିଥାନ୍ତି l ଓଡ଼ିଶା ରାଜ୍ଯର ପୁରୀଧାମରେ ପ୍ରତିବର୍ଷ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେଇ ଯାତ୍ରା ଅନୁଷ୍ଠିତ ହୁଏ l ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥିଦିନ ଏହି ଯାତ୍ରା ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମକ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ମଧ୍ଯ ଅଭିହିତ ହୋଇରହିଛି। ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି ।

ରଥ ନିର୍ମାଣ ଓ ପୁରାଣ କଥା-

ପୁରାଣ ଧର୍ମ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି ବୋଲି ମଧ୍ଯ କୁହାଯାଏ । ଯାହା କ୍ରମାଙ୍କ ଅନୁଯାୟୀ ପାଳନ କରଯାଏ l ଯାତ୍ରା ଗୋଟିଏ ମାତ୍ର ଏହାର ନାମ ଅନେକ ଯେପରିକି-

୧. ସ୍ନାନ ଉତ୍ସବ, ୨. ଅନବସର, ୩. ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, ୪. ଶ୍ରୀଗୁଣ୍ଡିଚା, ୫. ହେରାପଞ୍ଚମୀ, ୬. ଆଡ଼ପ ପର୍ବ, ୭. ବାହୁଡ଼ା ଯାତ୍ରା ଓ ୮. ନୀଳାଦ୍ରି ବିଜେ ।

ପୁନଶ୍ଚ ରଥଯାତ୍ରା ୫ ଭାଗରେ ବିଭକ୍ତ ଯଥା ୧. ଅନ୍ତର୍ବେଦୀ, ୨. ମହାବେଦୀ ମହୋତ୍ସବ, ୩. ଆଡ଼ପ ଉତ୍ସବ, ୪. ଦକ୍ଷିଣାମୁଖୀ ଉତ୍ସବ ଓ ୫. ନୀଳାଦ୍ରି ବିଜେ । ଏହାକୁ ଗୁଣ୍ଡିଚା ପଞ୍ଚକ କୁହଯାଏ ।

ଆସନ୍ତୁ ଜାଣିବା ତିନିରଥର ନିର୍ମାଣ ଶୈଳୀ –

ନନ୍ଦିଘୋଷ ରଥ-

ନନ୍ଦିଘୋଷ’ ବା ‘ଗରୁଡ଼ଧ୍ୱଜ’ ବା ‘କପିଳଧ୍ୱଜ’ ରଥରେ ଜଗନ୍ନାଥଙ୍କ ସହ ମଦନମୋହନ ବିଜେ କରନ୍ତି ।
ମୋଟ ୭୪୨ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ୬ ଇଞ୍ଚ ଅଟେ ।
ଏହି ରଥରେ ୧୬ଟି ଚକ (ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁଷ୍ୱସ୍ତି, ଜାଗୃତି, ତୁରୀୟ, ଆମ, ନିର୍ବାଣ) ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ।
ସାରଥି: ଦାରୁକ ।
ରଥର ଦଉଡ଼ି: ଶଙ୍ଖଚୂଡ଼ ।
ପରମ୍ପରା ମୁତାବକ ଧଳାରଙ୍ଗର ଚାରୋଟି ଘୋଡ଼ା (ଶଙ୍ଖ, ବଳାହକ, ଶ୍ୱେତ ଓ ହରିଦ୍ୱାଶ) ସ୍ଥାପନ କରାଯାଏ ।
ଏହାର ପତାକା ଗରୁଡ଼ ଚିହ୍ନାଙ୍କିତ ।
ଧ୍ୱଜପମୂର୍ତ୍ତି: ପଞ୍ଚମୁଖୀ ହନୁମାନ ।
ନାଲି ଓ ହଳଦିଆ ରଙ୍ଗର କପଡ଼ାରେ ରଥାବରଣ କରାଯାଏ ।
ନନ୍ଦିଘୋଷରେ ହରିହର, ପଣ୍ଡୁ ନୃସିଂହ, ଗିରିଧର, ଷଡ଼ଭୁଜ ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ସପ୍ତଫେଣ ସର୍ପରେ ଆସୀନ ମଧୁସୂଦନ ବା ବିଷ୍ଣୁ, ଲକ୍ଷ୍ମଣ, ପଞ୍ଚମୁଖୀ ମହାବୀର ପାର୍ଶ୍ୱଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

ତାଳଧ୍ୱଜ –

‘ତାଳଧ୍ୱଜ’ ବା ‘ଲଙ୍ଗଳ ଧ୍ୱଜ’ ରଥରେ ବଳଭଦ୍ରଙ୍କ ସହ ରାମକୃଷ୍ଣ ବିଜେ କରନ୍ତି।

ମୋଟ ୭୩୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ଅଟେ ।
ଏହି ରଥରେ ୧୪ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୬ ଇଞ୍ଚ।
ଦଧିନଉତି: ହିରଣ୍ମୟୀ
ସାରଥି: ମାତଳୀ ।
ରଥର ଦଉଡ଼ି: ବାସୁକୀ ।
ପରମ୍ପରା ମୁତାବକ କଳା ରଙ୍ଗର ଚାରୋଟି ଘୋଡ଼ା ଘୋଡ଼ା (ତୀବ୍ର, ଘୋର, ଦୀର୍ଘଶ୍ରମ ଏବଂ ସ୍ବର୍ଣ୍ଣନାଭ) ବା (ସ୍ଥିରା, ଧୃତି, ସ୍ଥିତି ଏବଂ ପ୍ରଜ୍ଞା) ବା (ଶଙ୍ଖ,ସୁଚ଼ିତ୍ର, ଅଙ୍ଗଦ ଏବଂ ମେଘନାଦ) ସ୍ଥାପନ କରାଯାଏ ।
ଧ୍ୱଜପମୂର୍ତ୍ତି: ଲକ୍ଷ୍ମୀନୃସିଂହ ।
ନାଲି ଓ ସବୁଜ ରଙ୍ଗର କପଡ଼ାରେ ରଥାବରଣ କରାଯାଏ ।
ତାଳଧ୍ୱଜ ରଥରେ ମହାଦେବ, ବାଇଶିଭୁଜ ନୃସିଂହ, ବଳରାମ, ନୃତ୍ୟ ଗଣପତି, ଲକ୍ଷ୍ମଣଙ୍କୁ ବହନ କରିଥିବା ଅଙ୍ଗଦ, ନାଟାମ୍ବର (ବୃଷଭ ଉପରେ ନୃତ୍ୟରତ ଶିବ), କାର୍ତ୍ତିକେଶ୍ୱର, ମଧୁକୈଟବଙ୍କ ସହ ବିଷ୍ଣୁଙ୍କ ଯୁଦ୍ଧ, ଅନନ୍ତବାସୁଦେବ ପାର୍ଶ୍ୱବଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

ଦର୍ପଦଳନ/ ଦେବଦଳନ –

‘ଦର୍ପଦଳନ’ ବା ‘ପଦ୍ମଧ୍ୱଜ’ ବା ‘ଦେବଦଳନ’ ରଥରେ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ବିଜେ କରନ୍ତି ।

ମୋଟ ୭୧୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୪ଫୁଟ ୬ ଇଞ୍ଚ ଅଟେ ।
ଏହି ରଥରେ ୧୨ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ ।
ସାରଥି: ଅର୍ଜୁନ ।
ରଥର ଦଉଡ଼ି: ସ୍ୱର୍ଣ୍ଣ୍ଣଚୂଡ଼ ।
ଧ୍ୱଜପମୂର୍ତ୍ତି: ଜୟଦୁର୍ଗା ।
ପରମ୍ପରା ମୁତାବକ ନାଲି ଚାରୋଟି ଘୋଡ଼ା (ରୋଚିକା, ମୋଚିକା, ଜିତା, ଅପରାଜିତା) ସ୍ଥାପନ କରାଯାଏ ।
ନାଲି ଓ କଳା ରଙ୍ଗର କପଡ଼ାରେ ରଥାବରଣ କରାଯାଏ ।
ଦର୍ପଦଳନରେ ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ(ଶବରୂଢ଼ା ଚତୁର୍ଭୁଜା), ବନଦୁର୍ଗା ବା କଣ୍ଟକାଢ଼ି, କାତ୍ୟାୟନୀ (ଅଷ୍ଟଭୁଜା ଦୁର୍ଗା), ହରଚଣ୍ଡୀ, ରାମଚଣ୍ଡୀ (ଅଷ୍ଟଭୁଜା ଓ ବାମହାତ କାଣି ଆଙ୍ଗୁଠିକୁ ପାଟିରେ ଚୁଚୁମିଛନ୍ତି), ଅଘୋରା ପାର୍ଶ୍ୱଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।
ଶ୍ରୀଜଗନ୍ନାଥଙ୍କ ରଥର ୧୬ ଚକ ଷୋଳକଳାର, ବଳଭଦ୍ରଙ୍କର ୧୪ ଚକ ଚତୁର୍ଦ୍ଦଶ ମନ୍ୱନ୍ତରର ଓ ସୁଭଦ୍ରାଙ୍କ ୧୨ ଚକ ବାରମାସର ଦୃଷ୍ଟି ଆକର୍ଷଣ କରିଥାଏ । ତିନି ରଥର ଦଧିନଉତି : ହିରଣ୍ୟଗର୍ଭ, ହିରଣ୍ମୟୀ, ଭୁବନକୋଷ । ଏହି ତିନି ଦଧିନଉତି ଉପରେ ମୋଟ ୯ଟି ପିତଳ କଳସ (ନଭ, ଆକାଶ, ବ୍ୟୋମ, ପରା, ଅପରା, ବୈଖାରୀ, ଚନ୍ଦ୍ର, ସୂର୍ଯ୍ୟ, ବିଦ୍ୟୁତ) ସ୍ଥାପନ କରାଯାଏ ।

ରଥଯାତ୍ରାର ଅନ୍ୟାନ୍ୟ ନାମ ଓ ଅର୍ଥ-

ଘୋଷଯାତ୍ରା: ବିଶ୍ୱର ମଙ୍ଗଳ ଘୋଷଣା କରୁଥିବାରୁ ବା ନ‌ନ୍ଦିଘୋଷ ରଥରେ ବସି ଯାତ୍ରା କରୁଥିବାରୁ ଘୋଷଯାତ୍ରା ।
ଆଡ଼ପମଣ୍ଡପ ଯାତ୍ରା: ଗୁଣ୍ଡିଚା ମଣ୍ଡପରେ ଥିବା ଆଡ଼ପମଣ୍ଡପରେ ବିଜେ କରୁଥିବାରୁ ଆଡ଼ପମଣ୍ଡପ ଯାତ୍ରା ।
ଜନ୍ମ‌ବେଦୀ ବା ଅନ୍ତର୍ବେଦୀ ଯାତ୍ରା: ପ୍ରଭୁଙ୍କର ଜନ୍ମ ବେଦୀ ଆଡ଼ପମଣ୍ଡପଠାରେ ହୋଇଥିବାରୁ ଜନ୍ମ‌ବେଦୀ ବା ଅନ୍ତର୍ବେଦୀ ଯାତ୍ରା ।
ଦଶାବତାର ଯାତ୍ରା: ଗୁଣ୍ଡିଚା ଘରେ ଦଶ ଅବତାର ବେଶ ହେଉଥିବାରୁ ଦଶାବତାର ଯାତ୍ରା ।
ପତିତପାବନ ଯାତ୍ରା: ପତିତମାନଙ୍କୁ ଉଦ୍ଧାର କରିବାକୁ ଏହି ଯାତ୍ରା ହେଉଥିବାରୁ ପତିତପାବନ ଯାତ୍ରା ।
ନବଦିନାତ୍ମକ ଯାତ୍ରା: ଏହି ଯାତ୍ରା ଯିବା ଆସିବା ଓ ରହଣୀକୁ ମିଶେଇ ୯ ଦିନ ହେଉଥିବାରୁ ନବଦିନାତ୍ମକ ଯାତ୍ରା ।
ଗୁଣ୍ଡିଚା ଯାତ୍ରା: ଗୁଣ୍ଡିଚା ଘରକୁ ଯାତ୍ରା କରୁଥିବାରୁ ଏହା ଗୁଣ୍ଡିଚା ଯାତ୍ରା ।

ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ପ୍ରଦାନ କରିଛନ୍ତି ଯେ ଋକବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ଦେଖାଯାଏ । ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ । ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାଦ୍ଦୀରୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ମଧ୍ୟରେ ଖୋଦିତ ହୋଇଥିବା କେତେକ ପ୍ରାଚୀନ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କ ରଥଯାତ୍ରାର ସମ୍ୟକ୍ ନିଦର୍ଶନ ମିଳିଥାଏ । ତେଣୁ ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ ପରିକଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରସ୍ଥ ମହାପ୍ରଭୁଙ୍କ ରଥଯାତ୍ରା। ଯେଉଁ ସବୁ ରଥଯାତ୍ରାର ଉଲ୍ଲେଖ ହୋଇଛି ସେଥି ମଧ୍ୟରେ ପୁରୀର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ସବୁଠାରୁ ଅଧିକ ଜନାଦୃତ ଓ ପ୍ରସାରିତ । କେତେକ ଗବେଷକ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ପରମ୍ପରାରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରନ୍ତି । କାରଣ ଖ୍ରୀଷ୍ଟୀୟ ପଞ୍ଚମ ଶତାଦ୍ଦୀର ପ୍ରାରମ୍ଭରେ ଚୀନ ପରିବ୍ରାଜକ ଫାହିୟାନ୍ ଖୋଟାନରେ ଅନୁଷ୍ଠିତ ରଥଯାତ୍ରାର ଯେଉଁ ବିବରଣୀ ଲିପିବଦ୍ଧ କରିଛନ୍ତି, ତାହା ଆଜିସୁଦ୍ଧା ପ୍ରଚଳିତ ଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ସହ ମେଳ ଖାଉଛି ।

ଶାସ୍ତ୍ରକାରଙ୍କ ମତ ଓ ଘୋଷଯାତ୍ରା-

ବିଦ୍ଵାନ ହରିହର କାନୁନଗୋଙ୍କ ମତରେ ଜଗନ୍ନାଥଙ୍କ ରଥଯାତ୍ରା ଏକ ବୌଦ୍ଧ ଅନୁଷ୍ଠାନ । ସିଂହଳରେ ଯେଉଁ ରଥଯାତ୍ରା ପାଳିତ ହୁଏ, ସେଥିରେ ବୁଦ୍ଧଙ୍କ ଦନ୍ତକୁ ବୈଶାଖ ଶୁକ୍ଳ ତ୍ରୟୋଦଶୀ ଦିନ ବାହାର କରି ହାତୀ ଉପରେ ଥୋଇ ମହା ସମାରୋହରେ ଶୋଭାଯାତ୍ରାରେ ନିଆଯାଏ ଓ ନଗରର ରାଜମାର୍ଗ ମାନ ବୁଲାଇ ସେହି ଦନ୍ତକୁ ଶେଷରେ ଏକ ମଣ୍ଡପରେ ସ୍ଥାପନ କରାହୁଏ। ସେଠାରେ ଛଅଦିନ ରହିବା ପରେ ପୁଣି ଦନ୍ତ ମନ୍ଦିରକୁ ଫେରି ଆସେ । ପୁରୀରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଜଗନ୍ନାଥ ମହାପ୍ରଭୁ କାଷ୍ଠ ନିର୍ମିତ ରଥରେ ବାହାରି ଶୀକ୍ଷେତ୍ରର ବଡ଼ଦାଣ୍ଡ ଅତିକ୍ରମ କରି ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚନ୍ତି ଏବଂ ସେଠାରେ ୭ଦିନ ରହି ପୁଣି ଶୁକ୍ଳ ଦଶମୀ ଦିନ ଶ୍ରୀମନ୍ଦିରରକୁ ବାହୁଡା ବିଜେରେ ଫେରିଥାନ୍ତି ।

ପୁରାତତ୍ତ୍ୱବିତ ରାଜେନ୍ଦ୍ର ଲାଲ ମିତ୍ରଙ୍କ ମତନୁଯାୟୀ ପୁରୀର ରଥଯାତ୍ରା ବୁଦ୍ଧଦେବଙ୍କ ଜନ୍ମୋତ୍ସବ ପାଳନର ସ୍ମୃତି ମାତ୍ର। ଷୋଡ଼ଶ ଶତାଦ୍ଦୀରେ ରଚିତ ମାଦଳା ପାଞ୍ଜିରେ ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ଦେଖିବାକୁ ମିଳେ । ଏଥିରେ ଉଲ୍ଲେଖ ଅଛି ଯେ, ବୀର ନରସିଂହ ଦେବ ରାଜା ରାଜ୍ୟ କଲେ। ଏ ରାଜା ବାଙ୍କୀ ମୁହାଣ ପୋତାଇଲେ । ଛଅ ରଥ ହେଉଥିଲା, ରାଜା ତାହା ପୋତାଇ ତିନି ରଥ କରାଇଲେ । ଗୁଣ୍ଡିଚା ଘର ଦେଉଳ କାଠ ମଣ୍ଡପ ହୋଇଥିଲା, ତାହା ପଥର ମଣ୍ଡପ କଲେ । ଏ ଦୁଇ ପାଖେ ବଳଗଣ୍ଡି କଲେ ।

ଜଣେ ଗବେଷକ ଲାଙ୍ଗୁଳା ନରସିଂହ ଦେବଙ୍କ ପରବର୍ତ୍ତୀ ରାଜା ଭାନୁଦେବଙ୍କ (ଖ୍ରୀ.ଅ ୧୨୬୪-୧୨୭୮)ଙ୍କ ସମୟରେ ଛଅ ରଥ ପରିବର୍ତ୍ତେ ତିନି ରଥ ହେବାର ବ୍ୟବସ୍ଥା ହୋଇଥିଲା ବୋଲି ଉଲ୍ଲେଖ କରିଛନ୍ତି । ଏହି ଛଅ ରଥ କେବେଠାରୁ ଶ୍ରୀକ୍ଷେତ୍ରରେ ପ୍ରଚଳିତ ହେଲା, ସେ ସମ୍ପର୍କରେ ମାଦଳା ପାଞ୍ଜିରୁ କୈଣସି ତଥ୍ୟ ମିଳୁନାହିଁ । କିନ୍ତୁ ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ପୁରୀରେ ରଥ ଯାତ୍ରା ଅନୁଷ୍ଠିତ ହେଉଥିବାର ପ୍ରମାଣ ମିଳୁଛି। ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ରଚିତ ସ୍କନ୍ଧ ପୁରାଣ ଉତ୍କଳ ଖଣ୍ଡର ପୁରୁଷୋତ୍ତମ ମାହାତ୍ମ୍ୟରେ ରଥଯାତ୍ରାର ସବିଶେଷ ବିବରଣୀ ବର୍ଣ୍ଣନା ରହିଛି।

ଖ୍ରୀ.ଅ ଅଷ୍ଟମ ବା ନବମ ଶତାଦ୍ଦୀରେ ସୋମବଂଶୀ ରାଜା ଯଯାତି କେଶରୀଙ୍କ ସମୟରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବିଷୟ ଭିକାରୀ ପଟ୍ଟନାୟକଙ୍କ ୧୮୫୯ ସାଲରେ ରଚିତ ରଥ ଚକଡା ପୋଥିରୁ ଉଦ୍ଧାର କରି ଗବେଷକ ସଦାଶିବ ରଥଶର୍ମା ପ୍ରକାଶ କରିଛନ୍ତି । ଏହି ରଥ ଚକଡା ପାଣ୍ଡୁଲିପିଟି ପୁରୀ ବାସେଳି ସାହିର ତତକାଳୀନ ରଥ ଅମୀନ ଓ ରଥକାର ଫକୀର ମହାପାତ୍ରଙ୍କଠାରୁ ପ୍ରାପ୍ତ ଓ ପୁରୀ ବଡ଼ ଓଡ଼ିଆ ମଠରେ ତାହା ସୁରକ୍ଷିତ ଥିଲା ବୋଲି ରଥଶର୍ମା ଉଲ୍ଲେଖ କରିଛନ୍ତି। ଯଯାତିଙ୍କ ବେଳେ ଜଗନ୍ନାଥ ମନ୍ଦିରର ଉଚ୍ଚତା ମାତ୍ର ୪୮ ହାତ ଥିଲା। ଠାକୁରେ ୨ହାତ ୧୦ଆଙ୍ଗୁଳର ଥିଲେ ଓ ରଥମାନ ୧୮ ହାତ ଉଚ୍ଚ ଥିଲା । ତିନି ରଥ ବୋଧେ ସମାନ ଥିଲା। ରଥ ଛଅ ଗୋଟି ହେଉଥିଲା । ବଳଗଣ୍ଡି ପର୍ଯ୍ୟନ୍ତ ତିନିରଥ ଯାଉଥିଲା । ଇନ୍ଦ୍ରଦ୍ୟୁମ୍ନ ପାଟଣାରେ ତିନିରଥ ନିର୍ମାଣ କରାଯାଉଥିଲା। ଏହା ଚାରି ଚକିଆ ଶଗଡି ସଦୃଶ୍ୟ ହେଉଥିଲା । ଏହି ତିନିଗୋଟି ରଥ ମାଳିନୀ ବା ବଡ଼ ନଈର ଉତ୍ତର ଭୂମିରେ ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ଘରକୁ ଯାଉଥିଲା । ସିଂହଦ୍ୱାରଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିବା ରଥ ଷୋହଳ ଚକିଆ , ଚଉଦ ଚକିଆ ଓ ବାର ଚକିଆ। ରଥ ଉପରେ ସୁନାର ତିନିବେଣ୍ଟିଆ ଧ୍ୱଜ କଳସ ଲାଗୁଥିଲା। କନକ ମୁଣ୍ଡାଇରେ ରତ୍ନ ଚାନ୍ଦୁଆ ଟଣା ହେଉଥିଲା। ଅନ୍ୟ ଗୋଟିଏ ଛୋଟ ରଥରେ ବଜନ୍ତରି, ରଥ ଘଣ୍ଟୁଆ, ବାଦ୍ୟକାରମାନେ ଯାଉଥିଲେ ଆଗେ ଆଗେ। ପଛରେ ତିନି ରଥକୁ ଟାଣୁଥିଲେ ଭକତମାନେ । ରଥରେ ଚାଉଳ, ନଡିଆ ଖଣ୍ଡ ପଡି ଭୋଗ ଲାଗୁଥିଲା । ତାହା ଅଳ୍ପ ସଂଖ୍ୟକ ସମବେତ ଭକ୍ତଗଣଙ୍କୁ ବଣ୍ଟନ କରାଯାଉଥିଲା । ବଳଗଣ୍ଡିଠାରେ ରଥ ପହଞ୍ଚିଲେ ଦୋଳଚାପରେ ନଈ ପାରି ହୋଇ ଅର ପଟକୁ ଠାକୁରମାନେ ବିଜେ କରି ଚାରି ଚକିଆ ଶଗଡି ରଥରେ ବସି ଗୁଣ୍ଡିଚା ମନ୍ଦିର ବେଢାକୁ ଯାଆନ୍ତି । ସାତ ଦିନ ପରେ ନବଦିନ ଯାତ୍ରା ସମାପ୍ତ କରି ବାହୁଡା ଯାତ୍ରା ହେଉଥିଲା।

ପ୍ରାବନ୍ଧକ ଡକ୍ଟର ହରିହର କାନୁନଗୋଙ୍କ ମତରେ ଯଯାତିଙ୍କ ସମୟରେ ହୋଇଥିବା ଘଟଣାଟି ବିଶ୍ୱାସଯୋଗ୍ୟ ମନେହୁଏ। ସମ୍ଭବତଃ ଜଗନ୍ନାଥଙ୍କୁ ୩୮ହାତର ଏକ ପଟୋଳରେ ସ୍ଥାପନା କଲା ବେଳେ ପୂର୍ବରୁ ଅନୁସୃତ ରଥଯାତ୍ରା ପରମ୍ପରାର ପ୍ରଭାବରେ ଯଯାତି ଏହି ରଥଯାତ୍ରାର ପ୍ରଚଳନ କରିଥିଲେ । ପରବର୍ତ୍ତୀ ଦ୍ୱାଦଶ ଶତାଦ୍ଦୀରେ ୧୦୦ ହାତର କିମ୍ବା ୧୨୫ ହାତର ବଡ଼ ଦେଉଳ ନିର୍ମାଣ ସମାପ୍ତି ଓ ଠାକୁରମାନଙ୍କ ବିଜେ ତୃତୀୟ ଅନଙ୍ଗଭୀମ ଦେବ (ଖ୍ରୀ.ଅ.୧୨୧୧-୧୨୩୮)ଙ୍କ ସମୟ ହୋଇଥିବାରୁ ସେହି ବର୍ଷଠାରୁ ପୂର୍ବ ସ୍ମୃତିକୁ ମନେ ରଖିବା ପାଇଁ ବଡ଼ ଦେଉଳରୁ ଗୁଣ୍ଡିଚା ଘରକୁ ଦିଅଁଙ୍କର ରଥଯାତ୍ରା ଦକ୍ଷିଣାଭିମୁଖୀରେ ହୋଇଥିବା ସମ୍ଭବପର । ଯଯାତିଙ୍କ ସମୟରେ ବଡ଼ ଦାଣ୍ଡର ବଳଗଣ୍ଡିଠାରେ ମାଳିନୀ ନଦୀ ପ୍ରବାହିତ ହେଉଥିବାରୁ ଛଅ ରଥ ନିର୍ମାଣ କରାଯାଉଥିଲା ଏବଂ ବୀର ନରସିଂହ ଦେବ ଓରଫ ପ୍ରଥମ ଭାନୁଦେବ (ଖ୍ରୀ.ଅ.୧୨୬୪-୧୨୭୮) କିମ୍ବା ଦ୍ୱିତୀୟ ନରସିଂହ ଦେବ (ଖ୍ରୀ.ଅ ୧୨୭୮-୧୩୦୭)ଙ୍କ ସମୟରେ ଏହି ମାଳିନୀ ନଦୀ (ଶରଧାବାଲି)କୁ ପୋତି ଦେବା ଫଳରେ ଛଅ ରଥ ପରିବର୍ତ୍ତେ ତିନି ରଥ ତିନି ରଥ ନିର୍ମିତ ହୋଇ ଆସୁଅଛି।

ଅପରପକ୍ଷରେ ଗବେଷକ ଡଃ ନୀଳକଣ୍ଠ ମିଶ୍ର ଉଲ୍ଲେଖ କରିଛନ୍ତି ଯେ, ଖ୍ରୀ.ଅ ୧୨୭୦ରେ ମାଧବାଚାର୍ଯ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ କାଳରେ ଏକ ଯାତ୍ରାରେ ଦୁଇ ପ୍ରକାର ରଥ ବ୍ୟବହାର ଶାସ୍ତ୍ର ବିରୋଧୀ ବୋଲି ମତ ଦେଇ ମାଳିନୀ ନଦୀ ପୋତି ବଡ଼ଦାଣ୍ଡରେ ମାତ୍ର ତିନି ଗୋଟି ରଥରେ ରଥଯାତ୍ରା ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ତେଣୁ ଗଙ୍ଗ ସମ୍ରାଟ ଅନଙ୍ଗ ଭୀମ ଦେବଙ୍କ ପୁତ୍ର ପ୍ରଥମ ଭାନୁଦେବ (୧୨୬୪-୧୨୮୭ ଏ ବ୍ୟବସ୍ଥା କରିଥିଲେ । ମାଳିନୀ ବା ଶରଧା ନଦୀ ପୋତା ହେଲା ପରେ ଏହା ବଡ଼ ଦାଣ୍ଡରେ ପରିଣତ ହେଲା ।

ଖ୍ରୀଷ୍ଟୀୟ ନବମ ଶତାଦ୍ଦୀର କବି ମୁରାରୀ ମିଶ୍ର ସ୍ୱୀୟ ସୃଷ୍ଟିରେ ରଥଯାତ୍ରା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ବୋଲି କେତେକ ଅଲୋଚକ ମତପୋଷଣ କରିଛନ୍ତି । ଶ୍ରୀବିଗ୍ରହମାନଙ୍କ ରଥଯାତ୍ରା କାଳରେ ମୁରାରୀ ମିଶ୍ରଙ୍କ ରଚିତ ସୁପ୍ରସିଦ୍ଧ ସଂସ୍କୃତ ନାଟକ ଅନର୍ଘ ରାଘବ ସମେତ ବହୁ ସଂସ୍କୃତ କାବ୍ୟ ଭକ୍ତମାନଙ୍କର ଚିତ୍ତ ବିନୋଦନ ପାଇଁ ଅଭିନୀତ ହେଉଥିବାରୁ ସୂଚନା ତାଙ୍କ ରଚନାରୁ ମିଳିଥାଏ । କବି ମୁରାରୀ ମିଶ୍ରଙ୍କ ରଚନାରୁ ଜଣାଯାଏ ଯେ, ଭାଗବତଃ ପୁରୁଷୋତ୍ତମସ୍ୟ ଯାତ୍ରାୟା ମୁପସ୍ଥାନୀୟା ସଭାସଦଃ। ଏଠାରେ ଶ୍ରୀପୁରୁଷୋତ୍ତମ ବା ଶ୍ରୀଜଗନ୍ନାଥଙ୍କ ଯେଉଁ ଯାତ୍ରାର ନାମ ଉଲ୍ଲେଖ କରିଛନ୍ତି, ତାହା ଆଲୋଚକମାନଙ୍କଦ୍ୱାରା ରଥଯାତ୍ରା ରୂପେ ଗୃହୀତ ହୋଇଛି। ମାତ୍ର ବର୍ଣ୍ଣିତ ଯାତ୍ରାର କାଳ ନିରୂପିତ ହୋଇନଥିବାରୁ ଏହାକୁ ରଥଯାତ୍ରା ଭାବରେ ଗ୍ରହଣ କରିବାରେ ମତଦ୍ୱୈଧ ପରିଲକ୍ଷିତ ହୋଇଥାଏ ।

ବିଶିଷ୍ଟ ଐତିହାସିକ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ୧୨୨୩ ଖ୍ରୀଷ୍ଟାବ୍ଦର ପରବର୍ତ୍ତୀ କାଳରେ ରଥଯାତ୍ରା ପ୍ରଚଳନ କଥା ଉଲ୍ଲେଖ କରିଛନ୍ତି । ରାଜଗୁରୁଙ୍କ ମତରେ ୧୨୨୩ ଖ୍ରୀଷ୍ଟାବ୍ଦ ପରେ କୈଣସି ସମୟରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଦାରୁ ନିର୍ମିତ ହେବାରେ ଓ ଆଦିବାସୀ ଦଇତାମାନେ ଶ୍ରୀଜଗନ୍ନାଥଙ୍କ ସେବକ ରୂପେ ନିଯୁକ୍ତି ହେବାର ରଥଯାତ୍ରାର ସୃଷ୍ଟି ହୋଇଛି।

ସ୍ଵତନ୍ତ୍ର ରୀତିନୀତି-

ଦୈନଦିନ ରୀତିନୀତି ଅପେକ୍ଷା ରଥଯାତ୍ରାରେ ମହାବାହୁଙ୍କ ସ୍ଵତନ୍ତ୍ର ରୀତିନୀତି ଅନୁଷ୍ଠିତ ହୋଇଥାଏ l ଯେପରିକି-

ନବ ଯୌବନ ଦର୍ଶନ (ନେତ୍ରୋତ୍ସବ) : ଚକା ଅପସର, ମଙ୍ଗଳ ଆରତି, ମଇଲମ, ଅବକାଶ, ଦଶ ଅବତାର ଦିଅଁ ବାହୁଡା଼ ବିଜେ, ତାଟି ଫିଟିବା, ପରିମାଣିକ ଦର୍ଶନ, ସର୍ବ ସାଧାରଣ ଦର୍ଶନ, ଦଇତାପତି ସର୍ବାଙ୍ଗ, ବନ୍ଦାପନ, ରୋଷ ହୋମ, ରାଜନୀତି, ଯାତ୍ରାଙ୍ଗୀ, ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ, ଗୋପାଳବଲ୍ଲଭ ଓ ଘଣ୍ଟଛତା, ସକାଳ ଧୂପ (କେବଳ କୋଠ ଭୋଗ), ଭୋଗ ମଣ୍ଡପ ଆରମ୍ଭ, ରଥ ଆଜ୍ଞାମାଳ ବିଜେ, ଭୋଗ ମଣ୍ଡପ ପୂଜା ଶେଷ, ମଧ୍ୟାହ୍ନ ଧୂପ (କେବଳ କୋଠ ଭୋଗ), ଅଙ୍କୁରାରୋପଣ ଓ ଆବଶ୍ୟକ ହେଲେ ୩ୟ ଭୋଗ ମଣ୍ଡପ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ,ପହୁଡ଼ ଆଳତି, ଶ୍ରୀମୁଖ ଖଣ୍ଡୁଆ, ବାହୁଟ କଣ୍ଟ (ଗୁପ୍ତ ନୀତି), ସେନାପଟା ଲାଗି (ଗୁପ୍ତ ନୀତି) ।

ସୂଚନାଯୋଗ୍ୟ ଯେ, ଯେଉଁ ବର୍ଷ ଉଭା ପଡିଥାଏ, ଉକ୍ତ ଦିନ ରଥଖଳାରୁ ତିନି ରଥ ଟଣାଯାଇ ସିଂହଦ୍ୱାରକୁ ଅଣାଯାଇଥାଏ।

ଶ୍ରୀଗୁଣ୍ଡିଚା (ରଥଯାତ୍ରା) : ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ, ବଲ୍ଲଭ ଓ ସକାଳ ଧୂପ, ରଥ ପ୍ରତିଷ୍ଠା ମଙ୍ଗଳାର୍ପଣ, ପହଣ୍ଡି ଆରମ୍ଭ, ପହଣ୍ଡି ଶେଷ, ମଦନମୋହନ, ରାମ , କୃଷ୍ଣ ବିଜେ, ଚିତା ଲାଗି, ଛେରା ପହଁରା, ଚାରମାଳ ଫିଟା ଓ ଘୋଡ଼ା଼ ସାରଥୀ ଲାଗିବା ଓ ରଥଟଣା ଆରମ୍ଭ ।
ସନ୍ଧ୍ୟା ଦର୍ଶନ : ଦ୍ୱାର ଫିଟା,ମଙ୍ଗଳ ଆଳତି , ମଇଲମ ଓ ତଡ଼ପ ଲାଗି, ଅବକାଶ,ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ, ଗୋପାଳ ବଲ୍ଲଭ, ସକାଳ ଧୂପ, , ଭୋଗ ମଣ୍ଡପ, ଯାତ୍ରାଙ୍ଗୀ ମହାସ୍ନାନ, ସର୍ବାଙ୍ଗ, ନୂଆଲାଗି ଲାଗି ବେଶ, ମଧ୍ୟାହ୍ନ ଧୂପ, ୨ୟ ଭୋଗ ମଣ୍ଡପ, ମଇଲମ ଓ ବେଶ, ପହୁଡ଼ ଆଳତି, ଶ୍ରୀମୁଖ ଖଣ୍ଟୁଆ, ବାହୁଟ କଣ୍ଟ, ଚାର ବନ୍ଧା, କୁସୁମି ଲାଗି, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ (କେବଳ କୋଠ ଭୋଗ), ୩ୟ ଭୋଗ ମଣ୍ଡପ, ରାହସକୁ ଦିଅଁ ବିଜେ, ମଇଲମ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ବଡ଼ ସିଂହାର ଭୋଗ ।

ଆମ ଓଡ଼ିଆ ଜାତିର ମଉଡ଼ମଣି ହେଉଛନ୍ତି କାଳିଆ ସାଆନ୍ତ l ରଥଯାତ୍ରା କେବଳ ଓଡ଼ିଶା କି ଭାରତ ନୁହେଁ ସମଗ୍ର ବିଶ୍ୱରେ ଏହା ପରିଚିତ l ବର୍ଷକୁ ଥରେ ଠାକୁର ଆସନ୍ତି ନିଜର ଅଗଣିତ ଭକ୍ତ ମାନଙ୍କୁ ଆଲିଙ୍ଗନ କରିବା ପାଇଁ ଯାହାକୁ ଦେଖି ଭକ୍ତ ଆଖିରୁ ଝରି ପଡେ ଆନନ୍ଦ ଅଶ୍ରୁ ଓ ପାଟିରୁ ବାହାରିଯାଏ ” ଜୟ ଜଗନ୍ନାଥ” l

ପ୍ରସ୍ତୁତି- ଦେବୀ ପ୍ରସାଦ ରଥ

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score