Explore

Search

February 6, 2025 12:28 am

Genres

ପରଲୋକରେ ମନମୋହନ ସିଂହ, ୯୨ ବର୍ଷ ବୟସରେ ଆଖି ବୁଜିଲେ ପୂର୍ବତନ ପ୍ରଧାନମନ୍ତ୍ରୀ

Manmohan Singh: Former Indian Prime Minister dies at 92

୯୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ l ତାଙ୍କ ପରଲୋକ ନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ପ୍ରେସ୍‌ ରିଲିଜ୍‌ ଜାରି କରାଯାଇଛି l ରାତି ୯.୫୧ରେ ମନମୋହନ ସିଂହ ମୃତ୍ୟୁ ନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।ଦିଲ୍ଲୀ ଏମ୍ସ ପକ୍ଷରୁ ଜାରି ହୋଇଥିବା ପ୍ରେସ୍‌ ରିଲିଜ୍‌ କହୁଯାଇଛି କି ବୟସାଧିକ କାରଣରୁ ହଠାତ୍ ଅସୁସ୍ଥ ପରେ ଆଜି ରାତି ୮.୦୬ ମିନିଟ୍‌ରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ତେବେ ରାତି ୯.୫୧ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଦିଲ୍ଲୀ ଏମ୍ସ ପକ୍ଷରୁ କୁହାଯାଇଛି । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ ମନମୋହନ ସିଂହ ।

ସୂଚନା ଅନୁସାରେ ୧୯୯୦ ମସିହାରେ ମନମୋହନ ସିଂହଙ୍କର ବାଇପାସ୍ ସର୍ଜରୀ କରାଯାଇଥିଲା । ୨୦୦୪ରେ ଷ୍ଟେଣ୍ଟ୍ ଲଗାଯାଇଥିଲା । ଏହା ପରେ, ସେ ୨୦୦୯ରେ ପୁନର୍ବାର ହାର୍ଟ ସର୍ଜରୀ କରିଥିଲେ।ଡକ୍ଟର ମନମୋହନ ସିଂହ ୨୬ ସେପ୍ଟେମ୍ବର ୧୯୩୨ ମସିହାରେ ଅବିଭକ୍ତ ଭାରତର ପଞ୍ଜାବ ପ୍ରଦେଶର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସାଧାରଣ ପୃଷ୍ଠଭୂମିରୁ ଆସି ମନମୋହନ ସିଂହ ତାଙ୍କ ଜୀବନରେ ଶିକ୍ଷା, ଅର୍ଥନୀତି ଏବଂ ରାଜନୀତିରେ ଅସାଧାରଣ ସଫଳତା ହାସଲ କରିଥିଲେ । ଡକ୍ଟର ମନମୋହନ ସିଂହ ୧୯୪୮ରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ପରେ ସେ ୧୯୫୭ ମସିହାରେ କେମ୍ବ୍ରିଜ ୟୁନିଭରସିଟିରୁ ଅର୍ଥନୀତିରେ ପ୍ରଥମ ଶ୍ରେଣୀରେ ଡିଗ୍ରୀ ହାସଲ କରିଥିଲେ । ସେ ୧୯୬୨ ମସିହାରେ ଅକ୍ସଫୋର୍ଡ ୟୁନିର୍ଭସିଟିର ନଫିଲ୍ଡ କଲେଜରୁ ଅର୍ଥନୀତିରେ ଡି.ଫିଲ ଡିଗ୍ରୀ ହାସଲ କରିଥିଲେ ।

୧୯୭୧ ମସିହାରେ ଡକ୍ଟର ସିଂହ ଭାରତ ସରକାରରେ ଯୋଗ ଦେଇଥିଲେ ଏବଂ ବାଣିଜ୍ୟ ମନ୍ତ୍ରଣାଳୟରେ ଅର୍ଥନୈତିକ ପରାମର୍ଶଦାତା ହୋଇଥିଲେ । ୧୯୭୨ରେ, ସେ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ । ଏହା ପରେ ସେ ଅର୍ଥ ମନ୍ତ୍ରଣାଳୟର ସଚିବ, ଯୋଜନା ଆୟୋଗର ଡେପୁଟି ଚେୟାରମ୍ୟାନ୍, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର, ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ ।

୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ମନମୋହନ ସିଂହ ଭାରତର ଅର୍ଥମନ୍ତ୍ରୀ ଥିଲେ । ଏହି ସମୟ ମଧ୍ୟରେ ସେ ଅର୍ଥନୈତିକ ସଂସ୍କାରର ଏକ ବିସ୍ତୃତ ନୀତି ପ୍ରଣୟନ କରିଥିଲେ, ଯାହା ସାରା ବିଶ୍ୱରେ ପ୍ରଶଂସିତ ହୋଇଥିଲା । ଏହି ସଂସ୍କାର ଭାରତକୁ ଅର୍ଥନୈତିକ ସଙ୍କଟରୁ ବାହାର କରି ଏକ ନୂତନ ଦିଗ ଦେଇଥିଲା । ଡକ୍ଟର ମନମୋହନ ସିଂହ ୧୯୯୧ରେ ପ୍ରଥମ ଥର ପାଇଁ ରାଜ୍ୟସଭାର ସଦସ୍ୟ ହୋଇଥିଲେ । ସେ ଆସାମକୁ ପାଞ୍ଚ ଥର ପ୍ରତିନିଧିତ୍ୱ କରିଥିଲେ ଏବଂ ୨୦୧୯ରେ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ହୋଇଥିଲେ । ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ, ଯେତେବେଳେ ଭାରତୀୟ ଜନତା ପାର୍ଟି କ୍ଷମତାରେ ଥିଲା, ସେତେବେଳେ ଡକ୍ଟର ସିଂହ ରାଜ୍ୟସଭାରେ ବିରୋଧୀ ଦଳର ନେତା ଥିଲେ । ସେ ୧୯୯୯ରେ ଦକ୍ଷିଣ ଦିଲ୍ଲୀରୁ ଲୋକସଭା ନିର୍ବାଚନ ​​ମଧ୍ୟ ଲଢ଼ିଥିଲେ । କିନ୍ତୁ ବିଜୟର ସ୍ୱାଦ ଚାଖି ପାରିନଥିଲେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score