ଭୁବନେଶ୍ବର/କଟକ/ପୁରୀ: ଦିନକୁ ଦିନ ଭୁବନେଶ୍ଵର ରେ ଜନସଂଖ୍ୟା ବୃଦ୍ଧି ପାଇବା ସହିତ ଯାନବାହାନ ଚଳାଚଳ ମଧ୍ଯ ବଢୁଛି ଏହାର ସୁନିୟନ୍ତ୍ରଣ କରିବା ପାଇଁ ରାଜ୍ଯ ଲୋକସେବା ଭବନରେ ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ଉପସ୍ଥାପନ କରିଛନ୍ତି ଦୁଇ ପ୍ରମୁଖ ବିଭାଗ, ପୂର୍ତ୍ତ, ଗୃହ ଓ ନଗର ଉନ୍ନୟନ ବିଭାଗ। ଅର୍ବାନ୍ ପ୍ଲାନର ଏହାକୁ ସ୍ବାଗତ କରିଥିବା ବେଳେ ଗ୍ରାଉଣ୍ଡ ଜିରୋରୁ ବି ଆସିଛି ବାସ୍ତବ ଚିତ୍ର ।
ତେଣୁ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଫଳରେ ସହରରେ ନୂଆ ରାସ୍ତା ନିର୍ମାଣ, ପୁରୁଣା ରାସ୍ତାର ଉନ୍ନତୀକରଣ ଓ ଫ୍ଲାଇ ଓଭର, ରୋଡ୍ ଓଭର ବ୍ରିଜ୍ ଏବଂ ରିଂ ରୋଡ ନିର୍ମାଣ ପାଇଁ ହୋଇଛି ପ୍ଲାନ୍ । ପୂର୍ତ୍ତ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରାଯାଇଛି। ଯେଉଁଥିରେ ରହିଛି ଜୟଦେବ ବିହାର-ନନ୍ଦନକାନନ ନୂଆ ରାସ୍ତା, ଦୟା ୱେଷ୍ଟ କେନାଲ ଉପରେ ପଟିଆ ଷ୍ଟେସନ ଛକଠାରୁ ଜାତୀୟ ରାଜପଥ-୧୬ ପର୍ଯ୍ୟନ୍ତ ରିଂ ରୋଡ୍, ସୁନ୍ଦରପଦା-ଜଟଣୀ ରାସ୍ତାର ଉନ୍ନତିକରଣ, ପିତାପଲ୍ଲୀ-ତ୍ରିଶୂଳିଆ ରାସ୍ତାର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକସଠାରୁ ଏକାମ୍ର କାନନ ପର୍ଯ୍ୟନ୍ତ ନୂତନ ରାସ୍ତା, କଳ୍ପନା ଛକ- ମ୍ୟୁଜିୟମ-ରବି ଟକିଜ ନୂଆ ଫ୍ଲାଇ ଓଭର, ଶିଶୁଭବନ-ମାଉସୀ ମା’ ମଧ୍ୟରେ ଆଉ ଏକ ରୋବ୍ ତମାଣ୍ଡୋ-ଚନ୍ଦକା-ବାରଙ୍ଗ-ଧଉଳି-ତମାଣ୍ଡୋ ପର୍ଯ୍ୟନ୍ତ ରିଂ ରୋଡ୍ । ଏ ସବୁ ନିର୍ମାଣର କେତେ ଉପାଦେୟତା ସେ ସମ୍ପର୍କରେ ବିଭାଗ ପକ୍ଷରୁ ଅବଗତ କରାଯିବା ସହ ପ୍ରସ୍ତାବିତ ଆନୁଷଙ୍ଗିକ ତଥ୍ୟ ଉପସ୍ଥାପନ କରାଯାଇଛି ।
ସରକାରଙ୍କ ପ୍ଲାନ୍ ମଧ୍ୟରେ ରହିଥିବା ସୁନ୍ଦରପଦା-ଜଟଣୀ ରାସ୍ତା ଯାହା ଭୁବନେଶ୍ବରରୁ ଅଳ୍ପ ସମୟରେ କମ୍ ବାଟରେ ବ୍ୟାବସାୟିକ ପେଣ୍ଠସ୍ଥଳୀ ଜଟଣୀକୁ ପହଞ୍ଚିବାର ଏକ ପୁରୁଣା ସଡ଼କ l ସେପଟେ ଅର୍ବାନ୍ ପ୍ଲାନର କହୁଛନ୍ତି- ବାସ୍ତବରେ ଯଦି ସରକାର ରିଂ ରୋଡ୍ ଓ ରାସ୍ତା ପ୍ରଶସ୍ତୀକରଣ କରନ୍ତି, ତାହାଲେ ରାଜଧାନୀବାସୀଙ୍କୁ ସୁଫଳ ମିଳିବ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |