Explore

Search

June 30, 2026 12:08 am

୧୦୮ କଳସ ସୁବାସିତ ଜଳରେ ସ୍ନାନ କଲେ ମହାପ୍ରଭୁ, ଭକ୍ତଙ୍କ ଭିଡ଼ରେ ଭରିଗଲା ବଡ଼ଦାଣ୍ଡ

ପୁରୀ : ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ବେଦମନ୍ତ୍ର, ଶଙ୍ଖଧ୍ୱନି, ଘଣ୍ଟନାଦ ଓ ହୁଳହୁଳିରେ କମ୍ପି ଉଠିଥିଲା ସ୍ନାନବେଦୀ। ୧୦୮ କଳସ ସୁଗନ୍ଧିତ ଜଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ଦିବ୍ୟ ସ୍ନାନ ନୀତି ଅନୁଷ୍ଠିତ ହୋଇଛି।

ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ପାଳିତ ହେଉଥିବା ଏହି ଦେବସ୍ନାନ ଯାତ୍ରାକୁ ରଥଯାତ୍ରାର ପ୍ରଥମ ପର୍ବ ଭାବେ ଗଣନା କରାଯାଏ। ଏହି ଦିନକୁ ମହାପ୍ରଭୁ ଜଗନ୍ନାଥଙ୍କ ଜନ୍ମଦିନ ଭାବେ ମଧ୍ୟ ପାଳନ କରାଯାଏ। ତେଣୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପୁରୀ ବଡ଼ଦାଣ୍ଡରେ ସମବେତ ହୋଇଥିଲେ।

ଭୋର ସମୟରୁ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା। ପରମ୍ପରା ଅନୁଯାୟୀ ମହାପ୍ରଭୁ ଓ ଅନ୍ୟ ଦେବଦେବୀମାନେ ସ୍ନାନବେଦୀକୁ ବିଜେ କରିବା ପରେ ଦିବ୍ୟ ସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ଏହି ଅବସରରେ ଜଗନ୍ନାଥଙ୍କୁ ୩୫ ଗରା, ବଳଭଦ୍ରଙ୍କୁ ୩୩ ଗରା, ସୁଭଦ୍ରାଙ୍କୁ ୨୨ ଗରା ଏବଂ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା।

ଏହି ସ୍ନାନ ପାଇଁ ପୂର୍ବଦିନ ଶ୍ରୀମନ୍ଦିରର ପବିତ୍ର ସୁନାକୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଇଥିଲା। ବିଭିନ୍ନ ସୁଗନ୍ଧ ଦ୍ରବ୍ୟ ମିଶାଇ ଏହି ଜଳକୁ ଅଭିମନ୍ତ୍ରିତ କରାଯାଇ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ କରାଯାଇଥିଲା।

ଦିବ୍ୟସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦୁର୍ଲଭ ଗଜାନନ ବେଶରେ ସଜା ଯାଇଛି । ସନ୍ଧ୍ୟାରେ ଭକ୍ତମାନେ ସାହାଣମେଲା ଦର୍ଶନ କରୁଛନ୍ତି। ଏହାପରେ ରାତିରେ ହାତୀବେଶ ମଇଲମ, ପୁଷ୍ପାଞ୍ଜଳି, ଡୋରଲାଗି ଓ ବାହୁଡ଼ା ପହଣ୍ଡି ସହ ବିଭିନ୍ନ ପାରମ୍ପରିକ ନୀତି ଅନୁଷ୍ଠିତ ହେବ।

ଦେବସ୍ନାନ ପୂର୍ଣ୍ଣିମାର ଏହି ଭବ୍ୟ ଆୟୋଜନ ସହ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ଆଧ୍ୟାତ୍ମିକ ପରିବେଶ ଆହୁରି ଉତ୍ସାହମୟ ହୋଇଉଠିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score