Explore

Search

June 27, 2026 8:35 pm

ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କଡ଼ା ପଦକ୍ଷେପ : ୪ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର : ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ଦେଖାଦେଇଥିବା ବିଭିନ୍ନ ତ୍ରୁଟିକୁ ନେଇ ରାଜ୍ୟସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି ଘଟଣାକୁ ଗୁରୁତର ଭାବେ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି। ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନ ପ୍ରକ୍ରିୟାରେ ଅବହେଳା ଏବଂ ଦାୟିତ୍ୱହୀନତା ପାଇଁ ୪ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଆଉ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ ପଦକ୍ଷେପ ନିଆଯାଇଛି।

ସୂଚନା ଅନୁସାରେ, ପୂର୍ବତନ ଶିକ୍ଷକ ଶିକ୍ଷା ଓ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସହିତ ତିନି ଜଣ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ କୁମାର ସାହୁ ଏବଂ ଭାରତୀ ଟୁଡୁଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବନ କରାଯାଇଛି। ପାଠ୍ୟପୁସ୍ତକରେ ଥିବା ଭାଷାଗତ, ତଥ୍ୟଗତ ଓ ସମ୍ପାଦନା ସମ୍ବନ୍ଧୀୟ ତ୍ରୁଟି ପାଇଁ ସେମାନଙ୍କ ଭୂମିକା ଏବଂ ଦାୟିତ୍ୱକୁ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଏହି ଘଟଣାର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। କମିଟି ବିଭିନ୍ନ ପାଠ୍ୟପୁସ୍ତକର ଯାଞ୍ଚ କରିବା ସହିତ ସମ୍ପୃକ୍ତ ଅଧିକାରୀମାନଙ୍କ ଭୂମିକାକୁ ମଧ୍ୟ ଖତିଆନ କରିଥିଲା। ତଦନ୍ତ ପରେ ପ୍ରସ୍ତୁତ ହୋଇଥିବା ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। କମିଟିର ସୁପାରିଶକୁ ଆଧାର କରି ସରକାର ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି ।

କେବଳ ଦୋଷୀଙ୍କ ବିରୋଧରେ ପଦକ୍ଷେପ ନୁହେଁ, ଭବିଷ୍ୟତରେ ଏପରି ତ୍ରୁଟି ଯେପରି ପୁଣି ନ ଘଟେ ସେଥିପାଇଁ ସରକାର ବ୍ୟାପକ ସଂସ୍କାରମୂଳକ ପଦକ୍ଷେପ ନେବାକୁ ଯାଉଛନ୍ତି । କମିଟି ପକ୍ଷରୁ ଦିଆଯାଇଥିବା ୧୪ଟି ଗୁରୁତ୍ୱପୂର୍ଣ୍ଣ ସୁପାରିଶକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ଏହା ମାଧ୍ୟମରେ ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ଦାୟିତ୍ୱବାନ ଏବଂ ଗୁଣାତ୍ମକ କରାଯିବ।

ସୁପାରିଶ ଅନୁଯାୟୀ, SCERT ପକ୍ଷରୁ ଏକ ‘ମାଷ୍ଟର ଏରାଟା (Errata) ରେଜିଷ୍ଟର’ ପ୍ରସ୍ତୁତ କରାଯିବ, ଯେଉଁଥିରେ ସମସ୍ତ ତ୍ରୁଟିର ବିବରଣୀ ଲିପିବଦ୍ଧ ରହିବ। ଏହା ସହିତ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ତଥ୍ୟ ଓ ଶୁଦ୍ଧ ସାମଗ୍ରୀ ଯୋଗାଇ ଦିଆଯିବ। ପାଠ୍ୟପୁସ୍ତକର ଗୁଣବତ୍ତା ନିଶ୍ଚିତ କରିବା ପାଇଁ SCERT ମଧ୍ୟରେ ଏକ ସ୍ୱତନ୍ତ୍ର Quality Assurance Cell ଗଠନ କରାଯିବ, ଯାହା ପୁସ୍ତକର ଭାଷା, ତଥ୍ୟ, ଚିତ୍ର ଓ ସମ୍ପାଦନା ଗୁଣମାନ ଉପରେ ନିୟମିତ ନଜର ରଖିବ।

ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଆଗାମୀ ଦିନରେ କୌଣସି ପାଠ୍ୟପୁସ୍ତକ ଆବଶ୍ୟକୀୟ ଯାଞ୍ଚ ଓ ଅନୁମୋଦନ ବିନା ଛପା ପାଇଁ ପ୍ରିଣ୍ଟିଂ ପ୍ରେସକୁ ପଠାଯିବ ନାହିଁ। ପ୍ରତ୍ୟେକ ପୁସ୍ତକର ଭାଷା, ତଥ୍ୟ, ଚିତ୍ର ଓ ବିଷୟବସ୍ତୁକୁ ଏକାଧିକ ସ୍ତରରେ ଯାଞ୍ଚ କରାଯିବା ପରେ ମାତ୍ର ମୁଦ୍ରଣ ଅନୁମତି ମିଳିବ।

ଶିକ୍ଷାବିତ୍ ଏବଂ ଅଭିଭାବକମାନଙ୍କ ମତରେ, ଏହି ପଦକ୍ଷେପ ରାଜ୍ୟର ଶିକ୍ଷା ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ୱାସକୁ ଆହୁରି ମଜବୁତ କରିବ। ଶିକ୍ଷା କ୍ଷେତ୍ରରେ ଗୁଣବତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଦିଗରେ ସରକାରଙ୍କ ଏହି ପଦକ୍ଷେପ ଏକ ଦୃଢ଼ ସନ୍ଦେଶ ବୋଲି ମନେ କରାଯାଉଛି। ଏହା ଦ୍ୱାରା ଭବିଷ୍ୟତରେ ଛାତ୍ରଛାତ୍ରୀମାନେ ତ୍ରୁଟିମୁକ୍ତ ଏବଂ ଉଚ୍ଚମାନର ଶିକ୍ଷା ସାମଗ୍ରୀ ପାଇପାରିବେ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score