Explore

Search

June 24, 2026 8:11 pm

ସେପ୍ଟେମ୍ବରରେ ଘୋଷଣା ହେବ ଚୂଡ଼ାନ୍ତ ଭୋଟର ତାଲିକା : ବିଏମସି କମିଶନର

ଭୁବନେଶ୍ୱର : ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସଠିକ୍ ଓ ନିରପେକ୍ଷ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବିଏମସି କମିଶନର ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଆଲୋଚନା କରିଥିଲେ।

ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମର ଅଗ୍ରଗତି ଏବଂ ଭୋଟର ତାଲିକାରୁ ମୃତ, ସ୍ଥାନାନ୍ତରିତ ଓ ଅଯୋଗ୍ୟ ଭୋଟରଙ୍କ ନାମ ବାଦ ଦେବା ପ୍ରକ୍ରିୟା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆସନ୍ତା ୫ ତାରିଖରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବା ପରେ ରାଜନୈତିକ ଦଳ ଓ ସାଧାରଣ ଲୋକ ନିଜ ମତାମତ ଓ ଆପତ୍ତି ଜଣାଇପାରିବେ । ସମସ୍ତ ଦାବି ଓ ଆପତ୍ତିର ଶୁଣାଣି ସମାପ୍ତ ହେବା ପରେ ସେପ୍ଟେମ୍ବର ମାସରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।

ବୈଠକ ପରେ କମିଶନର ଚଞ୍ଚଳ ରାଣା କହିଛନ୍ତି ଯେ, ଆସନ୍ତା କିଛି ଦିନ ଧରି ସଂଶୋଧନ ପ୍ରକ୍ରିୟା ଚାଲିବ। ଖସଡ଼ା ତାଲିକା ପ୍ରକାଶ ପରେ ନିର୍ଦ୍ଧାରିତ ତାରିଖରେ ଭୋଟରମାନେ ନାମ ସଂଶୋଧନ, ଯୋଗ କିମ୍ବା ବାଦ ପାଇଁ ଆବେଦନ କରିପାରିବେ। ସମସ୍ତ ଆବେଦନର ଯାଞ୍ଚ ଓ ଶୁଣାଣି ପରେ ଇଆରଓ ଏବଂ ଏଆରଓ ସ୍ତରରେ ତ୍ରୁଟି ସଂଶୋଧନ କରାଯିବ ।

ସେ ଆହୁରି କହିଛନ୍ତି ଯେ, ବିଏମସି ଅଞ୍ଚଳରେ ଚାଲିଥିବା ଏସଆଇଆର କାର୍ଯ୍ୟକୁ ଆହୁରି ଦ୍ରୁତ କରିବା ପାଇଁ ରାଜନୈତିକ ଦଳମାନଙ୍କ ସହଯୋଗ ଆବଶ୍ୟକ । ବହୁ ସ୍ଥାନରେ ବୁଥ୍ ଲେଭଲ ଏଜେଣ୍ଟ (ବିଏଲଏ) ନିଯୁକ୍ତ ନହେବାରୁ କ୍ଷେତ୍ରସ୍ତରରେ କାର୍ଯ୍ୟରେ କିଛି ଅସୁବିଧା ଦେଖାଦେଉଛି । ବିଶେଷକରି ରାଜଧାନୀରେ ଫ୍ଲୋଟିଂ ଭୋଟରଙ୍କ ସଂଖ୍ୟା ଅଧିକ ଥିବାରୁ ଭୋଟରଙ୍କ ସଠିକ୍ ତଥ୍ୟ ସଂଗ୍ରହ କରିବା ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଏହି ପରିସ୍ଥିତିରେ ପ୍ରତ୍ୟେକ ବୁଥ୍‌ରେ ବିଏଲଏ ନିଯୁକ୍ତ କରିବାକୁ ସେ ସମସ୍ତ ଦଳଙ୍କୁ ଅନୁରୋଧ କରିଛନ୍ତି।

ଏହି ବୈଠକରେ ବିଜେପି, ବିଜେଡି, କଂଗ୍ରେସ, ବିଏସପି, ସିପିଆଇ(ଏମ), ଆମ୍ ଆଦମୀ ପାର୍ଟି ଓ ନ୍ୟାସନାଲ ପିପୁଲ୍ସ ପାର୍ଟି ସମେତ ସାତଟି ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇଥିଲେ । ୧୧୨, ୧୧୩ ଓ ୧୧୪ ନମ୍ବର ବିଧାନସଭା କ୍ଷେତ୍ରରେ ସଂଶୋଧନ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତ ଦଳଙ୍କ ସହଯୋଗ ଲୋଡ଼ା ବୋଲି ଜିଲ୍ଲା ଭୋଟର ପଞ୍ଜିକରଣ ଅଧିକାରୀ କହିଛନ୍ତି।

କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ ନ ପଡ଼ନ୍ତି, ସେଥିପାଇଁ ସମସ୍ତ ଜୋନାଲ କମିଶନର ଓ ଭୋଟର ପଞ୍ଜିକରଣ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୋଟର ତାଲିକାରେ ନାମ ଯୋଗ, ବାଦ କିମ୍ବା ସଂଶୋଧନ ସମ୍ପର୍କିତ ସମସ୍ତ କାର୍ଯ୍ୟ ପ୍ରଚଳିତ ନିୟମ ଅନୁସାରେ କରାଯିବ ଏବଂ ଭୋଟରମାନେ ଆବଶ୍ୟକ ଫର୍ମ ମାଧ୍ୟମରେ ନିଜ ଆବେଦନ ଦାଖଲ କରିପାରିବେ ବୋଲି କମିଶନର ସୂଚନା ଦେଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score