ଗଞ୍ଜାମ : ସାମୁଦ୍ରିକ କଇଁଛଙ୍କ ପ୍ରମୁଖ ଏନ୍ତୁଡିଶାଳ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ ବେଳାଭୂମିରେ ବର୍ତ୍ତମାନ କଇଁଛ ଛୁଆ ଫୁଟିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ଓ ସନ୍ଧ୍ୟା ସମୟରେ ଶିତଳ ପରିବେଶ ମଧ୍ୟରେ ବିସ୍ତୃତ ବାଲୁକା ଶଯ୍ୟାରେ ପୋତି ରଖାଯାଇଥିବା ଅଣ୍ଡାରୁ ହଜାର ହଜାର ଛୁଆ ବାହାରୁଛନ୍ତି।
ଆଜି ସକାଳେ ବିପୁଳ ସଂଖ୍ୟାର କଇଁଛ ଛୁଆ ସମୁଦ୍ର ମୁହାଁ ହୋଇଥିବା ସୂଚନା ରମ୍ଭା ବନପାଳ ଡି. ପ୍ରଶାନ୍ତ କୁମାର ରାଓ ଦେଇଛନ୍ତି। ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଲୋକଙ୍କ ସହ ବାହାରରୁ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼ ବଢ଼ୁଥିବାରୁ ବନ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଚଳିତ ବର୍ଷ ପୂର୍ବବର୍ଷ ତୁଳନାରେ କଇଁଛଙ୍କ ଅଣ୍ଡାଦାନ ସଂଖ୍ୟା କମ୍ ଥିଲେ ମଧ୍ୟ ବନ ବିଭାଗର ଗଣନା ଅନୁଯାୟୀ ପ୍ରାୟ ୨ ଲକ୍ଷ ୫ ହଜାର ୨୯୩ କଇଁଛ ଏଠାରେ ଅଣ୍ଡା ଦେଇଥିଲେ। ସାଧାରଣତଃ ୪୫ରୁ ୫୦ ଦିନ ମଧ୍ୟରେ ଏହି ଅଣ୍ଡାରୁ ଛୁଆ ବାହାରୁଥାଏ। ଗୋଟିଏ କଇଁଛ ପ୍ରାୟ ୧୩୦ରୁ ୧୪୦ଟି ପର୍ଯ୍ୟନ୍ତ ଅଣ୍ଡା ଦେଇଥାଏ ବୋଲି ଜଣାପଡ଼ିଛି।
ସମୁଦ୍ର ମୁହାଁ ହେବା ବେଳେ କିଛି ଛୁଆ କଇଁଛ ଭାରସାମ୍ୟ ହରାଇ ଓଲଟି ପଡ଼ୁଥିବା ସହ କିଛି ପ୍ଲାଷ୍ଟିକ ତ୍ରାସରେ ଯୋଡି ହୋଇ ରହିଥିବା ଦେଖାଯାଇଛି। ଏମିତି ଛୁଆମାନଙ୍କୁ ବନ ବିଭାଗ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟମାନେ ଉଦ୍ଧାର କରି ସୁରକ୍ଷିତ ଭାବେ ସମୁଦ୍ରକୁ ଛାଡ଼ୁଛନ୍ତି ।
ସୁରକ୍ଷା ବ୍ୟବସ୍ଥା ଭାବେ ବେଳାଭୂମିରେ ଜାଲ ବାଡ଼ ଓ ବ୍ୟାରିକେଡ୍ ବନ୍ଧାଯାଇଛି। ପୁରୁଣା ପୋଡ଼ମପେଟା ଗ୍ରାମରୁ ସିଦ୍ଧାର୍ଥନଗର ପର୍ଯ୍ୟନ୍ତ ଅଞ୍ଚଳରେ ବନ କର୍ମଚାରୀ ଓ କୋଷ୍ଟ ଗାର୍ଡ ମିଶି ନିରନ୍ତର ପହାରା ଦେଉଛନ୍ତି ବୋଲି ଆଞ୍ଚଳିକ ବନ ସରାଂଖ୍ୟକ ଭି. ନୀଳମ୍ବରନ ସୂଚନା ଦେଇଛନ୍ତି ।
ଏହାସହ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଶନି ଖୋଖର ନିୟମିତ ଭାବେ ଘଟଣାସ୍ଥଳୀକୁ ଯାଇ ପରିସ୍ଥିତିର ସମୀକ୍ଷା କରୁଛନ୍ତି। ଛୁଆ କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ ସମ୍ପୂର୍ଣ୍ଣ ସଚେତନ ଓ ସଜାଗ ରହିଥିବା ବନରକ୍ଷକ ତପନ କୁମାର ନନ୍ଦ ଗଣମାଧ୍ୟମକୁ କହିଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
