Explore

Search

July 2, 2026 9:01 pm

ଶିକ୍ଷା କ୍ଷେତ୍ରରେ ଐତିହାସିକ ପଦକ୍ଷେପ: କେ.ଜି.ରୁ ପି.ଜି. ପର୍ଯ୍ୟନ୍ତ ମାଗଣା ଶିକ୍ଷାକୁ ମିଳିଲା କ୍ୟାବିନେଟ୍ ମୋହର

ଭୁବନେଶ୍ୱର : ଓଡ଼ିଶାରେ ଶିକ୍ଷାକୁ ଅଧିକ ସୁଲଭ ଓ ସମାନ ଅଧିକାରରେ ପରିଣତ କରିବା ଦିଗରେ ରାଜ୍ୟସରକାର ଏକ ବଡ଼ ଓ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ ବୈଠକରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ବେଳେ, ସେଥିମଧ୍ୟରୁ “ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି” ଯୋଜନା ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି।

ରାଜ୍ୟ ସରକାରଙ୍କ କେ.ଜି.ରୁ ପି.ଜି. ପର୍ଯ୍ୟନ୍ତ ନିଶୁଳ୍କ ଶିକ୍ଷା ପ୍ରଦାନର ପ୍ରତିଶ୍ରୁତିକୁ ବାସ୍ତବ ରୂପ ଦେବା ପାଇଁ ଏହି ଯୋଜନାକୁ ମଞ୍ଜୁରି ଦିଆଯାଇଛି । ଏହା ମାଧ୍ୟମରେ ରାଜ୍ୟର ଯୋଗ୍ୟ ସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଅଧିକ ସହଜ ଏବଂ ଆର୍ଥିକ ଭାବେ ସୁଲଭ ହେବ।

୨୦୨୬-୨୭ ଶିକ୍ଷାବର୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏହା ଅନୁଯାୟୀ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ନିୟମିତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ନାମଲେଖା ଶୁଳ୍କ ସମ୍ପୂର୍ଣ୍ଣ ମାଫ କରାଯିବ। ପୂର୍ବରୁ କେ.ଜି.ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନିଶୁଳ୍କ ଶିକ୍ଷା ବ୍ୟବସ୍ଥା ଥିବାବେଳେ, ଏହି ନୂଆ ନିଷ୍ପତ୍ତି ରାଜ୍ୟରେ କେ.ଜି.ରୁ ପି.ଜି. ପର୍ଯ୍ୟନ୍ତ ମାଗଣା ଶିକ୍ଷାର ପଥକୁ ସୁଦୃଢ଼ କରିବ।

ସରକାରଙ୍କ ମତରେ, ଆର୍ଥିକ ଅଭାବ ଯୋଗୁଁ କୌଣସି ଛାତ୍ରଛାତ୍ରୀ ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ହିଁ ଏହି ଯୋଜନାର ମୂଳ ଉଦ୍ଦେଶ୍ୟ। ଏହା ଫଳରେ ଶିକ୍ଷା ଛାଡ଼ିବା ପ୍ରବୃତ୍ତି କମିବା ସହ ଉଚ୍ଚଶିକ୍ଷାରେ ନାମଲେଖା ହାର ଏବଂ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବ।

ତେବେ ଏହି ସୁବିଧା ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ପ୍ରଯୁଜ୍ୟ ହେବ ନାହିଁ। ସ୍ୱୟଂ ଅର୍ଥପୋଷିତ, ଅଣ-ଅନୁଦାନପ୍ରାପ୍ତ, ପିପିପି ମୋଡ୍‌ରେ ପରିଚାଳିତ ଅନୁଷ୍ଠାନ ଓ ବୃତ୍ତିଗତ-ବୈଷୟିକ ପାଠ୍ୟକ୍ରମ ଗୁଡ଼ିକୁ ଏହି ଯୋଜନାରୁ ବାଦ ଦିଆଯାଇଛି। କେବଳ ଯୋଗ୍ୟ ସରକାରୀ ଏବଂ ଅନୁଦାନପ୍ରାପ୍ତ ଅନୁଷ୍ଠାନର ନିୟମିତ ଛାତ୍ରଛାତ୍ରୀମାନେ ଏହାର ଲାଭ ପାଇପାରିବେ।

ଏହି ଯୋଜନା ପାଇଁ ପ୍ରଥମ ବର୍ଷରେ ୮୯୫.୫୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ, ପାଞ୍ଚ ବର୍ଷରେ ମୋଟ ୫,୪୬୭.୫୫ କୋଟି ଟଙ୍କା ଖର୍ଚ୍ଚ ପାଇଁ କ୍ୟାବିନେଟ୍ ଅନୁମୋଦନ ଦେଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score