Explore

Search

May 18, 2026 8:40 pm

ରେଶମ ନଗରୀରେ ମୁକ୍ତିଲାଭ କଲା ‘ଆଫା’; ଦର୍ଶକଙ୍କ ହୃଦୟକୁ ଛୁଇଁଗଲା କାହାଣୀ

ବ୍ରହ୍ମପୁର : ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ‘ଆଫା’ । ଯାହା ଦର୍ଶକଙ୍କ ହୃଦୟକୁ ଛୁଇଁବାରେ ସଫଳ ହୋଇଛି । ଗତ ଏପ୍ରିଲ ମାସରେ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ସିନେମା ୪୫ ଦିନ ପରେ ରେଶମ ସହର ବ୍ରହ୍ମପୁରରେ ପ୍ରଦର୍ଶିତ ହୋଇଛି । ରବିବାର (ମେ ୧୭) ହୋଇଥିବା ପ୍ରିମିୟର ଶୋ’ରେ ଦର୍ଶକଙ୍କ ଅସାଧାରଣ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରଥମ ଦିନରୁ ହିଁ ଚଳଚ୍ଚିତ୍ରଟିକୁ ନେଇ ସହରରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ପ୍ରେକ୍ଷାଳୟ ଭିତରେ ଭାବନା, ଅନୁଭୂତି ଓ ଅଶ୍ରୁର ଏକ ଅଲଗା ପରିବେଶ ସୃଷ୍ଟି ହୋଇଥିଲା । ଫିଲ୍ମର ହୃଦୟସ୍ପର୍ଶୀ କାହାଣୀ ଓ ଅଙ୍ଗଦାନ ଭଳି ସାମାଜିକ ବାର୍ତ୍ତା ଦର୍ଶକଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା । ଅନେକ ଦର୍ଶକ ଫିଲ୍ମ ଦେଖୁଥିବା ସମୟରେ ଭାବବିହ୍ୱଳ ହୋଇପଡ଼ିଥିଲେ । କେହି କେହି ଆଖିରେ ଲୁହ ନେଇ ଚଳଚ୍ଚିତ୍ରକୁ ପ୍ରଶଂସା କରି କହିଥିଲେ ଯେ, ଏଭଳି ସନ୍ଦେଶମୂଳକ ସିନେମା ସମାଜ ପାଇଁ ଅତ୍ୟନ୍ତ ଆବଶ୍ୟକ ।

ପ୍ରିମିୟର ଶୋ’ରେ ଫିଲ୍ମର ଷ୍ଟାରକାଷ୍ଟ ମଧ୍ୟ ଉପସ୍ଥିତ ଥିଲେ । ଅଭିନେତା ପ୍ରୀତିରାଜ ସତପଥୀ କହିଥିଲେ, “ଆମେ ଯେତେଥର ଏହି ଫିଲ୍ମ ଦେଖୁଛୁ, ପ୍ରତିଥର ଏହା ଆମକୁ ଭାବବିହ୍ୱଳ କରୁଛି । ସୁଟିଂ ସମୟର ଅନେକ ସ୍ମୃତି ପୁଣି ଜୀବନ୍ତ ହୋଇଯାଉଛି । ଦର୍ଶକମାନେ ଫିଲ୍ମର କାହାଣୀ ସହ ନିଜକୁ ଯୋଡି ପାରୁଥିବା ଦେଖି ଆମେ ଖୁସି ।”

ସେହିପରି ଅଭିନେତ୍ରୀ ନୈନା ଦାସ ବ୍ରହ୍ମପୁରବାସୀଙ୍କୁ ଭଲପାଇବା ପାଇଁ ଧନ୍ୟବାଦ ଜଣାଇ କହିଥିଲେ, “ଦକ୍ଷିଣ ଭାରତରେ ଯେପରି ସିନେମାକୁ ଲୋକେ ହୃଦୟରୁ ଭଲପାଆନ୍ତି, ବ୍ରହ୍ମପୁରରେ ମଧ୍ୟ ସେହି ଭାବନା ଦେଖିବାକୁ ମିଳିଛି । ଆପଣମାନଙ୍କର ସ୍ନେହ ଆମ ପାଇଁ ବଡ଼ ପ୍ରେରଣା । ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ଏତେ ଦୂର ଆସିପାରିଛୁ । ଏହି ସିନେମା ଲୋକଙ୍କ ମନରେ ଏକ ଅଲଗା ସ୍ଥାନ ସୃଷ୍ଟି କରିପାରିଛି ।”

ଚଳଚ୍ଚିତ୍ରର ଲେଖକ ଓ ବରିଷ୍ଠ ଅଭିନେତା କୁନା ତ୍ରିପାଠୀ ମଧ୍ୟ ବ୍ରହ୍ମପୁରବାସୀଙ୍କ ପ୍ରତିକ୍ରିୟାକୁ ନେଇ ଖୁସି ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ଏହି ସିନେମା ମାଧ୍ୟମରେ ଲୋକମାନେ ଅଙ୍ଗଦାନର ମହତ୍ତ୍ୱ ସମ୍ପର୍କରେ ନୂଆ ଧାରଣା ପାଇପାରିବେ ।

‘ଆଫା’ ଫିଲ୍ମର ବିଶେଷତା ହେଉଛି ଏହାର ସାମାଜିକ ସନ୍ଦେଶ । ଅଙ୍ଗଦାନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଭାବପ୍ରବଣ କାହାଣୀ ସହ ଦର୍ଶକଙ୍କ ସମ୍ମୁଖରେ ଆଣାଯାଇଛି । ଚଳଚ୍ଚିତ୍ରଟି କେବଳ ମନୋରଞ୍ଜନ ନୁହେଁ, ବରଂ ଜୀବନ ପ୍ରତି ଏକ ସକାରାତ୍ମକ ଚିନ୍ତାଧାରା ଦେଉଛି । ଏଥିରେ ଏକ ପ୍ରତିଭାଶାଳୀ ପିଲାର ସ୍ୱପ୍ନ, ସଂଘର୍ଷ ଓ ଜୀବନକୁ ହସି ହସି ଜୀବନ୍ତ କରିବାର ଅଦମ୍ୟ ଇଚ୍ଛାକୁ ଅତ୍ୟନ୍ତ ସୁନ୍ଦର ଭାବେ ଦେଖାଯାଇଛି ।

ଫିଲ୍ମରେ ସୈନିକ ସ୍କୁଲରେ ଝିଅମାନଙ୍କ ଶିକ୍ଷା, ଦେଶସେବା ପ୍ରତି ସେମାନଙ୍କ ଆଗ୍ରହ ଓ ଦୃଢ଼ ସଙ୍କଳ୍ପକୁ ମଧ୍ୟ ନିଖୁଟ ଭାବେ ଉପସ୍ଥାପନ କରାଯାଇଛି । ଏହି ସମସ୍ତ ଦିଗ ଚଳଚ୍ଚିତ୍ରଟିକୁ ଅନ୍ୟ ସିନେମାଠାରୁ ଅଲଗା ପରିଚୟ ଦେଇଛି ।

‘ଆଫା’ରେ କୁନା ତ୍ରିପାଠୀ, ନୈନା ଦାସ, ପ୍ରୀତିରାଜ ସତପଥୀ, ହର ରଥ, ସିଦ୍ଧାର୍ଥ ତିୱାରୀ, ମୀରା ଝଞ୍ଜା ଦାସ, ସ୍ୱସ୍ତିକ ଚୌଧୁରୀ, ରବି ମିଶ୍ର, ଧରିତ୍ରୀ ଖଣ୍ଡୁଆଳ ଓ ଅନ୍ୟାନ୍ୟ କଳାକାର ଅଭିନୟ କରିଛନ୍ତି । ଅନମୋଲ ପତି ପ୍ରଥମଥର ପାଇଁ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ପ୍ରୀତିରାଜ ସତପଥୀ ଓ ନୈନା ଦାଶ ତିୱାରୀ । ନିର୍ଦ୍ଦେଶନାର ଦାୟିତ୍ୱ ମଧ୍ୟ ପ୍ରୀତିରାଜ ସତପଥୀ ନିଭାଇଥିବାବେଳେ ସହ-ନିର୍ଦ୍ଦେଶନା କରିଛନ୍ତି ରାଜେଶ କୁମାର ବାରିକ ଓ କ୍ରିଷ୍ଣା । ସିନେମାଟୋଗ୍ରାଫି କରିଛନ୍ତି ବିଶ୍ୱଜିତ୍ କୁଲଡି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score