ଭୁବନେଶ୍ୱର : ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାରେ ରୁଫଟପ୍ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜାତୀୟ ସ୍ତରରେ ୧୩ତମ ସ୍ଥାନରୁ ରାଜ୍ୟ ଏବେ ସପ୍ତମ ସ୍ଥାନକୁ ଉଠିଛି । ଏହି ଅଗ୍ରଗତି ଓଡ଼ିଶାକୁ ଦେଶର ଦ୍ରୁତ ବିକାଶଶୀଳ ରୁଫଟପ୍ ସୋଲାର ବଜାର ମଧ୍ୟରେ ଏକ ଉଲ୍ଲେଖନୀୟ ସ୍ଥାନ ଦେଇଛି।
ରାଜ୍ୟରେ ବର୍ତ୍ତମାନ ପ୍ରାୟ ୧.୭୪ ଲକ୍ଷ ରୁଫଟପ୍ ସୋଲାର ସିଷ୍ଟମ୍ ଲଗାଯାଇଛି। ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ଓଡ଼ିଶାରୁ ମୋଟ ୩,୧୨,୫୨୭ଟି ଆବେଦନ ଆସିଛି। ଏହି ପରିଣାମରେ ମଧ୍ୟପ୍ରଦେଶ ଓ ଆସାମକୁ ପଛରେ ପକାଇ ଦେଶର ବିକେନ୍ଦ୍ରୀକୃତ ସ୍ୱଚ୍ଛ ଶକ୍ତି ବ୍ୟବସ୍ଥାକୁ ଆଗକୁ ନେବାରେ ଓଡ଼ିଶାର ଭୂମିକା ଆହୁରି ମଜବୁତ ହୋଇଛି।
୨୦୨୭ ସୁଦ୍ଧା ଓଡ଼ିଶାରେ ୩ ଲକ୍ଷ ରୁଫଟପ୍ ସୋଲାର ସ୍ଥାପନର ଲକ୍ଷ୍ୟ ରହିଛି । ଜିଲ୍ଲାସ୍ତରରେ ମଧ୍ୟ ଏହି ଅଭିଯାନ ଗତିଶୀଳ ହୋଇଛି। ବାଲେଶ୍ୱର, ଗଞ୍ଜାମ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ୧୦ ହଜାରରୁ ଅଧିକ ରୁଫଟପ୍ ସୋଲାର ସ୍ଥାପନ ହୋଇଛି। ବାଲେଶ୍ୱର ୧୬,୦୬୯ଟି ସ୍ଥାପନ ସହ ଆଗରେ ଥିବା ବେଳେ ଗଞ୍ଜାମରେ ୧୫,୩୦୧ଟି, ଖୋର୍ଦ୍ଧାରେ ୧୪,୨୩୬ଟି ଏବଂ କଟକରେ ୧୩,୩୪୩ଟି ସ୍ଥାପନ କରାଯାଇଛି। ଏହି ୪ ଜିଲ୍ଲା ମିଶି ପ୍ରାୟ ୧୪୩ ମେଗାୱାଟ୍ ରୁଫଟପ୍ ସୋଲାର କ୍ଷମତା ଯୋଗ କରିଛନ୍ତି।
ସରକାରୀ କୋଠାରେ ସୋଲାର ପ୍ୟାନେଲ୍ ସ୍ଥାପନ ସହ ଲୋକଙ୍କ ମଧ୍ୟରେ ସଚେତନତା ବଢାଇବାକୁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି। ‘ମୋ ଛାତ, ମୋ ସଞ୍ଚୟ’, ‘ସୂର୍ଯ୍ୟ ଘର ଗ୍ରାମସଭା’, ୟୁଏଲ୍ବି ଆଧାରିତ ସଚେତନତା ଅଭିଯାନ ଓ ‘ସୋଲାର ଦିଦି’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଘରୋଇ ଉପଭୋକ୍ତାଙ୍କୁ ରୁଫଟପ୍ ସୋଲାର ପ୍ରତି ଆକୃଷ୍ଟ କରାଯାଉଛି।
ରୁଫଟପ୍ ସୋଲାରକୁ ଘରେ ଘରେ ପହଞ୍ଚାଇବା ସହ ଏହାକୁ ଅଧିକ ସରଳ, ସୁଲଭ ଓ ଉପଯୋଗୀ କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରହିଛି। ରାଜ୍ୟରେ ସ୍ୱଚ୍ଛ ଶକ୍ତିର ବ୍ୟବହାର ବଢିବା ସହ ଆଗାମୀ ଦିନରେ ଓଡ଼ିଶାର ସୋଲାର ଶକ୍ତି କ୍ଷେତ୍ର ଆହୁରି ବିସ୍ତାର ପାଇବ ବୋଲି ଆଶା କରାଯାଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
