Explore

Search

June 23, 2026 8:36 pm

ରାୟଗଡ଼ା ଭିଡ଼ ହିଂସାର ପଛର ସତ: ଯୁବତୀଙ୍କୁ ବିବସ୍ତ୍ର କରିଥିଲେ ଅଭିଯୁକ୍ତ ସମେତ ୪୦ରୁ ଅଧିକ ଲୋକ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ଭିଡ଼ ହିଂସା ଘଟଣା ସମଗ୍ର ଓଡ଼ିଶାକୁ ସ୍ତବ୍ଧ କରିଦେଇଛି । ପିଲାଚୋରି ଗୁଜବକୁ କେନ୍ଦ୍ର କରି ଜଣେ ଯୁବତୀ ଓ ତାଙ୍କ ସହଯୋଗୀଙ୍କ ଉପରେ ହୋଇଥିବା ବର୍ବର ଆକ୍ରମଣ ଘଟଣାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗୁଜବରେ ଉତ୍ତେଜିତ ହୋଇ ୪୦ରୁ ୫୦ ଜଣ ଲୋକ ମିଶି ଯୁବତୀଙ୍କୁ ମାଡ଼ ମାରିବା ସହ ତାଙ୍କୁ ବିବସ୍ତ୍ର କରି ଅମାନବିକ ନିର୍ଯାତନା ଦେଇଥିଲେ।

ସୂଚନା ଅନୁଯାୟୀ, ଏକ ସ୍ୱେଚ୍ଛାସେବୀ ସଂସ୍ଥା ସହ ଜଡ଼ିତ ଯୁବତୀ ଓ ଜଣେ ଯୁବକ ମୋଟରସାଇକେଲରେ ଯାତ୍ରା କରୁଥିବା ବେଳେ କିଛି ଲୋକ ସେମାନଙ୍କୁ ସନ୍ଦେହ କରିଥିଲେ। ପରେ ପିଲାଚୋରି ଗୁଜବ ଦ୍ରୁତ ଗତିରେ ଚାରିଆଡ଼େ ବ୍ୟାପିଯିବାରୁ ଉତ୍ତେଜିତ ଲୋକେ ସେମାନଙ୍କୁ ଘେରି ଆକ୍ରମଣ କରିଥିଲେ। ଭିଡ଼ ମଧ୍ୟରେ କିଛି ଅଭିଯୁକ୍ତ ଯୁବତୀଙ୍କ ପୋଷାକ ଛିଣ୍ଡାଇ ତାଙ୍କୁ ସର୍ବସାଧାରଣ ସ୍ଥାନରେ ଅପମାନିତ କରିଥିବା ଅଭିଯୋଗ ରହିଛି ।

ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଟିମ୍‌କୁ ମଧ୍ୟ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିଥିଲା। କଲ୍ୟାଣସିଂହପୁର ଥାନାର ଆଇଆଇସିଙ୍କୁ ଧକ୍କା ମାରିବା ସହ ତାଙ୍କ ଉପରେ ହତ୍ୟା ଉଦ୍ୟମ ହୋଇଥିବା କଥା ପୋଲିସ କହିଛି। ଏହି ସମୟରେ ସ୍ଥାନୀୟ ଯୁବକ ବଳରାମ ବାଗ ସାହସିକତା ଦେଖାଇ ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ତାଙ୍କୁ ନିଜ ଟି-ସାର୍ଟ ଦେଇ ସହଯୋଗ କରିଥିଲେ।

ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୋଲିସ ଏହାକୁ ‘ରେଡ୍ ଫ୍ଲାଗ୍’ ମାମଲା ଭାବେ ଚିହ୍ନଟ କରିଛି । ଏପର୍ଯ୍ୟନ୍ତ ୨୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଭିଡିଓ ଫୁଟେଜ୍ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅନ୍ୟ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରାଯାଉଛି। ମହିଳା ଓ ଶିଶୁ ସୁରକ୍ଷା ଶାଖା ମଧ୍ୟ ଏହି ତଦନ୍ତର ନିରୀକ୍ଷଣ କରୁଛି।

ଏହି ଘଟଣା କେବଳ ଏକ ଆଇନଶୃଙ୍ଖଳା ସମସ୍ୟା ନୁହେଁ, ବରଂ ଗୁଜବ, ଅନ୍ଧବିଶ୍ୱାସ ଓ ସାମାଜିକ ଅସଚେତନତା କେତେ ଭୟଙ୍କର ପରିଣାମ ଆଣିପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ହୋଇଛି। ଦୋଷୀମାନଙ୍କ ବିରୋଧରେ କଠୋରତମ କାର୍ଯ୍ୟାନୁଷ୍ଠାନ ସହ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ବିଭିନ୍ନ ମହଲରୁ ଦାବି ଜୋର ଧରିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score