Explore

Search

August 3, 2026 8:05 pm

ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ : ବ୍ରହ୍ମପୁର ଓ ଗୋପାଳପୁରରେ କଡ଼ା ସୁରକ୍ଷା, ଜାରି ହେଲା ଟ୍ରାଫିକ୍ ନିର୍ଦ୍ଦେଶାବଳୀ

ବ୍ରହ୍ମପୁର : ଆଉ ଦିନକ ପରେ ଗଞ୍ଜାମ ଜିଲ୍ଲାକୁ ଗସ୍ତ କରିବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ତେବେ ମହାମହିମ ରାଷ୍ଟ୍ରପତିଙ୍କ ଏହି ଦୁଇ ଦିନିଆ ଗଞ୍ଜାମ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ୪ ଓ ୫ ତାରିଖ ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ଅବସରରେ ବ୍ରହ୍ମପୁର, ତପ୍ତପାଣି ଏବଂ ଗୋପାଳପୁର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି । ଏହାସହ ଯାତାୟାତକୁ ସୁଚାରୁ ରଖିବା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ଆଡଭାଇଜରି ମଧ୍ୟ ଜାରି କରାଯାଇଛି ।

ସୂଚନା ଅନୁସାରେ, ରାଷ୍ଟ୍ରପତି ସ୍ୱତନ୍ତ୍ର ଟ୍ରେନ ଯୋଗେ ୪ ଅଗଷ୍ଟରେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବେ। ସେଠାରୁ ସଡ଼କପଥରେ ତପ୍ତପାଣି ଯାଇ ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ସେ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ରିଯାପନ କରିବେ । ୫ ଅଗଷ୍ଟରେ ପୁଣି ବ୍ରହ୍ମପୁର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନ ଟ୍ରାଫିକ ନିର୍ଦ୍ଦେଶାବଳୀ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଅଗଷ୍ଟ ୪ ତାରିଖ ସକାଳ ୧୦ଟାରୁ ୧୧ଟା ୪୫ ପର୍ଯ୍ୟନ୍ତ ଅନ୍ଧପସରା ଛକରୁ ଫାଷ୍ଟ ଗେଟ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଭାରି ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସେହିପରି ସକାଳ ୧୦ଟା ୩୦ରୁ ୧୧ଟା ୪୫ ପର୍ଯ୍ୟନ୍ତ କାର, ଅଟୋରିକ୍ସା ଓ ଅନ୍ୟାନ୍ୟ ହାଲୁକା ଯାନ ଚଳାଚଳ ଉପରେ ମଧ୍ୟ କଟକଣା ଜାରି ରହିବ।

ଏହାଛଡ଼ା ସକାଳ ୧୦ଟା ୪୫ରୁ ଅନ୍ଧପସରା ଛକ ଓ ହରିଡାଖଣ୍ଡି ଛକ ମଧ୍ୟରେ ଦୁଇଚକିଆ ଯାନ ଚଳାଚଳକୁ ମଧ୍ୟ ସୀମିତ କରାଯିବ। ଏହି ସମୟରେ ସ୍କୁଲ ବସ୍‌ଗୁଡ଼ିକୁ ଲାଞ୍ଜିପଲ୍ଲୀ ବାଇପାସ ଦେଇ ସହରକୁ ପ୍ରବେଶ କରିବାକୁ ପ୍ରଶାସନ ପରାମର୍ଶ ଦେଇଛି।

ସେହିପରି ୫ ଅଗଷ୍ଟରେ ରାଷ୍ଟ୍ରପତିଙ୍କ ଫେରିବା କାର୍ଯ୍ୟକ୍ରମକୁ ନେଇ ଗୋପାଳପୁର ଜଙ୍କସନରୁ ଏନଏଚ–୧୬ ଗୋଳନ୍ଥରା ରୁଟରେ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଭାରି ଯାନ ଚଳାଚଳ ଉପରେ ନିଷେଧାଦେଶ ଜାରି ହେବ। ସକାଳ ୯ଟା ୩୦ରୁ ହାଲୁକା ଯାନ ଏବଂ ୯ଟା ୪୫ରୁ ଦୁଇଚକିଆ ଯାନ ଉପରେ ମଧ୍ୟ ସମାନ କଟକଣା ଲାଗୁ ହେବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି ।

ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ବ୍ରହ୍ମପୁର ସହର ଏବଂ ଆଖପାଖ ଅଞ୍ଚଳରେ ପ୍ରାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହ ବରିଷ୍ଠ ପୋଲିସ ଅଧିକାରୀ, ସୁରକ୍ଷା ଏଜେନ୍ସିର କର୍ମଚାରୀ ଏବଂ ସ୍ୱତନ୍ତ୍ର ଦଳ ନିୟୋଜିତ ରହିବେ। ତପ୍ତପାଣି ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ମଧ୍ୟ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ।

ତେବେ ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଯାନଗୁଡ଼ିକୁ ଏହି କଟକଣାରୁ ମୁକ୍ତ ରଖାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସହରବାସୀଙ୍କୁ ଟ୍ରାଫିକ ନିୟମ ପାଳନ କରିବା, ବିକଳ୍ପ ରାସ୍ତା ବ୍ୟବହାର କରିବା ଏବଂ ସୁରକ୍ଷା ବ୍ୟବସ୍ଥାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

ରାଷ୍ଟ୍ରପତିଙ୍କ କାରକେଡ ଯାତ୍ରା ସମୟରେ ନିର୍ଦ୍ଦିଷ୍ଟ ରାସ୍ତା ଗୁଡ଼ିକରେ ଅସ୍ଥାୟୀ ଭାବେ ଯାନବାହନ ଚଳାଚଳ ନିୟନ୍ତ୍ରଣ କରାଯିବ। ତେଣୁ ଲୋକମାନଙ୍କୁ ଆଗୁଆ ସଚେତନ ରହି ନିଜ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score