ପୁରୀ : ଆସନ୍ତା ରଥଯାତ୍ରାକୁ ଅଧିକ ସ୍ୱଚ୍ଛ, ସୁରକ୍ଷିତ ଓ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ବଡଦାଣ୍ଡରେ ରନ୍ଧା ଖାଦ୍ୟ ବଣ୍ଟନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କେବଳ ଶୁଖିଲା ଖାଦ୍ୟ ବଣ୍ଟନକୁ ଅନୁମତି ଦିଆଯିବ। ଏହାଦ୍ୱାରା ପରିବେଶ ସ୍ୱଚ୍ଛ ରହିବା ସହ ଆବର୍ଜନା ପରିଚାଳନା ସହଜ ହେବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି ।
ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ସୂଚନା ଫଳକ ଓ ସାଇନେଜ୍ ଲଗାଯିବ। ଏହି ଫଳକ ମାଧ୍ୟମରେ ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ସେବା, ପାର୍କିଂ ଓ ଅନ୍ୟାନ୍ୟ ଜରୁରୀ ସୂଚନା ଉପଲବ୍ଧ କରାଯିବ।
ରଥଯାତ୍ରା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଯାତାୟାତକୁ ସୁଗମ କରିବା ପାଇଁ ପରିବହନ ବିଭାଗ ମଧ୍ୟ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ପୁରୀ-ଭୁବନେଶ୍ୱର ରୁଟ୍ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୩୦୦ଟି ଅତିରିକ୍ତ ବସକୁ ଅସ୍ଥାୟୀ ପରମିଟ ପ୍ରଦାନ କରାଯିବ। ଯାତ୍ରୀଙ୍କ ଠାରୁ ନିର୍ଦ୍ଧାରିତ ଭଡା ଆଦାୟ ସୁନିଶ୍ଚିତ କରିବା ପାଇଁ ସମସ୍ତ ବସ ଓ ଅଟୋରେ ଭଡା ତାଲିକା ପ୍ରଦର୍ଶନ କରାଯିବ।
ଏହାସହ ଟ୍ରାଫିକ ଓ ପରିବହନ ବ୍ୟବସ୍ଥାକୁ ସୁଚାରୁ ରଖିବା ପାଇଁ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇଛି। ଗାଡ଼ିଗୁଡ଼ିକର ଫିଟନେସ୍, ପରମିଟ, ଓଭରଲୋଡିଂ ଓ ଗତି ନିୟନ୍ତ୍ରଣ ଉପରେ କଡ଼ା ନଜର ରଖାଯିବ।
ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଶ୍ରାମ କେନ୍ଦ୍ର, ପିଇବା ପାଣି, ଓଆରଏସ୍, ପ୍ରାଥମିକ ଚିକିତ୍ସା କିଟ୍, ଆମ୍ବୁଲାନ୍ସ ଓ କ୍ରେନ୍ ସେବା ଉପଲବ୍ଧ ରହିବ। ଦୁଇଟି ସୂଚନା କେନ୍ଦ୍ର ମାଧ୍ୟମରେ ଜରୁରୀ ସୂଚନା ପ୍ରଦାନ କରାଯିବା ସହ ମାଳତୀପାଟପୁରରେ ସ୍ୱତନ୍ତ୍ର କ୍ୟାମ୍ପ, ସଟଲ୍ ବସ୍ ସେବା ଓ ହାଇୱେ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି।
ଏପଟେ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହରର ସ୍ୱଚ୍ଛତା, ଶୌଚାଳୟ, ପାର୍କିଂ, ଆଲୋକୀକରଣ ଓ ଅନ୍ୟାନ୍ୟ ମୌଳିକ ସେବାର ସୁଚାରୁ ପରିଚାଳନା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ସମସ୍ତ ବିଭାଗର ସମନ୍ୱୟରେ ଶୃଙ୍ଖଳିତ ଓ ସଫଳ ରଥଯାତ୍ରା ଆୟୋଜନ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
