ନୂଆଦିଲ୍ଲୀ : ଦେଶର ଔଷଧ ବ୍ୟବସାୟ କ୍ଷେତ୍ରରେ ବଡ଼ ପ୍ରଭାବ ପକାଇପାରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ସାମ୍ନାକୁ ଆସିଛି । ଅଲ ଇଣ୍ଡିଆ ଅର୍ଗାନାଇଜେସନ ଅଫ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ (AIOCD) ପକ୍ଷରୁ ଚଳିତ ମାସ ୨୦ ତାରିଖରେ ସାରା ଦେଶରେ ଔଷଧ ଦୋକାନ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି । ସଂଗଠନର ଏହି ଦେଶବ୍ୟାପୀ ବନ୍ଦ ଡାକରାର ପ୍ରଭାବରେ ପ୍ରାୟ ୧୨ ଲକ୍ଷରୁ ଅଧିକ ଫାର୍ମାସି ଓ ଔଷଧ ଦୋକାନ ଗୋଟିଏ ଦିନ ପାଇଁ ବନ୍ଦ ରହିବା ସମ୍ଭାବନା ରହିଛି । ଅନଲାଇନ ଫାର୍ମାସୀର ଅନିୟନ୍ତ୍ରିତ ବିସ୍ତାର, ବଡ଼ କର୍ପୋରେଟ କମ୍ପାନୀମାନଙ୍କର ଆକ୍ରମଣାତ୍ମକ ମୂଲ୍ୟ ନୀତି ଏବଂ ପାରମ୍ପରିକ ଔଷଧ ବ୍ୟବସାୟୀଙ୍କ ଉପରେ ବଢୁଥିବା ଚାପକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି ।
AIOCD କହିଛି ଯେ, ଦେଶର ପ୍ରାୟ ୧୨.୪ ଲକ୍ଷ କେମିଷ୍ଟ ଏବଂ ଔଷଧ ବିତରକଙ୍କ ପକ୍ଷରୁ ସେମାନେ ଏହି ଆନ୍ଦୋଳନ କରୁଛନ୍ତି । ସଂଗଠନର ଦାବି ଅନୁସାରେ, ଅନଲାଇନ ଔଷଧ ବିକ୍ରୟ ପ୍ଲାଟଫର୍ମ ଏବଂ ବହୁଜାତୀୟ କର୍ପୋରେଟ ଶୃଙ୍ଖଳାର ବଢୁଥିବା ପ୍ରଭାବ ଦେଶର ଛୋଟ ଓ ମଧ୍ୟମ ଔଷଧ ବ୍ୟବସାୟୀଙ୍କ ଜୀବିକାକୁ ଗୁରୁତର ଭାବେ ପ୍ରଭାବିତ କରୁଛି । ଏହା ଫଳରେ ଫାର୍ମାସୀ କ୍ଷେତ୍ର ସହ ଜଡିତ ପ୍ରାୟ ୫ କୋଟି ଲୋକଙ୍କ ଭବିଷ୍ୟତ ଅନିଶ୍ଚିତତାରେ ପଡ଼ିଥିବା ସଂଗଠନ ଅଭିଯୋଗ କରିଛି । ଏହି ଧର୍ମଘଟରେ ସହର, ଅର୍ଦ୍ଧସହର ଓ ଗ୍ରାମାଞ୍ଚଳର ଖୁଚୁରା ଏବଂ ହୋଲସେଲ ଔଷଧ ବ୍ୟବସାୟୀମାନେ ବଡ଼ ପରିମାଣରେ ସାମିଲ ହେବେ ବୋଲି କୁହାଯାଇଛି ।
AIOCD ର ସାଧାରଣ ସମ୍ପାଦକ ରାଜୀବ ସିଂଘଲ କହିଛନ୍ତି ଯେ, ଏହି ବନ୍ଦର ଲକ୍ଷ୍ୟ ସାଧାରଣ ଲୋକଙ୍କୁ ଅସୁବିଧା ଦେବା ନୁହେଁ, ବରଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା । ସେ କହିଛନ୍ତି ଯେ, ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଏବଂ ଆବଶ୍ୟକ ଔଷଧ ସୁବିଧାକୁ ଧର୍ମଘଟ ସମୟରେ ବାଧା ଦିଆଯିବ ନାହିଁ । କିନ୍ତୁ ଅନଲାଇନ ଫାର୍ମାସୀ ଦ୍ୱାରା ଅନିୟନ୍ତ୍ରିତ ଭାବେ ଔଷଧ ବିକ୍ରୟ ଏବଂ ଅସ୍ୱାଭାବିକ ଡିସକାଉଣ୍ଟ ଦେଇ ବଜାର ଦଖଲ କରିବା ପ୍ରୟାସ ପାରମ୍ପରିକ କେମିଷ୍ଟମାନଙ୍କୁ ଆର୍ଥିକ ସଙ୍କଟରେ ପକାଇଛି । ଏହାସହ ସାର୍ବଜନୀନ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ମଧ୍ୟ ଗୁରୁତର ପ୍ରଭାବ ପଡ଼ୁଥିବା ସେ ଅଭିଯୋଗ କରିଛନ୍ତି ।
ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଛି । ସେଥିରେ କୁହାଯାଇଛି ଯେ, ଫାର୍ମାସ୍ୟୁଟିକାଲ ଟ୍ରେଡ ସେକ୍ଟର ପକ୍ଷରୁ ଦୀର୍ଘଦିନ ଧରି ଇ-ଫାର୍ମାସୀ ଉପରେ କଡ଼ା ନିୟମ ଲାଗୁ କରିବାକୁ ଦାବି ହୋଇଆସୁଛି । କିନ୍ତୁ ସରକାର ଏହାକୁ ଗୁରୁତ୍ୱ ଦେଉନଥିବାରୁ ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଛି । କୋଭିଡ-୧୯ ମହାମାରୀ ସମୟରେ ଜାରି ହୋଇଥିବା କିଛି ନିୟାମକ ଛାଡ଼କୁ ଏପର୍ଯ୍ୟନ୍ତ ଚାଲୁ ରଖାଯାଇଥିବାରୁ ଅନଲାଇନ ଔଷଧ ପ୍ଲାଟ ଫର୍ମଗୁଡ଼ିକ ପ୍ରାୟ ନିୟନ୍ତ୍ରଣ ବିନା କାର୍ଯ୍ୟ କରୁଛନ୍ତି ବୋଲି AIOCD ଅଭିଯୋଗ କରିଛି ।
ସଂଗଠନର ମତାନୁସାରେ, ଅନଲାଇନ ମାଧ୍ୟମରେ ବିନା ପ୍ରେସକ୍ରିପ୍ସନରେ ଔଷଧ ବିକ୍ରୟ ହେବା ଦ୍ୱାରା ଆଣ୍ଟିବାୟୋଟିକ ଭଳି ଶକ୍ତିଶାଳୀ ଔଷଧର ଅପବ୍ୟବହାର ବଢୁଛି । ଅନେକ ସମୟରେ ରୋଗୀଙ୍କ ଶାରୀରିକ ଯାଞ୍ଚ ବିନା ଔଷଧ ପହଞ୍ଚାଯାଉଥିବାରୁ ସ୍ୱାସ୍ଥ୍ୟ ଜଟିଳତା ସୃଷ୍ଟି ହେବାର ଆଶଙ୍କା ବଢ଼ିଛି । ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ବ୍ୟବହାର ହେବା ଫଳରେ ଔଷଧ ପ୍ରତିରୋଧକ ଶକ୍ତି କମିବା ସହ ଅନେକ ଗୁରୁତର ସମସ୍ୟା ଦେଖାଦେଇପାରେ ବୋଲି ସଂଗଠନ ସତର୍କ କରିଛି ।
ଏହି ଧର୍ମଘଟ ଆଗାମୀ ଦିନରେ ଦେଶର ଔଷଧ ବ୍ୟବସ୍ଥା, ଇ-ଫାର୍ମାସୀ ନିୟମ ଏବଂ ପାରମ୍ପରିକ ଔଷଧ ବ୍ୟବସାୟୀଙ୍କ ସୁରକ୍ଷା ନେଇ ବଡ଼ ଚର୍ଚ୍ଚାର ରୂପ ନେବାର ସମ୍ଭାବନା ରହିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
