Explore

Search

June 13, 2026 1:01 pm

‘ମେକ୍ ଇନ୍ ଇଣ୍ଡିଆ’ର ନୂଆ ସଫଳତା : ଦେଶର ପ୍ରଥମ ସ୍ୱଦେଶୀ AI-ଆଧାରିତ ବଡି ସ୍କାନର ବିକଶିତ

ଭୁବନେଶ୍ୱର : ଭାରତର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଆଧୁନିକ ଓ ସୁଦୃଢ଼ କରିବା ଦିଗରେ ଏକ ବଡ଼ ସଫଳତା ମିଳିଛି। ଦେଶୀୟ ସୁରକ୍ଷା ପ୍ରଯୁକ୍ତି କମ୍ପାନୀ ଭେହାଣ୍ଟ ଟେକ୍ନୋଲୋଜିଜ୍‌ ଭାରତର ପ୍ରଥମ ସ୍ୱଦେଶୀ ମିଲିମିଟର ୱେଭ୍ (mmWave) ବଡି ସ୍କାନର ବିକଶିତ କରିଛି। ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ଅଧୀନରେ ପ୍ରସ୍ତୁତ ଏହି ଅତ୍ୟାଧୁନିକ ସ୍କାନର ବିମାନବନ୍ଦର, ସିଆଇଏସଏଫ୍‌, ସରକାରୀ ସୁରକ୍ଷା ଏଜେନ୍ସି ଏବଂ ଅନ୍ୟାନ୍ୟ ଉଚ୍ଚ-ସୁରକ୍ଷା କ୍ଷେତ୍ରରେ ବ୍ୟବହାର ପାଇଁ ଡିଜାଇନ୍‌ କରାଯାଇଛି।

ସୁରକ୍ଷା ଯାଞ୍ଚରେ ଆଣିବ ବଡ଼ ପରିବର୍ତ୍ତନ

ବର୍ତ୍ତମାନ ସମୟରେ ଅପରାଧୀ ଓ ଚୋରା ଚାଲାଣକାରୀମାନେ ନିଷିଦ୍ଧ ସାମଗ୍ରୀ ଲୁଚାଇବା ପାଇଁ ନୂଆ ନୂଆ କୌଶଳ ଅବଲମ୍ବନ କରୁଛନ୍ତି। ଅନେକ ସମୟରେ ପାରମ୍ପରିକ ମେଟାଲ୍ ଡିଟେକ୍ଟର କିମ୍ବା ସାଧାରଣ ଯାଞ୍ଚ ବ୍ୟବସ୍ଥା ଏହିପରି ବସ୍ତୁ ଚିହ୍ନଟ କରିବାରେ ବିଫଳ ହୁଏ। ଏହି ଚ୍ୟାଲେଞ୍ଜକୁ ମୁକାବିଲା କରିବା ପାଇଁ ‘ମିଲିଭ୍ୟୁ mmWave ବଡି ସ୍କାନର’ ଏକ ଉନ୍ନତ ସମାଧାନ ଭାବେ ଆସିଛି। ଏହା କୌଣସି ଶାରୀରିକ ସମ୍ପର୍କ ବିନା ଜଣେ ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ସ୍କ୍ରିନିଂ କରିପାରେ ଏବଂ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ଦ୍ରୁତ ଓ ନିର୍ଭରଯୋଗ୍ୟ କରେ।

କେବଳ ଧାତୁ ନୁହେଁ, ଅଣ-ଧାତୁ ବସ୍ତୁ ମଧ୍ୟ ଚିହ୍ନଟ କରିବ

ଏହି ସ୍କାନରର ସବୁଠାରୁ ବଡ଼ ବିଶେଷତା ହେଉଛି ଏହା କେବଳ ଧାତୁବ ବସ୍ତୁ ନୁହେଁ, ବରଂ ପ୍ଲାଷ୍ଟିକ୍‌, ଜେଲ୍‌, ପାଉଡର, ଜୈବିକ ପଦାର୍ଥ ଓ ଅନ୍ୟାନ୍ୟ ସନ୍ଦିଗ୍ଧ ସାମଗ୍ରୀକୁ ମଧ୍ୟ ଚିହ୍ନଟ କରିପାରିବ। କୌଣସି ବ୍ୟକ୍ତି ପୋଷାକ ତଳେ କିମ୍ବା ଶରୀରରେ ଲୁଚାଇଥିବା ସାମଗ୍ରୀକୁ ଏହା କେବଳ କିଛି ସେକେଣ୍ଡ ମଧ୍ୟରେ ଧରିପାରିବ। କମ୍ପାନୀ ଅନୁସାରେ, ଜଣେ ବ୍ୟକ୍ତିଙ୍କ ସ୍କ୍ରିନିଂ ୫ ସେକେଣ୍ଡରୁ କମ୍ ସମୟରେ ସମ୍ପୂର୍ଣ୍ଣ ହୋଇପାରିବ, ଯାହା ବିମାନବନ୍ଦର ଭଳି ସ୍ଥାନରେ ଲମ୍ବା ଧାଡ଼ି କମାଇବାରେ ସହାୟକ ହେବ।

AI ସହାୟତାରେ ବିପଦ ଚିହ୍ନଟ

ଏହି ନୂତନ ସ୍କାନରରେ କୃତ୍ରିମ ବୁଦ୍ଧିମତ୍ତା (AI) ଆଧାରିତ ଥ୍ରେଟ୍‌ ଡିଟେକ୍ସନ୍‌ ସିଷ୍ଟମ୍‌ ରହିଛି। ସ୍କ୍ରିନିଂ ସମୟରେ ଏହା ସ୍ୱୟଂଚାଳିତ ଭାବେ ସନ୍ଦେହଜନକ ବସ୍ତୁ କିମ୍ବା କାର୍ଯ୍ୟକଳାପକୁ ଚିହ୍ନଟ କରି ସୁରକ୍ଷା କର୍ମଚାରୀଙ୍କୁ ସତର୍କ କରିଥାଏ। ଫଳରେ ସୁରକ୍ଷା ଅଧିକାରୀମାନେ ତୁରନ୍ତ ଜାଣିପାରନ୍ତି ଯେ କେଉଁ ସ୍ଥାନରେ ଅଧିକ ଯାଞ୍ଚ ଆବଶ୍ୟକ। ପାରମ୍ପରିକ ମେଟାଲ୍ ଡିଟେକ୍ଟର ତୁଳନାରେ ଏହା ଅଧିକ ବ୍ୟାପକ ଭାବରେ ବିଭିନ୍ନ ପ୍ରକାରର ବିପଦକୁ ଚିହ୍ନଟ କରିପାରେ।

କ’ଣ କ’ଣ ଚିହ୍ନଟ କରିପାରିବ ଏହି ସ୍କାନର?

ଏହି ଅତ୍ୟାଧୁନିକ ବଡି ସ୍କାନର ତୀକ୍ଷ୍ଣ ଧାତବ ବସ୍ତୁ, ଅସ୍ତ୍ରଶସ୍ତ୍ର, ଗୁଳି, ବିସ୍ଫୋରକ, ଡିଟୋନେଟର, ଜ୍ୱଳନଶୀଳ ପଦାର୍ଥ, ପାଉଡର ଏବଂ ପ୍ଲାଷ୍ଟିକ୍‌ ନିର୍ମିତ ସାମଗ୍ରୀକୁ ସହଜରେ ଚିହ୍ନଟ କରିପାରିବ। ଏହି କାରଣରୁ ଏହାକୁ ବିମାନବନ୍ଦର ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନର ସୁରକ୍ଷା ପାଇଁ ବେଶ ଉପଯୋଗୀ ବୋଲି ମନାଯାଉଛି।

ଯାତ୍ରୀଙ୍କ ଗୋପନୀୟତାକୁ ମଧ୍ୟ ଦେବ ସୁରକ୍ଷା

ଏହି ସ୍କାନରର ଆଉ ଏକ ବଡ଼ ସୁବିଧା ହେଉଛି ଏହାର ‘ଟଚଲେସ୍‌’ ଯାଞ୍ଚ ପ୍ରକ୍ରିୟା। ଯାଞ୍ଚ ସମୟରେ ଯାତ୍ରୀଙ୍କୁ ଛୁଇଁବାର ଆବଶ୍ୟକତା ପଡ଼େ ନାହିଁ। ସେହିପରି, ଏହା କୌଣସି ବ୍ୟକ୍ତିଙ୍କର ପ୍ରକୃତ ଫଟୋ ସଂଗ୍ରହ କରେ ନାହିଁ। ବରଂ ଏକ ଭର୍ଚୁଆଲ୍ ମାନବ ଆକୃତି ଉପରେ ସନ୍ଦିଗ୍ଧ ସ୍ଥାନକୁ ଚିହ୍ନଟ କରି ଦେଖାଇଥାଏ। ଏହା ଦ୍ୱାରା ସୁରକ୍ଷା ସହ ଯାତ୍ରୀଙ୍କ ଗୋପନୀୟତା ମଧ୍ୟ ବଜାୟ ରହିଥାଏ।

ବିମାନବନ୍ଦରରୁ ରେଳ ଷ୍ଟେସନ୍‌ ପର୍ଯ୍ୟନ୍ତ ବ୍ୟବହାର

ମିଲିଭ୍ୟୁ ସ୍କାନର ନନ୍-ଆୟୋନାଇଜିଂ ମିଲିମିଟର ୱେଭ୍ ପ୍ରଯୁକ୍ତି ଉପରେ ଆଧାରିତ, ଯାହା ଶରୀର ପାଇଁ ସୁରକ୍ଷିତ ବୋଲି କମ୍ପାନୀ ଦାବି କରିଛି। ଏହାର ବିକିରଣ ସ୍ତର ଅତ୍ୟନ୍ତ କମ୍ ଥିବାରୁ ଦୀର୍ଘ ସମୟ ବ୍ୟବହାରରେ ମଧ୍ୟ ସୁରକ୍ଷା ମାନଦଣ୍ଡ ବଜାୟ ରହିଥାଏ। ବିମାନବନ୍ଦର ବ୍ୟତୀତ ଏହାକୁ ରେଳ ଷ୍ଟେସନ୍‌, ସରକାରୀ କାର୍ଯ୍ୟାଳୟ, ସମ୍ବେଦନଶୀଳ ପ୍ରତିଷ୍ଠାନ ଓ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା କ୍ଷେତ୍ରରେ ସ୍ଥାପନ କରାଯାଇପାରିବ। ଏହା ଦ୍ୱାରା କମ୍ ସମୟରେ ଅଧିକ ଲୋକଙ୍କ ସ୍କ୍ରିନିଂ ସମ୍ଭବ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଦକ୍ଷ ଓ ଆଧୁନିକ କରାଯାଇପାରିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score