Explore

Search

September 30, 2026 2:26 am

ମୁଖ କର୍କଟ ଚିକିତ୍ସାରେ ନୂଆ ଆଶା : ବ୍ରହ୍ମପୁର IISERକୁ ବଡ଼ ସଫଳତା

ବ୍ରହ୍ମପୁର : ସହଜ ହେବ ମୁଖ କର୍କଟ ଚିକିତ୍ସା । ବ୍ରହ୍ମପୁରସ୍ଥିତ IISER ଏବଂ ରାଉରକେଲାସ୍ଥିତ NITର ଗବେଷକମାନେ ମିଳିତ ଭାବେ ଏନେଇ ଏକ ନୂଆ ଔଷଧୀୟ ପଦାର୍ଥ ବିକଶିତ କରିଛନ୍ତି। ଏହି ଔଷଧକୁ ମୁଖ କର୍କଟର ଏକ ପ୍ରମୁଖ ପ୍ରକାର ବିରୋଧରେ ପରୀକ୍ଷା କରାଯାଇଛି ।
ଗବେଷଣାରେ ବିକଶିତ S-27 କୋଟାର୍ନିନ ଡେରିଭେଟିଭକୁ ଓରାଲ ସ୍କ୍ୱାମସ ସେଲ କାର୍ସିନୋମା ବା OSCC ବିରୋଧରେ ସମ୍ଭାବ୍ୟ ଆଣ୍ଟି-କ୍ୟାନସର ଔଷଧୀୟ ଭାବେ ଅଧ୍ୟୟନ କରାଯାଇଛି। ଏହି ଗବେଷଣାକୁ ଭାରତୀୟ ପେଟେଣ୍ଟ ମଧ୍ୟ ମିଳିଛି ।

ତେବେ ଏହି ଔଷଧକୁ ଏବେ ମାନବ ବ୍ୟବହାର ପାଇଁ ଅନୁମୋଦନ ମିଳିନାହିଁ । ମାନବ ଶରୀରରେ ବ୍ୟବହାର ପୂର୍ବରୁ ଆହୁରି ବ୍ୟାପକ ପରୀକ୍ଷଣ ଏବଂ କ୍ଲିନିକାଲ ଟ୍ରାଏଲ ଆବଶ୍ୟକ।
ମୁଖ କର୍କଟର ଚିକିତ୍ସା ଏକ ଦୀର୍ଘ ପ୍ରକ୍ରିୟା ହୋଇପାରେ। ରୋଗ କେତେ ବଢ଼ିଛି, କେଉଁ ଚିକିତ୍ସା ଦରକାର ଏବଂ କେଉଁ ହସ୍ପିଟାଲରେ ଚିକିତ୍ସା ହେଉଛି, ସେହି ଅନୁସାରେ ଖର୍ଚ୍ଚ ବଦଳିଥାଏ। ଭାରତରେ ମୁଖ କର୍କଟ ଚିକିତ୍ସାରେ ପ୍ରାୟ ୨.୫ ଲକ୍ଷରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ। ଅନେକ ପରିବାର ପାଇଁ ଏହା ବଡ଼ ଆର୍ଥିକ ଚାପ ସୃଷ୍ଟି କରେ। ଏଭଳି ସମୟରେ ନୂଆ ଔଷଧ ଉପରେ ଗବେଷଣା ଚାଲିଥିବାରୁ ଏହାକୁ ଗୁରୁତ୍ୱ ଦିଆଯାଉଛି।

ନୋସ୍କାପିନରୁ ପ୍ରସ୍ତୁତ ହେଲା S-27
ଏହି ଗବେଷଣାର ମୁଖ୍ୟ ଆଧାର ହେଉଛି ନୋସ୍କାପିନ୍। ଏହା ଅଫିମ ଗଛରୁ ମିଳୁଥିବା ଏକ ପ୍ରାକୃତିକ ଆଲକାଲଏଡ୍। ଗବେଷକମାନେ ନୋସ୍କାପିନର ରାସାୟନିକ ପରିବର୍ତ୍ତନ ମାଧ୍ୟମରେ କୋଟାର୍ନିନ ପ୍ରସ୍ତୁତ କରିଥିଲେ। ପରେ ଏହାକୁ ଅନ୍ୟ ରାସାୟନିକ ଯୌଗିକ ସହିତ ପ୍ରତିକ୍ରିୟା କରାଯାଇଥିଲା।
କିଛି ପର୍ଯ୍ୟାୟର ରାସାୟନିକ ପ୍ରକ୍ରିୟା ପରେ S-27 କୋଟାର୍ନିନ ଡେରିଭେଟିଭ ପ୍ରସ୍ତୁତ କରାଯାଇଛି। ଗବେଷଣାର ଆଉ ଏକ ଲକ୍ଷ୍ୟ ହେଉଛି ଔଷଧର ଗୁଣ ଏବଂ ଶରୀରରେ ଏହାର ବିତରଣ ସମ୍ପର୍କିତ ବିଷୟକୁ ବୁଝିବା । ଏହି ମିଳିତ ଗବେଷଣାରେ IISER ବ୍ରହ୍ମପୁରକୁ ବଡ ସଫଳତା ମିଳିଛି।

IISER ବ୍ରହ୍ମପୁରର କେମିକାଲ ସାଇନ୍ସ ବିଭାଗର ସହକାରୀ ପ୍ରଫେସରଙ୍କ କହିବା ଅନୁସାରେ, ମୁଖ କର୍କଟରେ ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି । ଏହାର ଚିକିତ୍ସାରେ ମଧ୍ୟ ଅନେକ ପରିବାର ଖର୍ଚ୍ଚାନ୍ତ ହେଉଛି। ଏହି ସମସ୍ୟାକୁ ନଜରରେ ରଖି ନୂଆ ନୂଆ ଔଷଧୀୟ ପଦାର୍ଥ ଉପରେ ଗବେଷଣା କରାଯାଇଛି। ଗବେଷଣାରେ ଏକ ସମ୍ଭାବ୍ୟ ଆଣ୍ଟି-କ୍ୟାନସର ଔଷଧ ବିକଶିତ ହୋଇଛି । ତେବେ ଏହାକୁ ଔଷଧରେ ପରିଣତ କରିବା ପାଇଁ ଆହୁରି ପରୀକ୍ଷଣ ଦରକାର ବୋଲି ପ୍ରଫେସର ସ୍ପଷ୍ଟ କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score