ବ୍ରହ୍ମପୁର : ମାତ୍ର ୯୯ ଟଙ୍କାରେ ବାଲକୋନି ସିଟରେ ବସି ସିନେମା ଦେଖିବାର ସୁଯୋଗ ! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବ୍ରହ୍ମପୁରରେ ଏହା ସତ ହୋଇଛି । ରେଶମ ସହରର ବିଭିନ୍ନ ସିନେମା ହଲରେ ପ୍ରତି ମଙ୍ଗଳବାର “ସ୍ପେଶାଲ୍ ଅଫର ଡେ” ଭାବେ ଟିକେଟ୍ ଦରକୁ କମାଇ ମାତ୍ର ୯୯ ଟଙ୍କା ରଖାଯାଉଛି । ଏହି ଆକର୍ଷଣୀୟ ଅଫର୍ ଫଳରେ ସହରର ସିନେମା ହଲଗୁଡ଼ିକରେ ଦର୍ଶକଙ୍କ ଭିଡ଼ ଦିନକୁ ଦିନ ବଢ଼ୁଥିବା ଦେଖିବାକୁ ମିଳୁଛି ।
ଗତ କିଛି ସପ୍ତାହ ଧରି ଏହି ଅଫର ଆରମ୍ଭ ହେବା ପରେ ସିନେପ୍ରେମୀଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖାଦେଇଛି । ସାଧାରଣତଃ ଗୋଟିଏ ସିନେମା ଟିକେଟ୍ ପାଇଁ ୨୦୦ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଥିବାବେଳେ, ଏବେ ଅର୍ଦ୍ଧ ଦରରୁ କମ୍ ମୂଲ୍ୟରେ ଫିଲ୍ମ ଦେଖିବାର ସୁଯୋଗ ମିଳୁଥିବାରୁ ମଧ୍ୟବିତ୍ତ ପରିବାର, ଯୁବପୀଢ଼ି ଏବଂ ଛାତ୍ରଛାତ୍ରୀ ହଲ୍ମୁଖୀ ହେଉଛନ୍ତି । ମାତ୍ର ୯୯ ଟଙ୍କାରେ ବଡ଼ ପର୍ଦ୍ଦାରେ ନୂଆ ଚଳଚ୍ଚିତ୍ର ଦେଖିବାର ଆନନ୍ଦ ଏବେ ଦର୍ଶକଙ୍କୁ ଆକର୍ଷିତ କରୁଛି ।
ବିଶ୍ୱସ୍ତରରେ ମହଙ୍ଗାମାଡ଼ ବଢ଼ୁଥିବା ଏବଂ ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତି ପରେ ଜୀବନଯାପନର ଖର୍ଚ୍ଚ ବଢ଼ିଥିବା ସମୟରେ ଲୋକମାନଙ୍କୁ ସ୍ୱଳ୍ପ ଖର୍ଚ୍ଚରେ ମନୋରଞ୍ଜନ ଦେବାକୁ ସିନେମା ହଲ୍ ମାଲିକମାନେ ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ଏହାସହିତ ନୂଆ ଓଡ଼ିଆ ଏବଂ ଆଞ୍ଚଳିକ ଚଳଚ୍ଚିତ୍ର ଗୁଡ଼ିକୁ ଅଧିକ ଦର୍ଶକଙ୍କ ପହଞ୍ଚରେ ଆଣିବା ମଧ୍ୟ ଏହି ଅଭିଯାନର ଲକ୍ଷ୍ୟ ।
ଗତ ମଙ୍ଗଳବାର ସହରର ଗୌତମ ହଲରେ ରିଲିଜ୍ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ଟିକେଟ ମାତ୍ର ୯୯ ଟଙ୍କାରେ ମିଳିଥିଲା । ଫଳରେ ବହୁ ସଂଖ୍ୟକ ଦର୍ଶକ ସିନେମା ଦେଖିବାକୁ ହଲରେ ଭିଡ ଜମାଇଥିଲେ। ସେହିପରି ରୁକ୍ମିଣୀ ସିନେମା ହଲରେ ପ୍ରଦର୍ଶିତ ‘କ୍ରିଷ୍ଣା ଅବତାରମ୍ ପାର୍ଟ-୧’ ଓ ଅନ୍ୟାନ୍ୟ ଚଳଚ୍ଚିତ୍ର ପାଇଁ ମଧ୍ୟ ଭଲ ଭିଡ଼ ଦେଖାଯାଇଥିଲା ।
ସେହିପରି ଦେଶବ୍ୟାପୀ ଚର୍ଚ୍ଚାରେ ଥିବା ବଲିଉଡ୍ ଚଳଚ୍ଚିତ୍ର ‘ଧୂରନ୍ଧର-୨’ର ଟିକେଟ୍ ମଧ୍ୟ ଏହି ଅଫର୍ରେ ମିଳୁଥିବାରୁ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦୁଇଗୁଣା ହୋଇଥିଲା । ପ୍ରାୟ ୪ ଘଣ୍ଟା ସମୟର ଏହି ଚଳଚ୍ଚିତ୍ର ରିଲିଜ୍ ସମୟରେ ଟିକେଟ୍ ଦର ବହୁତ ଅଧିକ ଥିଲା । କିନ୍ତୁ ଏବେ ମାତ୍ର ୯୯ ଟଙ୍କାରେ ଏହା ଦେଖିବାର ସୁଯୋଗ ମିଳୁଥିବାରୁ ଅନେକ ଦର୍ଶକ ଖୁସି ପ୍ରକାଶ କରିଛନ୍ତି ।
ଗୌତମ ହଲ୍ର ମ୍ୟାନେଜର କହିଛନ୍ତି, “ମଙ୍ଗଳବାରର ଏହି ଅଫର୍ ଆରମ୍ଭ ହେବା ପରଠାରୁ ହଲ୍ରେ ଭଲ ଭିଡ଼ ହେଉଛି । ଟିକେଟ ବିକ୍ରି ପୂର୍ବପେକ୍ଷା ୨ରୁ ୩ ଗୁଣା ବଢ଼ିଛି । ଲୋକମାନେ ପରିବାର ସହ ହଲ୍କୁ ଆସି ସିନେମା ଦେଖୁଛନ୍ତି ।”
ସ୍ଥାନୀୟ ବାସିନ୍ଦା ପି. ସନ୍ତୋଷ କୁମାର ପାତ୍ରଙ୍କ ମତରେ, “ଏଭଳି ଅଫର ଦର୍ଶକଙ୍କୁ ପୁଣିଥରେ ସିନେମା ହଲ୍ମୁଖୀ କରୁଛି । ଏହା ଓଡ଼ିଆ ସିନେମା ପାଇଁ ମଧ୍ୟ ଏକ ସକାରାତ୍ମକ ପଦକ୍ଷେପ ।” ସେହିପରି ସିନେମା ଦେଖିବାକୁ ଆସିଥିବା ଛାତ୍ରୀ ଶ୍ରୀୟା ଓ ସ୍ଥାନୀୟ ଯୁବକ ସାଇସୁନ୍ଦର ପ୍ରଧାନ କହିଛନ୍ତି ଯେ କମ୍ ଦରରେ ଟିକେଟ୍ ମିଳୁଥିବାରୁ ସମସ୍ତେ ସପରିବାର ହଲ୍କୁ ଆସି ସିନେମାର ମଜା ନେଇପାରୁଛନ୍ତି ।
ସିନେପ୍ରେମୀମାନଙ୍କ କହିବା ଅନୁସାରେ, ଏଭଳି ପଦକ୍ଷେପ ନୂଆ ଅଭିନେତା ଓ ଅଭିନେତ୍ରୀଙ୍କ ଚଳଚ୍ଚିତ୍ରକୁ ଅଧିକ ପ୍ରଚାର ଦେବା ସହ ସିନେମା ଶିଳ୍ପକୁ ମଧ୍ୟ ନୂଆ ଉତ୍ସାହ ଦେବ । ଫିଲ୍ମ ପ୍ରଯୋଜନା ସଂସ୍ଥା ଓ ସିନେମା ହଲ୍ ମାଲିକମାନଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଫଳରେ ସପ୍ତାହକୁ ଗୋଟିଏ ଦିନ କମ୍ ଦରରେ ଟିକେଟ୍ ମିଳୁଥିବା ନିଶ୍ଚିତ ଭାବେ ଦର୍ଶକ ଓ ସିନେମା ଜଗତ ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
