Explore

Search

June 23, 2026 9:58 pm

ମଧ୍ୟପ୍ରାଚ୍ୟ ସଙ୍କଟର ପ୍ରଭାବ: ଓଡ଼ିଶାରେ ସାର ଯୋଗାଣ ଉପରେ କଡ଼ା ନଜର, ଖରିଫ ଋତୁ ପାଇଁ ସରକାରଙ୍କ ସ୍ୱତନ୍ତ୍ର ପ୍ରସ୍ତୁତି

ଭୁବନେଶ୍ୱର : ବିଶ୍ୱ ପରିସ୍ଥିତି ଓ ପାଣିପାଗ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖରିଫ ଋତୁ ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଅସ୍ଥିର ପରିସ୍ଥିତି ଯୋଗୁଁ ସାର ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେବାର ଆଶଙ୍କା ଥିବାବେଳେ, ଓଡ଼ିଶାରେ କୃଷକମାନେ ଯେପରି ସାର ଅଭାବର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସରକାର ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ବିଭିନ୍ନ ବିଭାଗକୁ ସତର୍କ ଓ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି କୃଷି କ୍ଷେତ୍ରକୁ ପ୍ରାଥମିକତା ଦେଇ ୟୁରିଆ ଓ କମ୍ପ୍ଲେକ୍ସ ସାରର ଯୋଗାଣ ଉପରେ ନିୟମିତ ନଜର ରଖିବା ସହ ଆବଶ୍ୟକ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ନାନୋ ୟୁରିଆ ମହଜୁଦ ରଖିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି ।

ଏହାସହ ଚଳିତ ବର୍ଷ ଏଲ ନିନୋ ପ୍ରଭାବ ଯୋଗୁଁ ସ୍ୱାଭାବିକ ତୁଳନାରେ କମ୍ ବର୍ଷା ହେବାର ସମ୍ଭାବନା ଥିବାରୁ କୃଷି ବିଭାଗକୁ ବିକଳ୍ପ ଫସଲ ଓ ଜଳ ପରିଚାଳନା ପାଇଁ ସ୍ୱତନ୍ତ୍ର କଣ୍ଟିଜେନ୍ସି ପ୍ଲାନ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ବୃଷ୍ଟିପାତ, ଜଳସ୍ତର, ବିହନ ବଣ୍ଟନ ଓ ଫସଲ ଯୋଜନାର ନିୟମିତ ସମୀକ୍ଷା ପାଇଁ ରାଜ୍ୟସ୍ତରୀୟ ମନିଟରିଂ ବ୍ୟବସ୍ଥା ସକ୍ରିୟ ରହିଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶ ଓ ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଛି। “ଜିରୋ କାଜୁଆଲ୍ଟି” ନୀତିକୁ ଆଧାର କରି ରାଜ୍ୟ ବର୍ଷ ବର୍ଷ ଧରି ସଫଳତାର ସହ ବିପର୍ଯ୍ୟୟର ମୁକାବିଲା କରିଆସୁଛି। ଏହି ସଫଳ ମଡେଲକୁ ଆହୁରି ସୁଦୃଢ଼ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ।

ସାରର କଳାବଜାରୀ ରୋକିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ନିରୀକ୍ଷଣ କମିଟି ଗଠନ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନକୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି। କୃଷକମାନେ ଯେପରି ସଠିକ୍ ସମୟରେ ସାର ଓ ବିହନ ପାଇପାରିବେ, ସେଥିପାଇଁ ଯୋଗାଣ ବ୍ୟବସ୍ଥାକୁ ଆହୁରି ମଜବୁତ କରାଯାଉଛି ।

ଅନ୍ୟପଟେ ବାତ୍ୟା, ବନ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପଦର ମୁକାବିଲା ପାଇଁ ରାଜ୍ୟର ୯୧୧ଟି ବହୁମୁଖୀ ଆଶ୍ରୟସ୍ଥଳୀକୁ ସଜାଗ ଅବସ୍ଥାରେ ରଖାଯାଇଛି। ପାନୀୟଜଳ, ବିଦ୍ୟୁତ, ଖାଦ୍ୟ ଓ ଜରୁରୀ ସେବା ସୁନିଶ୍ଚିତ କରିବା ସହ ଉଦ୍ଧାରକାରୀ ବାହିନୀମାନଙ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।

ବର୍ତ୍ତମାନ ରାଜ୍ୟରେ ୨୦ଟି ଓଡ୍ରାଫ୍ ୟୁନିଟ୍ ଓ ୩୪୭ଟି ଅଗ୍ନିଶମ କେନ୍ଦ୍ର କାର୍ଯ୍ୟକ୍ଷମ ରହିଥିବା ବେଳେ ଆହୁରି ୧୦ଟି ନୂତନ ଓଡ୍ରାଫ୍ ୟୁନିଟ୍ ଗଠନ ପ୍ରକ୍ରିୟା ଚାଲିଛି । ଏହାସହ ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ, ୧୧୨ ହେଲ୍ପଲାଇନ ଓ ମୋବାଇଲ ଆଲର୍ଟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସକ୍ରିୟ ରଖାଯାଇଛି ।

ସରକାରଙ୍କ ଲକ୍ଷ୍ୟ ହେଉଛି ଯେ, ସମ୍ଭାବ୍ୟ ଖରା, ସାର ସଙ୍କଟ କିମ୍ବା ପ୍ରାକୃତିକ ବିପଦ ସତ୍ତ୍ୱେ ମଧ୍ୟ କୃଷକ ଓ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ସର୍ବନିମ୍ନ ରହୁ ଏବଂ ସମସ୍ତ ଆବଶ୍ୟକୀୟ ସେବା ନିରବଚ୍ଛିନ୍ନ ଭାବେ ଉପଲବ୍ଧ ହେଉ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score