ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ-୨୦୨୬। ଜୟଦେବ ଭବନରେ ଆୟୋଜିତ ଏହି ଚାରି ଦିନିଆ ଚଳଚ୍ଚିତ୍ର ମହୋତ୍ସବର ତୃତୀୟ ସଂସ୍କରଣରେ ଦେଶର ବିଭିନ୍ନ ଭାଷାର ଚୟନୀୟ ଏବଂ ପୁରସ୍କୃତ ସିନେମା ପ୍ରଦର୍ଶିତ ହେଉଛି । ସିନେମାପ୍ରେମୀ, ଛାତ୍ରଛାତ୍ରୀ, କଳାକାର, ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଉପସ୍ଥିତିରେ ଉତ୍ସବର ପ୍ରଥମ ଦିନଟି ଉତ୍ସାହମୟ ପରିବେଶରେ କଟିଛି।
ମହୋତ୍ସବର ଶୁଭାରମ୍ଭ ଓଡ଼ିଆ ସିନେମା ‘ଲକ୍ଷ୍ମୀ’ର ପ୍ରଦର୍ଶନ ମାଧ୍ୟମରେ ହୋଇଥିଲା। ଏହାପରେ ‘ଲହରୀ’ ଓ ‘ମାଗୁଣିର ଶଗଡ଼’ ଭଳି ଚଳଚ୍ଚିତ୍ର ଦର୍ଶକଙ୍କ ମନ ଜିତିଥିଲା। ପ୍ରଥମ ଦିନରେ ଓଡ଼ିଆ, ହିନ୍ଦୀ ଓ ଉର୍ଦ୍ଦୁ ଭାଷାର ମୋଟ ପାଞ୍ଚଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିବାବେଳେ ରାତିରେ ଉର୍ଦ୍ଦୁ ଚଳଚ୍ଚିତ୍ର ‘White Snow’ ଏବଂ କ୍ଲାସିକ୍ ହିନ୍ଦୀ ଫିଲ୍ମ ‘Do Bigha Zamin’ର ପ୍ରଦର୍ଶନ ରହିଛି।
ଫିଲ୍ମ ଫେଷ୍ଟିଭାଲର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଆ ସିନେମାର ଐତିହ୍ୟକୁ ସଂରକ୍ଷଣ କରିବା, ଯୁବପିଢ଼ିଙ୍କୁ ଚଳଚ୍ଚିତ୍ର ସଂସ୍କୃତି ସହ ଯୋଡ଼ିବା ଏବଂ ଓଡ଼ିଆ ଫିଲ୍ମର ସମୃଦ୍ଧ ଇତିହାସକୁ ବିଶ୍ୱସ୍ତରରେ ପହଞ୍ଚାଇବା। ଏହି ଉତ୍ସବରେ ପୁରୁଣା ଓ ହଜିଯାଉଥିବା କ୍ଲାସିକ୍ ଚଳଚ୍ଚିତ୍ର ଗୁଡ଼ିକୁ ପୁନଃ ପ୍ରଦର୍ଶନ କରାଯାଉଥିବାରୁ ନୂତନ ପୀଢ଼ି ସେଗୁଡ଼ିକୁ ନିକଟରୁ ଜାଣିବାର ସୁଯୋଗ ପାଉଛନ୍ତି ।
କେବଳ ସିନେମା ପ୍ରଦର୍ଶନରେ ଏହି ମହୋତ୍ସବ ସୀମିତ ନୁହେଁ । ଭୁବନେଶ୍ୱର ଫିଲ୍ମ ସର୍କଲ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ, ଆଲୋଚନାଚକ୍ର ଓ ମାଷ୍ଟରକ୍ଲାସ ମାଧ୍ୟମରେ ଭୁବନେଶ୍ୱର ସିନେମାପ୍ରେମୀଙ୍କ ମିଳନସ୍ଥଳୀ ପାଲଟିବ। ଚଳଚ୍ଚିତ୍ର କଳାକୁ ନେଇ ଏଭଳି ଏକ ବ୍ୟାପକ ଆୟୋଜନ ରାଜ୍ୟର ସିନେ ସଂସ୍କୃତିକୁ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
