ଭିକ ମାଗୁଛି ରୋବର୍ଟ । କଥା ଟା ଟିକେ ଅଜବ । ଚୀନର ରାସ୍ତାରେ ଜଣେ ରୋବଟ ଭିକ ମାଗୁଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ରୋବଟଟି ଲୋକଙ୍କ ଆଗରେ ଆଣ୍ଠେଇ ପଡ଼ୁଛି। ହାତ ଯୋଡ଼ି ଟଙ୍କା ମାଗୁଛି। ଟଙ୍କା ନଥିଲେ ଲୋକଙ୍କୁ QR କୋଡ୍ ସ୍କାନ କରିବାକୁ କହୁଛି।
ଏହି ଦୃଶ୍ୟ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି। କାରଣ ସାଧାରଣତଃ ରୋବଟକୁ ମଣିଷଙ୍କ କାମ ସହଜ କରିବା ପାଇଁ ତିଆରି କରାଯାଏ। ହେଲେ ଏଠାରେ ଏକ ରୋବଟ ନିଜ ପାଇଁ ଟଙ୍କା ମାଗୁଥିବା ଦେଖିବାକୁ ମିଳିଛି।
ରୋବଟ କାହିଁକି ମାଗୁଛି ଟଙ୍କା?
ଭାଇରାଲ ଭିଡିଓରେ ରୋବଟଟି ରାସ୍ତା କଡ଼ରେ ବସିଥିବା ଦେଖାଯାଉଛି। ତା’ ସାମ୍ନାରେ ଏକ ପାତ୍ର ରଖାଯାଇଛି। ପାଖରେ ଏକ QR କୋଡ୍ ମଧ୍ୟ ରହିଛି। ରୋବଟଟି ଲୋକଙ୍କୁ ଟଙ୍କା ଦେବାକୁ ଅନୁରୋଧ କରୁଛି। ଭିଡିଓରେ ଏହା ମଜାଦାର ଭାବରେ କହୁଛି ଯେ, ତା’ ପାଖରେ ରିଚାର୍ଜ କରିବା ପାଇଁ ଟଙ୍କା ନାହିଁ। ବିଜୁଳି ବିଲ୍ ଦେବାରେ ସାହାଯ୍ୟ କରିବାକୁ ମଧ୍ୟ ଏହା ଲୋକଙ୍କୁ କହୁଛି। ଏହି ଅଭିନୟ ଦେଖି କିଛି ଲୋକ ରୋବଟକୁ ଟଙ୍କା ଦେଉଛନ୍ତି। ଟଙ୍କା ପାଇବା ପରେ ରୋବଟଟି ମୁଣ୍ଡ ନୁଆଁଇ ଧନ୍ୟବାଦ ଦେଉଥିବା ଦୃଶ୍ୟ ମଧ୍ୟ ଭିଡିଓରେ ରହିଛି।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଦେଖି ଲୋକେ ବିଭିନ୍ନ ପ୍ରକାରର ମଜାଦାର ପ୍ରତିକ୍ରିୟା ଦେଉଛନ୍ତି। କେହି ଏହାକୁ ରୋବଟର ନୂଆ କାରନାମା ବୋଲି କହୁଛନ୍ତି। ଆଉ କେହି ଏହାକୁ ଟେକ୍ନୋଲୋଜିର ନୂଆ ରୂପ ବୋଲି କହିଛନ୍ତି।
ଭାଇରାଲ ହୋଇଥିବା ରୋବଟଟି ଚୀନର ରୋବୋଟିକ୍ସ କମ୍ପାନୀ ୟୁନିଟ୍ରି ସହ ଜଡ଼ିତ ବୋଲି କୁହାଯାଉଛି। ୟୁନିଟ୍ରି ମାନବ ଆକୃତିର ରୋବଟ ତିଆରି କରୁଥିବା ଏକ ପରିଚିତ ରୋବୋଟିକ୍ସ କମ୍ପାନୀ। କିଛି ଦିନ ପୂର୍ବରୁ ମଧ୍ୟ ଏହି କମ୍ପାନୀର ଏକ ରୋବଟ ଚର୍ଚ୍ଚାରେ ଥିଲା। ଏବେ ରାସ୍ତାରେ ଭିକ ମାଗୁଥିବା ରୋବଟର ଭିଡିଓ ପୁଣି ଥରେ କମ୍ପାନୀକୁ ଚର୍ଚ୍ଚାକୁ ଆଣିଛି।
ଏହା ସତରେ ଭିକ ନା ମାର୍କେଟିଂ ?
ରୋବଟଟି ସତରେ ଟଙ୍କା ଆବଶ୍ୟକ କରୁଛି କି ନାହିଁ, ତାହା ନେଇ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ତେବେ ଏହା ପଛରେ କମ୍ପାନୀର ମାର୍କେଟିଂ ଯୋଜନା ଥାଇପାରେ ବୋଲି ଚର୍ଚ୍ଚା ହେଉଛି। ରୋବଟକୁ ନେଇ ଲୋକଙ୍କ ଆଗ୍ରହ ବଢ଼ାଇବା ଏବଂ ଏହାକୁ ସୋସିଆଲ ମିଡିଆରେ ଚର୍ଚ୍ଚିତ କରିବା ଏହି ଘଟଣାର ଉଦ୍ଦେଶ୍ୟ ହୋଇପାରେ।
ତେବେ ରୋବଟର ଏହି ଅଜବ ଅନୁରୋଧ ଏବେ ଅନେକଙ୍କୁ ହସାଇବା ସହ ଟେକ୍ନୋଲୋଜିର ଭବିଷ୍ୟତ ନେଇ ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଛି। ମଣିଷଙ୍କ ଭଳି କଥା କହିବା, ହାତ ଯୋଡ଼ିବା ଏବଂ ଟଙ୍କା ମାଗିବା ଭଳି କାମ କରୁଥିବା ଏହି ରୋବଟ ଆଗାମୀ ଦିନରେ ଆହୁରି କ’ଣ କରିପାରିବ, ତାହା ଦେଖିବା ରୋଚକ ହେବ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
