Explore

Search

May 18, 2026 8:42 pm

ଭାରତ ପାଇଁ ଗୌରବର ମୁହୂର୍ତ୍ତ : ସ୍ୱୀଡେନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସର୍ବୋଚ୍ଚ ସମ୍ମାନ

ଭୁବନେଶ୍ୱର : ଭାରତର ବିଶ୍ୱ ମଞ୍ଚରେ ବଢ଼ୁଥିବା ପ୍ରଭାବର ଆଉ ଏକ ଦୃଢ଼ ପ୍ରମାଣ ଦେଖିବାକୁ ମିଳିଛି ସ୍ୱୀଡେନ୍‌ରେ। ରବିବାର (ମେ ୧୭) ଠାରୁ ଦୁଇ ଦିନିଆ ସ୍ୱୀଡେନ୍ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କୁ ସେଠାକାର ସରକାର ପକ୍ଷରୁ ଦେଶର ସର୍ବୋଚ୍ଚ ରାଜକୀୟ ସମ୍ମାନ “ରୟାଲ୍ ଅର୍ଡର ଅଫ୍ ଦି ପୋଲାର୍ ଷ୍ଟାର କମାଣ୍ଡର ଗ୍ରାଣ୍ଡ କ୍ରସ୍” ପ୍ରଦାନ କରାଯାଇଛି। କୌଣସି ବିଦେଶୀ ରାଷ୍ଟ୍ରନାୟକଙ୍କୁ ଦିଆଯାଉଥିବା ସ୍ୱୀଡେନ୍‌ର ଏହା ସର୍ବୋଚ୍ଚ ସମ୍ମାନ ହେବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ଯୋଡ଼ାଯାଇଥିବା ୩୧ତମ ଆନ୍ତର୍ଜାତୀୟ ସମ୍ମାନ ଭାବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି।

ସ୍ୱୀଡେନ୍ ପ୍ରଧାନମନ୍ତ୍ରୀ ଉଲ୍ଫ୍ କ୍ରିଷ୍ଟର୍ସନ୍ ନିଜେ ବିମାନବନ୍ଦରରେ ଉପସ୍ଥିତ ରହି ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ମୋଦିଙ୍କ ବିମାନ ସ୍ୱୀଡେନ୍ ବାୟୁସୀମାରେ ପ୍ରବେଶ କରିବା ପରେ ସ୍ୱୀଡିଶ ବାୟୁସେନାର ଯୁଦ୍ଧ ବିମାନ ଦ୍ୱାରା ସୁରକ୍ଷା ଏସ୍କର୍ଟ ପ୍ରଦାନ କରାଯିବା ମଧ୍ୟ ଏହି ଗସ୍ତକୁ ବିଶେଷ ମର୍ଯ୍ୟାଦା ଦେଇଥିଲା। ଏହି ସ୍ୱାଗତ ସମ୍ମାନ ଭାରତ-ସ୍ୱୀଡେନ୍ ସମ୍ପର୍କର ଗାଢ଼ତା ଓ ଦୁଇ ଦେଶ ମଧ୍ୟରେ ବଢୁଥିବା କୂଟନୀତିକ ସମ୍ପର୍କର ପ୍ରତିଫଳନ ବୋଲି କୁହାଯାଉଛି।

ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱୀଡେନ୍ ପ୍ରଧାନମନ୍ତ୍ରୀ କ୍ରିଷ୍ଟର୍ସନଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଆଲୋଚନାର କେନ୍ଦ୍ରବିନ୍ଦୁରେ ଥିଲା ବାଣିଜ୍ୟ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ହରିତ ଉର୍ଜା, କୃତ୍ରିମ ବୁଦ୍ଧିମତ୍ତା (AI), ମହାକାଶ ଗବେଷଣା, ଷ୍ଟାର୍ଟଅପ୍ ଓ ଜଳବାୟୁ ପରିବର୍ତ୍ତନ ଭଳି ଭବିଷ୍ୟତମୁଖୀ କ୍ଷେତ୍ର। ଉଭୟ ନେତା ଭାରତ-ସ୍ୱୀଡେନ୍ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜକୁ ସଂଯୁକ୍ତ ଭାବେ ମୁକାବିଲା କରିବା ପାଇଁ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ।

ଦୁଇ ଦେଶ ମଧ୍ୟରେ ବଢୁଥିବା ଆର୍ଥିକ ସହଯୋଗ ମଧ୍ୟ ଏହି ଗସ୍ତର ମୁଖ୍ୟ ଆକର୍ଷଣ ଥିଲା। ବର୍ତ୍ତମାନ ଭାରତ-ସ୍ୱୀଡେନ୍ ବାଣିଜ୍ୟ କାରବାର ପ୍ରାୟ ୭.୭୫ ବିଲିୟନ ଆମେରିକୀୟ ଡଲାରକୁ ପହଞ୍ଚିଥିବା ଆକଳନ କରାଯାଉଛି। ଉଭୟ ଦେଶ ପାରସ୍ପରିକ ବିନିଯୋଗ ବୃଦ୍ଧି, ନୂତନ ଶିଳ୍ପ ସହଯୋଗ ଏବଂ ନବୀନ ପ୍ରଯୁକ୍ତି ବିକାଶ ଦିଗରେ ଆହୁରି ନିକଟତର ହେବାକୁ ସହମତି ପ୍ରକାଶ କରିଥିଲେ। ବିଶେଷ କରି ସବୁଜ ପରିବର୍ତ୍ତନ ଓ ସୁଦୃଢ଼ ଯୋଗାଣ ଶୃଙ୍ଖଳ ନିର୍ମାଣରେ ଦୁଇ ଦେଶ ମଧ୍ୟରେ ଭବିଷ୍ୟତରେ ବ୍ୟାପକ ସହଯୋଗର ସମ୍ଭାବନା ଦେଖାଯାଉଛି।

ଏହା ପୂର୍ବରୁ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ସ୍ୱୀଡେନ୍ ଗସ୍ତ କରିଥିଲେ। ସେହି ସମୟରୁ ଭାରତ ଓ ନୋର୍ଡିକ୍ ଦେଶମାନଙ୍କ ମଧ୍ୟରେ ନୂତନ ଅର୍ଥନୈତିକ ଓ କୂଟନୀତିକ ସମ୍ପର୍କର ଆରମ୍ଭ ହୋଇଥିବା ବିଶ୍ଳେଷକମାନେ କହୁଛନ୍ତି। ବର୍ତ୍ତମାନର ଏହି ଗସ୍ତ ଦୁଇ ଦେଶର ସମ୍ପର୍କକୁ ଆଉ ଏକ ନୂତନ ଉଚ୍ଚତାକୁ ନେଇଯାଇଛି।

ଗୋଥେନବର୍ଗରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ କରିଥିଲେ । ସେଠାରେ ଭାରତୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା। ସ୍ୱୀଡିଶ ଅପେରା ଗାୟିକା ଚାର୍ଲୋଟା ହଲ୍ଟଙ୍କ ଦ୍ୱାରା “ବୈଷ୍ଣବ ଜନ ତୋ” ଗୀତ ସହ ଲୀଲା ଏକାଡେମୀର ଛାତ୍ରଛାତ୍ରୀଙ୍କ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ ଅତିଥିମାନଙ୍କ ମନକୁ ଛୁଇଁଥିଲା। ସ୍ୱାଗତ ସମାରୋହରେ ବଙ୍ଗାଳୀ ସଂସ୍କୃତିର ସୁନ୍ଦର ଉପସ୍ଥାପନା ମଧ୍ୟ ଦେଖାଯାଇଥିଲା।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ ଲେଖିଥିଲେ, “ବଙ୍ଗାଳୀ ସଂସ୍କୃତି ସାରା ବିଶ୍ୱରେ ଲୋକପ୍ରିୟ ଏବଂ ସ୍ୱୀଡେନ୍ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ।” ତାଙ୍କର ଏହି ମତାମତ ଭାରତୀୟ ସଂସ୍କୃତିର ବିଶ୍ୱବ୍ୟାପୀ ପ୍ରଭାବକୁ ଆଉଥରେ ଉଜାଗର କରିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score