ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଏବଂ ବିଶ୍ୱସ୍ତରୀୟ ଶକ୍ତି ସଙ୍କଟ ମଧ୍ୟରେ ଭାରତର କୂଟନୈତିକ ସକ୍ରିୟତା ଆହୁରି ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ସଂଯୁକ୍ତ ଆରବ ଏମିରେଟ୍ସ (UAE) ଗସ୍ତ କରି ଆବୁଧାବିରେ ୟୁଏଇ ନେତୃତ୍ୱ ସହ ଉଚ୍ଚସ୍ତରୀୟ ଆଲୋଚନା କରିଥିଲେ। ଦେଶରେ ବଢୁଥିବା ଇନ୍ଧନ ମୂଲ୍ୟ, ପଶ୍ଚିମ ଏସିଆରେ ଅସ୍ଥିରତା ଏବଂ ବିଶ୍ୱ ବାଣିଜ୍ୟ ଉପରେ ଯୁଦ୍ଧର ପ୍ରଭାବ ମଧ୍ୟରେ ଏହି ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି।
ଆବୁଧାବିରେ ପ୍ରଧାନମନ୍ତ୍ରୀ ମୋଦି ଓ ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନାରେ ଶକ୍ତି ସୁରକ୍ଷା, ପ୍ରତିରକ୍ଷା ସହଯୋଗ, ବାଣିଜ୍ୟ, ନିବେଶ ଏବଂ ଲୋକ-ଲୋକ ସମ୍ପର୍କ ଭଳି ଅନେକ ମୁଖ୍ୟ ବିଷୟ ଉପରେ ଚର୍ଚ୍ଚା ହୋଇଥିଲା । ଉଭୟ ଦେଶ ରଣନୈତିକ ସହଭାଗୀତାକୁ ଆହୁରି ସୁଦୃଢ କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU) ଉପରେ ସ୍ୱାକ୍ଷର କରିଥିଲେ। ଏଥିରେ ତରଳ ପେଟ୍ରୋଲିୟମ୍ ଗ୍ୟାସ୍ (LPG) ଯୋଗାଣ, ରଣନୈତିକ ପେଟ୍ରୋଲିୟମ୍ ସଂରକ୍ଷଣ, ପ୍ରତିରକ୍ଷା ଢାଞ୍ଚା ଉନ୍ନୟନ ଓ ଭାରତୀୟ ଭିତ୍ତିଭୂମି କ୍ଷେତ୍ରରେ ବଡ଼ ପରିମାଣର ନିବେଶ ସମ୍ମିଳିତ ରହିଛି।
ସୂଚନା ଅନୁସାରେ, ୟୁଏଇ ପକ୍ଷରୁ ଭାରତର ଅର୍ଥନୀତି ଏବଂ ଅବକାଠା କ୍ଷେତ୍ରରେ ପ୍ରାୟ ୫ ବିଲିୟନ ଡଲାର ନିବେଶ କରାଯିବ। ଏହା ସହିତ ଗୁଜରାଟର ଦ୍ୱାରକା ଜିଲ୍ଲାର ଭାଡିନାରରେ ଏକ ବୃହତ୍ ଜାହାଜ ମରାମତି କ୍ଲଷ୍ଟର ସ୍ଥାପନ ପାଇଁ ମଧ୍ୟ ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପ ଭାରତର ସମୁଦ୍ର ବାଣିଜ୍ୟ କ୍ଷମତାକୁ ବୃଦ୍ଧି କରିବା ସହିତ ଗୁଜରାଟକୁ ଏକ ମୁଖ୍ୟ ମାରିଟାଇମ୍ ହବ୍ ଭାବେ ଗଢ଼ି ତୋଳିବ ବୋଲି ମନେ କରାଯାଉଛି।
ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି କହିଥିଲେ ଯେ ଭାରତ ସଦା ସର୍ବଦା ୟୁଏଇ ସହ କାନ୍ଧକୁ କାନ୍ଧ ମିଶାଇ ଦଣ୍ଡାୟମାନ ରହିବ । ସେ କହିଥିଲେ, ପଶ୍ଚିମ ଏସିଆରେ ଶାନ୍ତି ଓ ସ୍ଥିରତା ପୁନଃସ୍ଥାପନ ପାଇଁ ଭାରତ ସମସ୍ତ ପ୍ରକାରର ସହଯୋଗ ଦେବାକୁ ପ୍ରସ୍ତୁତ। ଯୁଦ୍ଧ ଯେପରି ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରୁଛି, ତାହା ଉପରେ ଚିନ୍ତା ବ୍ୟକ୍ତ କରି ସେ କୂଟନୀତି ଏବଂ ଆଲୋଚନାକୁ ସମାଧାନର ସର୍ବଶ୍ରେଷ୍ଠ ପଥ ବୋଲି ବର୍ଣ୍ଣନା କରିଥିଲେ।
ଏହାସହ ପ୍ରଧାମନ୍ତ୍ରୀ ଇରାନ ଦ୍ୱାରା ୟୁଏଇ ଉପରେ ହୋଇଥିବା ଆକ୍ରମଣର ନିନ୍ଦା କରିବା ସହିତ ହର୍ମୁଜ୍ ପ୍ରଣାଳୀର ସୁରକ୍ଷା ଓ ସ୍ୱାଧୀନ ନୌଚଳାଚଳର ଗୁରୁତ୍ୱ ଉପରେ ମଧ୍ୟ ଜୋର ଦେଇଥିଲେ। ସେ କହିଥିଲେ ଯେ ହର୍ମୁଜ୍ ପ୍ରଣାଳୀ ବିଶ୍ୱ ଶକ୍ତି ଯୋଗାଣର ଏକ ମୁଖ୍ୟ ମାର୍ଗ ହେବାରୁ ଏହା “ମୁକ୍ତ ଏବଂ ଖୋଲା” ରହିବା ଆବଶ୍ୟକ। ଅନ୍ତର୍ଜାତୀୟ ଆଇନକୁ ସମ୍ମାନ କରି ସମସ୍ତ ଦେଶ ଶାନ୍ତିପୂର୍ଣ୍ଣ ଭାବେ ସମସ୍ୟାର ସମାଧାନ କରିବାକୁ ସେ ଆହ୍ୱାନ ଜଣାଇଥିଲେ।
ବର୍ତ୍ତମାନର ବିଶ୍ୱ ପରିସ୍ଥିତିରେ ଭାରତ-ୟୁଏଇ ଭାଗୀଦାରି କେବଳ ଆର୍ଥିକ ସମ୍ପର୍କରେ ସୀମିତ ନୁହେଁ, ବରଂ ଏହା ଆଞ୍ଚଳିକ ସ୍ଥିରତା ଓ ବିଶ୍ୱ ଶାନ୍ତି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଆଗାମୀ ସମୟରେ ଦୁଇ ଦେଶ ପ୍ରତ୍ୟେକ କ୍ଷେତ୍ରରେ ଏକାଠି ଆଗକୁ ବଢ଼ିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଉଲ୍ଲେଖନୀୟ ଯେ, ୟୁଏଇ ବର୍ତ୍ତମାନ ଭାରତର ତୃତୀୟ ସର୍ବବୃହତ ବାଣିଜ୍ୟିକ ଅଂଶୀଦାର ଅଟେ। ଗତ ୨୫ ବର୍ଷ ଧରି ୟୁଏଇ ଭାରତର ଏକ ପ୍ରମୁଖ ନିବେଶ ଉତ୍ସ ଭାବେ ରହିଆସିଛି। ଏହା ସହିତ, ପ୍ରାୟ ୪୫ ଲକ୍ଷ ଭାରତୀୟ ୟୁଏଇରେ ବସବାସ କରୁଥିବାରୁ ଉଭୟ ଦେଶ ମଧ୍ୟରେ ଲୋକ-ଲୋକ ସମ୍ପର୍କ ମଧ୍ୟ ବହୁତ ଦୃଢ। ଏହି ଗସ୍ତ ସମୟରେ ପ୍ରବାସୀ ଭାରତୀୟଙ୍କ କଲ୍ୟାଣ, ନିଯୁକ୍ତି ଏବଂ ସୁରକ୍ଷା ବିଷୟରେ ମଧ୍ୟ ଆଲୋଚନା ହୋଇଥିବା ସୂଚନା ମିଳିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
