କୋରାପୁଟ : କୋରାପୁଟବାସୀଙ୍କୁ ବଡ଼ ଉପହାର । ଏଥର ସାବର ଶ୍ରୀକ୍ଷେତ୍ର କୋରାପୁଟରୁ ଶ୍ରୀକ୍ଷେତ୍ର ପୁରୀକୁ ଗଡ଼ିବ ସିଧାସଳଖ ଟ୍ରେନ । ଦୀର୍ଘ ଦିନର ଆଶା ଓ ଦାବି ପରେ ଶେଷରେ ସାବର ଶ୍ରୀକ୍ଷେତ୍ର କୋରାପୁଟରୁ ଶ୍ରୀକ୍ଷେତ୍ର ପୁରୀକୁ ଯୋଡ଼ିବ ଟ୍ରେନ ସେବା । ଏହି ନୂତନ ରେଳ ସଂଯୋଗ କେବଳ ଯାତାୟାତର ସୁବିଧା ହେବ ତା ନୁହେଁ, ବରଂ କୋରାପୁଟ ଓ ପଶ୍ଚିମ ଓଡ଼ିଶାର ଲୋକଙ୍କ ଧାର୍ମିକ ଭାବନା, ପର୍ଯ୍ୟଟନ ଏବଂ ଆର୍ଥିକ ଉନ୍ନତି ସହ ଜଡିତ ଏକ ବଡ଼ ପଦକ୍ଷେପ ବୋଲି ମନାଯାଉଛି । ଏହି ଖବର ପ୍ରକାଶ ପାଇବା ପରେ ସମଗ୍ର କୋରାପୁଟ ଅଞ୍ଚଳରେ ଉତ୍ସାହ ଓ ଆନନ୍ଦର ମାହୋଲ ଦେଖିବାକୁ ମିଳିଛି ।
ଦୀର୍ଘ ବର୍ଷ ଧରି କୋରାପୁଟବାସୀ ପୁରୀକୁ ସିଧାସଳଖ ଟ୍ରେନ ସେବା ପାଇଁ ଦାବି କରୁଥିଲେ । ବିଶେଷ କରି ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିବା ଭକ୍ତମାନଙ୍କୁ ଅନେକ ଅସୁବିଧା ଭୋଗିବାକୁ ପଡୁଥିଲା । ଅଧା ବାଟରୁ ଟ୍ରେନ ବଦଳାଇବା, ଦୀର୍ଘ ସମୟର ଯାତ୍ରା ଏବଂ ସଠିକ୍ ସଂଯୋଗ ନଥିବାରୁ ବୃଦ୍ଧ, ମହିଳା ଓ ଛୋଟ ପିଲାଙ୍କ ସହ ଯାତ୍ରା କରିବା ଅଧିକ କଷ୍ଟସାଧ୍ୟ ହୋଇପଡୁଥିଲା । କିନ୍ତୁ ଏବେ ଏହି ନୂତନ ସିଧାସଳଖ ଟ୍ରେନ ସେବା ଆରମ୍ଭ ହେବା ପରେ ସେହି ସମସ୍ତ ସମସ୍ୟାର ଅନ୍ତ ହେବ ବୋଲି ଆଶା କରାଯାଉଛି ।
ସାବର ଶ୍ରୀକ୍ଷେତ୍ର ଭାବେ ପରିଚିତ କୋରାପୁଟର ଧାର୍ମିକ ମହତ୍ତ୍ୱ ରହିଥିବା ବେଳେ, ଶ୍ରୀକ୍ଷେତ୍ର ପୁରୀ ହେଉଛି ଓଡ଼ିଆଙ୍କ ଆସ୍ଥା ଓ ଭକ୍ତିର କେନ୍ଦ୍ରବିନ୍ଦୁ । ଏହି ଦୁଇ ପବିତ୍ର ସ୍ଥାନକୁ ସିଧାସଳଖ ରେଳପଥରେ ଯୋଡ଼ାଯିବା ଫଳରେ ଧାର୍ମିକ ପର୍ଯ୍ୟଟନକୁ ମଧ୍ୟ ବଡ଼ ପ୍ରୋତ୍ସାହନ ମିଳିବ । ଏହାଦ୍ୱାରା କେବଳ ଭକ୍ତମାନେ ନୁହେଁ, ପର୍ଯ୍ୟଟକମାନେ ମଧ୍ୟ ସହଜରେ କୋରାପୁଟ ଓ ପୁରୀ ମଧ୍ୟରେ ଯାତ୍ରା କରିପାରିବେ ।
ନୂତନ ଟ୍ରେନ କୋରାପୁଟରୁ ସକାଳ ୫ଟାରେ ବାହାରି ରାତି ୧୦ଟା ୨୦ ମିନିଟରେ ପୁରୀରେ ପହଞ୍ଚିବ । ସେହିଭଳି ପୁରୀରୁ ସକାଳ ୭ଟାରେ ଛାଡ଼ି ରାତି ୧୧ଟା ୩୦ ମିନିଟରେ କୋରାପୁଟରେ ପହଞ୍ଚିବ । ଏହି ଟ୍ରେନ କୋରାପୁଟ ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳକୁ ଯୋଡ଼ିବାରୁ ହଜାର ହଜାର ଯାତ୍ରୀ ସିଧାସଳଖ ଲାଭାନ୍ୱିତ ହେବେ । ଏହା ଦ୍ୱାରା ବ୍ୟବସାୟ, ପର୍ଯ୍ୟଟନ ଓ ଅଞ୍ଚଳୀୟ ଯୋଗାଯୋଗ ମଧ୍ୟ ଆହୁରି ସୁଦୃଢ଼ ହେବ ବୋଲି ମନେ କରାଯାଉଛି ।
ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଏହି ଟ୍ରେନ ସେବାକୁ ଆରମ୍ଭ କରାଯାଇଥିବା ବେଳେ, କୋରାପୁଟ ଭଳି ପର୍ଯ୍ୟଟନ ଓ ଆଦିବାସୀ ସଂସ୍କୃତିରେ ସମୃଦ୍ଧ ଅଞ୍ଚଳକୁ ଭଲ ଯୋଗାଯୋଗ ସୁବିଧା ମିଳିବା ଦିଗରେ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି ଦେଖାଯାଉଛି । ସ୍ଥାନୀୟ ଲୋକମାନେ ମଧ୍ୟ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।
ତେବେ ଲୋକଙ୍କ ମତ ହେଉଛି, ଯଦି ଏହି ଟ୍ରେନ ସେବାକୁ କୋରାପୁଟରୁ ଆହୁରି ସମ୍ପ୍ରସାରଣ କରି ଜୟପୁର ପର୍ଯ୍ୟନ୍ତ କରାଯାଏ, ତେବେ ଏହାର ସୁବିଧା ନବରଙ୍ଗପୁର, ମାଲକାନଗିରି ଓ ପଡ଼ୋଶୀ ଜିଲ୍ଲାର ଲୋକମାନେ ମଧ୍ୟ ବହୁ ପରିମାଣରେ ପାଇପାରିବେ । ଏହା ଫଳରେ ଦକ୍ଷିଣ ଓଡ଼ିଶାର ଯାତାୟାତ ବ୍ୟବସ୍ଥା ଆହୁରି ଶକ୍ତିଶାଳୀ ହେବା ସହ ଅଞ୍ଚଳର ସାମଗ୍ରିକ ଉନ୍ନତିକୁ ନୂଆ ଗତି ମିଳିବ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
