Explore

Search

August 12, 2026 11:31 pm

ବିଦେଶ ମଞ୍ଚରେ ଚମକିଲା ‘ମାଳିପୁଟ ମେଲୋଡିଜ୍’ : ଲସ୍ ଆଞ୍ଜେଲ୍ସରେ ମିଳିଲା ବ୍ରୋଞ୍ଜ ସମ୍ମାନ

କୋରାପୁଟ : କୋରାପୁଟର ଗ୍ରାମୀଣ ଜୀବନ, ସଂସ୍କୃତି ଓ ମାଟିର ସୁଗନ୍ଧକୁ ପରଦାରେ ଜୀବନ୍ତ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡିଜ୍’ ପୁଣିଥରେ ରାଜ୍ୟ ପାଇଁ ଗର୍ବର କାରଣ ହୋଇଛି । ଅନ୍ତର୍ଜାତୀୟସ୍ତରରେ ଲଗାତାର ସଫଳତା ହାସଲ କରୁଥିବା ଏହି ସିନେମା ସମ୍ପ୍ରତି ଆମେରିକାର ଲସ୍ ଆଞ୍ଜେଲ୍ସରେ ଆୟୋଜିତ ଏସ୍‌ସିଏ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍‌ରେ ଶ୍ରେଷ୍ଠ ଫିଚର ଫିଲ୍ମ ବର୍ଗରେ ବ୍ରୋଞ୍ଜ ପୁରସ୍କାର ଜିତିଛି।

ଏହି ସମ୍ମାନ ସହିତ ଚଳଚ୍ଚିତ୍ରଟିର ଆନ୍ତର୍ଜାତୀୟ ଯାତ୍ରାରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି । ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ଚଳଚ୍ଚିତ୍ରଟି ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି, ଯାହାକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି ।

କୌସ୍ତଭ ଡ୍ରିମ ୱାର୍କସ ଷ୍ଟୁଡିଓଜ ବ୍ୟାନରରେ ନିର୍ମିତ ଏହି ସିନେମା ‘ୟୁ/ଏ’ ପ୍ରମାଣପତ୍ର ହାସଲ କରିସାରିଛି। ଏହା ପୂର୍ବରୁ ଗୋଆରେ ଆୟୋଜିତ ୫୬ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI 2025) ର ଇଣ୍ଡିଆନ ପାନୋରାମା ଫିଚର ଫିଲ୍ମ ବର୍ଗରେ ସ୍ଥାନ ପାଇଥିଲା। ଦେଶର ବହୁ ସଂଖ୍ୟକ ଚଳଚ୍ଚିତ୍ର ମଧ୍ୟରୁ ଚୟନିତ ହୋଇଥିବା ଏହି ଏକମାତ୍ର ଓଡ଼ିଆ ସିନେମା ଭାବେ ଏହା ବିଶେଷ ପରିଚୟ ସୃଷ୍ଟି କରିଥିଲା।

ପରେ ନୂଆଦିଲ୍ଲୀର ହାବିଟାଟ ଫିଲ୍ମ ଫେଷ୍ଟିଭାଲ ୨୦୨୬‌ରେ ଏହା ପ୍ରଦର୍ଶିତ ହୋଇ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲା। ସେହିପରି ଅଷ୍ଟ୍ରେଲିଆର ବ୍ରିସବେନ୍‌ରେ ଆୟୋଜିତ ନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ଏହାର ସଫଳ ପ୍ରଦର୍ଶନ ହୋଇଥିଲା।

‘ମାଳିପୁଟ ମେଲୋଡିଜ’ କେବଳ ଏକ ସିନେମା ନୁହେଁ, ବରଂ କୋରାପୁଟର ମାଟି, ପରମ୍ପରା, ଲୋକସଂସ୍କୃତି ଓ ସରଳ ଜୀବନଶୈଳୀର ଏକ ଜୀବନ୍ତ ଚିତ୍ର। ଗ୍ରାମ୍ୟ ପରିବେଶ, ସ୍ଥାନୀୟ ଭାଷା, ପର୍ବପର୍ବାଣୀ, ସଙ୍ଗୀତ ଓ ସାଧାରଣ ଲୋକଙ୍କ ଜୀବନକୁ ଅତ୍ୟନ୍ତ ବାସ୍ତବ ଢଙ୍ଗରେ ପରଦାରେ ଉପସ୍ଥାପନ କରାଯାଇଛି। ଚଳଚ୍ଚିତ୍ରର ବିଶେଷତ୍ୱ ହେଉଛି, ଏଥିରେ ଅଧିକାଂଶ କଳାକାର ସ୍ଥାନୀୟ ଗ୍ରାମରୁ ଆସିଥିବାବେଳେ, ମାତ୍ର କିଛି ଅଂଶ ମଞ୍ଚ କଳାକାରଙ୍କୁ ନେଇ ନିର୍ମାଣ କରାଯାଇଛି।

ଯୁବ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ ରଚନା କରିଛନ୍ତି ସୁଧାକର ପଟ୍ଟନାୟକ। ସଙ୍ଗୀତ ଦେଇଛନ୍ତି ତୋଷ ନନ୍ଦ। ପ୍ରଯୋଜକ କୌସିକ ଦାସଙ୍କ ସହ ସହ-ପ୍ରଯୋଜକ ରାମ ପଟ୍ଟନାୟକ ଓ କୌସ୍ତଭ ଦାସଙ୍କ ଉଦ୍ୟମ ଏହି ସିନେମାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।

ଓଡ଼ିଆ ସିନେମାରେ ନୂଆ ଧାରାର କାହାଣୀ ଓ ଗ୍ରାମୀଣ ଜୀବନର ବାସ୍ତବ ଚିତ୍ରଣକୁ ନେଇ ନିର୍ମିତ ‘ମାଳିପୁଟ ମେଲୋଡିଜ୍’ ଆଗାମୀ ଦିନରେ ଦର୍ଶକଙ୍କ ମନରେ ଏକ ସ୍ଥାୟୀ ଛାପ ଛାଡ଼ିବ ବୋଲି ସିନେମା ମହଲରେ ଆଶା ପ୍ରକାଶ ପାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score