ଭୁବନେଶ୍ୱର : ଏଣିକି ବର୍ଷକୁ ୧୦ ଦିନ ‘ବ୍ୟାଗ୍-ମୁକ୍ତ’ ହେବେ ଛାତ୍ରଛାତ୍ରୀ । ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଏକ ବ୍ୟାପକ ଓ ଛାତ୍ରଛାତ୍ରୀ-କେନ୍ଦ୍ରିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ସରକାର ନୂଆ ଶିକ୍ଷାବର୍ଷ ପାଇଁ ସଂଶୋଧିତ ନିୟମାବଳୀ ଏବଂ ଟାଇମ୍ ଟେବୁଲ ଜାରି କରିଛନ୍ତି । ଜାତୀୟ ଶିକ୍ଷା ନୀତି (NEP-2020)ର ମୂଳ ଲକ୍ଷ୍ୟକୁ ଆଧାର କରି ପ୍ରସ୍ତୁତ ଏହି ବ୍ୟବସ୍ଥା ମାଧ୍ୟମରେ ପିଲାଙ୍କ ଉପରେ ଥିବା ଅତିରିକ୍ତ ପାଠ୍ୟ ଚାପ କମାଇବା ସହ ସେମାନଙ୍କର ସୃଜନଶୀଳତା, ଦକ୍ଷତା ଓ ବ୍ୟାବହାରିକ ଜ୍ଞାନର ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।
ନୂଆ ନୀତିର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ‘ବ୍ୟାଗ୍-ମୁକ୍ତ ଦିବସ’ର ପ୍ରଚଳନ । ଶିକ୍ଷାବର୍ଷରେ ପ୍ରାୟ ୧୦ ଦିନ ଛାତ୍ରଛାତ୍ରୀ ବିନା ବ୍ୟାଗ୍ରେ ବିଦ୍ୟାଳୟକୁ ଆସିବେ। ଏହି ଦିନ ଗୁଡ଼ିକରେ ପାରମ୍ପରିକ ପାଠପଢ଼ା ପରିବର୍ତ୍ତେ ସେମାନଙ୍କୁ କଳା, ସଂସ୍କୃତି, କ୍ରୀଡ଼ା, ପରିବେଶ ସଚେତନତା, ହସ୍ତଶିଳ୍ପ ଏବଂ ବିଭିନ୍ନ ଜୀବନୋପଯୋଗୀ କୌଶଳ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ସାମିଲ କରାଯିବ । ଏହା ଫଳରେ ପିଲାମାନେ କେବଳ ପୁସ୍ତକୀୟ ଜ୍ଞାନରେ ସୀମିତ ନ ରହି ବାସ୍ତବ ଜୀବନ ସହ ଜଡ଼ିତ ଶିକ୍ଷା ହାସଲ କରିପାରିବେ।
ସରକାରଙ୍କ ଦ୍ୱାରା ପ୍ରକାଶିତ ନୂଆ ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ, ଗୋଟିଏ ଶିକ୍ଷାବର୍ଷରେ ମୋଟ ୨୩୦ ଶିକ୍ଷା ଦିବସ ରହିବ। ପ୍ରତି ଶନିବାରକୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭିନ୍ନ ଶିକ୍ଷଣ ଅନୁଭୂତି ଦିବସ ଭାବେ ଗଢ଼ି ତୋଳାଯିବ। ବିଶେଷକରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଥିବା ବୃତ୍ତିଗତ ଶିକ୍ଷା କାର୍ଯ୍ୟକ୍ରମର ଗୋଟିଏ ପିରିୟଡକୁ ସମ୍ପୂର୍ଣ୍ଣ ବ୍ୟାଗ୍-ମୁକ୍ତ ରଖାଯିବ। ଏହି ସମୟରେ ସେମାନେ ବିଭିନ୍ନ କୌଶଳଭିତ୍ତିକ ଓ ହାତକାମ ଶିକ୍ଷାରେ ଅଂଶଗ୍ରହଣ କରିବେ।
ଏହାସହ ପ୍ରତ୍ୟେକ ଶନିବାର ବିଦ୍ୟାଳୟରେ ‘ଶିଶୁ ସଭା’ ଆୟୋଜନ କରାଯିବ। ଏହି ସଭା ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ମତାମତ ପ୍ରକାଶ, ନେତୃତ୍ୱ ଗୁଣର ବିକାଶ, ସାମୂହିକ କାର୍ଯ୍ୟକଳାପ ଓ ସାମାଜିକ ମୂଲ୍ୟବୋଧ ଶିଖିବାର ସୁଯୋଗ ପାଇବେ। ଏହା ପିଲାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବା ସହ ସାମାଜିକ ଦାୟିତ୍ୱବୋଧ ଗଢ଼ି ତୋଳିବାରେ ସହାୟକ ହେବ।
ପ୍ରାଥମିକସ୍ତରର ଶିଶୁମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ‘ଶିଶୁ ବାଟିକା’ରେ ପଢ଼ୁଥିବା ପିଲାଙ୍କ ମାନସିକ, ଭାବନାତ୍ମକ ଓ ସାମାଜିକ ବିକାଶକୁ ଧ୍ୟାନରେ ରଖି ପ୍ରତିଦିନ ‘ଗୋଲ ବୈଠକ’ ଆୟୋଜନ କରାଯିବ । ଏହା ମାଧ୍ୟମରେ ପିଲାମାନେ ପରସ୍ପର ସହ ଆଲୋଚନା, ଖେଳ ଏବଂ ଅନୁଭୂତି ବାଣ୍ଟିବାର ସୁଯୋଗ ପାଇବେ, ଯାହା ସେମାନଙ୍କ ବ୍ୟକ୍ତିତ୍ୱ ବିକାଶରେ ସକାରାତ୍ମକ ପ୍ରଭାବ ପକାଇବ।
ସ୍କୁଲ ଓ ଗଣଶିକ୍ଷା ବିଭାଗ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ସ୍ତରର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାୟ ୪୯୮ ପ୍ରକାରର ଟାଇମ୍ ଟେବୁଲ ପ୍ରସ୍ତୁତ କରିଛି । ସପ୍ତାହକୁ ମୋଟ ୪୨ଟି ପିରିୟଡ ଓ ପ୍ରତିଦିନ ୭ଟି ପିରିୟଡରେ ଶିକ୍ଷାଦାନ କରାଯିବ। ନୂଆ ବ୍ୟବସ୍ଥାରେ ପାଠପଢ଼ା ସହ ଖେଳ, ସୃଜନଶୀଳ କାର୍ଯ୍ୟକଳାପ ଓ କୌଶଳ ବିକାଶକୁ ସମାନ ଗୁରୁତ୍ୱ ଦିଆଯାଇଛି ।
ଶିକ୍ଷାବିତ୍ ମାନଙ୍କ ମତରେ,ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଉପରେ ଥିବା ମାନସିକ ଓ ଶାରୀରିକ ଚାପକୁ ହ୍ରାସ କରିବା ସହ ସେମାନଙ୍କୁ ଆନନ୍ଦମୟ, ଅନୁଭୂତିଭିତ୍ତିକ ଏବଂ ଜୀବନମୁଖୀ ଶିକ୍ଷା ଦେବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ନୂଆ ଶିକ୍ଷା ନୀତିର ଏହି ପ୍ରୟାସ ଓଡ଼ିଶାର ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଆଧୁନିକ, ସମାବେଶୀ ଓ ଛାତ୍ରବନ୍ଧବ କରିବ ବୋଲି ଆଶା କରାଯାଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
