ନୂଆଦିଲ୍ଲୀ : ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଦେଶର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅବସାନ ଘଟିଛି। ପରୀକ୍ଷାର୍ଥୀମାନେ ସିବିଏସଇର ଆଧିକାରିକ ୱେବସାଇଟ୍ cbse.gov.in ଓ cbse.gov. in, results.cbse.nic.in, ୱେବସାଇଟ ସହ umang ଓ digi locker ମାଧ୍ୟମରେ ନିଜର ଫଳାଫଳ ଯାଞ୍ଚ କରିପାରିବେ। ଏଥର ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଫଳ ପାଇଁ ଅପେକ୍ଷା କରୁଥିଲେ।
ଚଳିତ ବର୍ଷ ସାରାଦେଶରେ ମୋଟ ପାସ୍ ହାର ୮୫.୨୦ ପ୍ରତିଶତ ରହିଛି । ପୂର୍ବବର୍ଷ ପରି ଏଥର ମଧ୍ୟ ଛାତ୍ରୀମାନେ ଛାତ୍ରଙ୍କୁ ପଛରେ ପକାଇଛନ୍ତି। ଛାତ୍ରମାନଙ୍କ ପାସ୍ ହାର ୮୨.୧୩ ପ୍ରତିଶତ ଥିବା ବେଳେ ଛାତ୍ରୀମାନଙ୍କ ପାସ୍ ହାର ୮୮.୮୬ ପ୍ରତିଶତ ରହିଛି।
ଅଞ୍ଚଳ ଭିତ୍ତିକ ଫଳାଫଳରେ ଥିରୁଅନନ୍ତପୁରମ୍ ଜୋନ୍ ସର୍ବାଧିକ ୯୫.୬୨ ପ୍ରତିଶତ ପାସ୍ ହାର ସହ ଶୀର୍ଷ ସ୍ଥାନ ଦଖଲ କରିଛି । ତେବେ ଗତବର୍ଷ ତୁଳନାରେ ଏଥର ସମଗ୍ର ପାସ୍ ହାର ୩.୧୯ ପ୍ରତିଶତ କମିଛି।
ଏହିବର୍ଷ ସିବିଏସଇ ଦ୍ୱାଦଶ ପରୀକ୍ଷାରେ ୧୭ ଲକ୍ଷ ୬୮ ହଜାର ୯୬୮ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୫ ଲକ୍ଷ ୭ ହଜାର ୧୦୯ ଜଣ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ୧୮ ତାରିଖରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇଥିଲା। ଦେଶର ୪୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ପରୀକ୍ଷା ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଚାଲିଥିଲା।
ଏହା ପୂର୍ବରୁ ଏପ୍ରିଲ ୧୫ରେ ସିବିଏସଇ ଦଶମ ଫଳ ପ୍ରକାଶ ପାଇଥିଲା। ସେଥିରେ ମଧ୍ୟ ଝିଅମାନେ ପୁଅମାନଙ୍କଠାରୁ ଭଲ ପ୍ରଦର୍ଶନ କରିଥିଲେ। ଓଡ଼ିଶାର ଦୁଇ ମେଧାବୀ ଛାତ୍ରୀ ଟିନା ରଥ ଓ ଆଲିଶା ବିଶ୍ୱାଳ ୫୦୦ରୁ ୫୦୦ ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ହାସଲ କରିଥିଲେ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
