ଭୁବନେଶ୍ୱର : ରାଜ୍ୟରେ ଏବେ ଭୟଙ୍କର ତୈଳ ସଙ୍କଟ ଦେଖାଦେଇଛି । ଯାହାକୁ ନେଇ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ପୂରାପୂରି ପ୍ରଭାବିତ ହେବାରେ ଲାଗିଛି । ଅନେକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ୍ ମିଳୁନଥିବାରୁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଠିଆ ହୋଇ ମଧ୍ୟ ନିରାଶ ହୋଇ ଫେରୁଛନ୍ତି । ରାଜ୍ୟର ପ୍ରମୁଖ ସହର କଟକ, ଭୁବନେଶ୍ୱର, ପୁରୀ, ରାଉରକେଲା, ବାଲେଶ୍ୱର, ବାରିପଦା ଓ ବଲାଙ୍ଗିରରେ ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଛି । କେଉଁଠି ପେଟ୍ରୋଲ ପାଇଁ ଗାଡ଼ିର ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି, ତ କେଉଁଠି ପମ୍ପ ଆଗରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ହାହାକାର ସ୍ଥିତି ସୃଷ୍ଟି ହୋଇଛି । ତୈଳ ଅଭାବ ଯୋଗୁଁ ଲୋକମାନେ ନିଜ ଜରୁରୀ କାମକୁ ଯାଇପାରୁନଥିବା ବେଳେ ଦୈନନ୍ଦିନ ଯାତାୟାତ ବ୍ୟବସ୍ଥା ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଛି ।
ଏହି ତୈଳ ସଙ୍କଟର ସବୁଠାରୁ ବଡ଼ ପ୍ରଭାବ ପଡ଼ିଛି ଘରୋଇ ବସ୍ ଚଳାଚଳ ଉପରେ । ରାଜ୍ୟରେ ପ୍ରାୟ ୧୪ ହଜାରରୁ ଅଧିକ ଘରୋଇ ବସ୍ ଚଳାଚଳ କରୁଥିବା ବେଳେ ତେଲ ନମିଳିବା କାରଣରୁ ଏବେ ପ୍ରାୟ ୨ ହଜାର ବସ୍ ବନ୍ଦ ହୋଇଯାଇଛି । ଅନେକ ଜିଲ୍ଲା ଓ ଗାଁ ଅଞ୍ଚଳରୁ ବସ୍ ଆସିପାରୁନଥିବାରୁ ଯାତ୍ରୀମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଛାତ୍ରଛାତ୍ରୀ, ଚାକିରି କରୁଥିବା ଲୋକ ଓ ଦୈନିକ ଯାତ୍ରୀମାନେ ବିକଳ୍ପ ଯାନବାହନ ନମିଳିବାରୁ ଅସୁବିଧାରେ ପଡ଼ିଛନ୍ତି । ବସ୍ ମାଲିକ ସଂଘ ପକ୍ଷରୁ ସତର୍କ କରାଯାଇଛି ଯେ, ଯଦି ଏହି ସ୍ଥିତି ଆଉ ୫ ରୁ ୬ ଦିନ ଚାଲିଥାଏ, ତେବେ ସମଗ୍ର ରାଜ୍ୟରେ ବସ୍ ଚଳାଚଳ ପୂରାପୂରି ବନ୍ଦ ହୋଇପାରେ ।
ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ସରକାରଙ୍କୁ ତୁରନ୍ତ ହସ୍ତକ୍ଷେପ କରି ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ସ୍ୱତନ୍ତ୍ର ଭାବେ ତେଲ ଯୋଗାଣ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି । ନଚେତ ଆଗାମୀ ଦିନରେ ପରିସ୍ଥିତି ଆହୁରି ଉତ୍କଟ ରୂପ ନେବ ବୋଲି ସେ ଚେତାବନୀ ଦେଇଛନ୍ତି ।
ସେପଟେ ଏହି ପରିସ୍ଥିତିକୁ ନେଇ ପରିବହନ ମନ୍ତ୍ରୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମଧ୍ୟପ୍ରାଚ୍ୟ ଦେଶ ଗୁଡ଼ିକରେ ଚାଲୁଥିବା ଯୁଦ୍ଧ ସ୍ଥିତି ଯୋଗୁଁ ସାରା ବିଶ୍ୱରେ ତୈଳ ସଙ୍କଟ ସୃଷ୍ଟି ହୋଇଛି । ଏହା କୌଣସି ସରକାର କିମ୍ବା ମନୁଷ୍ୟକୃତ ସମସ୍ୟା ନୁହେଁ, ବରଂ ଅନ୍ତର୍ଜାତୀୟ ପରିସ୍ଥିତିର ପ୍ରଭାବ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଇନ୍ଧନ ସଞ୍ଚୟ ଅପିଲ୍କୁ ସମସ୍ତେ ମିଶି ସହଯୋଗ କରିବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଛନ୍ତି । ସମସ୍ୟା ସମୟରେ କଟୁ ଟିପ୍ପଣୀ କରିବା ପେକ୍ଷା ସମସ୍ତେ ମିଶି ସ୍ଥିତିକୁ ସମ୍ଭାଳିବା ଦରକାର ବୋଲି କହି ପରିବହନ ମନ୍ତ୍ରୀ ଘରୋଇ ବସ୍ ମାଲିକ ସଂଘକୁ ଶାନ୍ତ ରହିବାକୁ ଅନୁରୋଧ କରିଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
