ଭୁବନେଶ୍ୱର : ଜଗନ୍ନାଥ ପ୍ରେମୀ, ତୀର୍ଥଯାତ୍ରୀ ଓ ସାରା ଓଡିଶାବାସୀଙ୍କ ପାଇଁ ଆସିଛି ଖୁସିର ଖବର । ଖୁବଶୀଘ୍ର ଆରମ୍ଭ ହେବ ନୂଆ ‘ପୁରୀ-କୋରାପୁଟ ଏକ୍ସପ୍ରେସ’ ଟ୍ରେନ ସେବା। ସପ୍ତାହରେ ତିନି ଦିନ ଚଳାଚଳ କରିବାକୁ ଥିବା ଏହି ନୂଆ ଏକ୍ସପ୍ରେସ ଟ୍ରେନ ପାଇଁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ମିଳିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ ଆରମ୍ଭ ହେବା ପରେ ଓଡିଶାର ଉପକୂଳ, ପଶ୍ଚିମ ଓ ଦକ୍ଷିଣ ଅଞ୍ଚଳ ମଧ୍ୟରେ ରେଳ ଯୋଗାଯୋଗ ବହୁତ ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି । ବିଶେଷକରି କୋରାପୁଟ, ରାୟଗଡା, ସମ୍ବଲପୁର ଓ ପଶ୍ଚିମ ଓଡିଶାର ଲୋକମାନେ ସହଜରେ ପୁରୀକୁ ଯାତ୍ରା କରିପାରିବେ । ଏହା ଫଳରେ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢିବ ବୋଲି କୁହାଯାଉଛି ।
ଏହି ଟ୍ରେନଟି ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ପର୍ଯ୍ୟନ୍ତ ଯାତ୍ରା କରିବ । ଟ୍ରେନ ନମ୍ବର ୧୮୪୦୭ ପୁରୀରୁ ପ୍ରତ୍ୟେକ ସୋମବାର, ଗୁରୁବାର ଓ ଶନିବାର ବାହାରିବ । ସେହିପରି ଟ୍ରେନ ନମ୍ବର ୧୮୪୦୮ କୋରାପୁଟରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଦିନ ଚଳାଚଳ କରିବ । ସପ୍ତାହକୁ ତିନି ଥର ଚାଲିବାକୁ ଥିବା ଏହି ଟ୍ରେନ ଯାତ୍ରୀମାନଙ୍କୁ ବଡ଼ ସୁବିଧା ଦେବ ।
ପୁରୀ-କୋରାପୁଟ ଏକ୍ସପ୍ରେସରେ ମୋଟ ୧୯ଟି ଷ୍ଟପେଜ ରହିବ । ଏହି ଷ୍ଟେସନ ଗୁଡିକ ମଧ୍ୟରେ ରହିଛି ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନରାଜ-ମାର୍ଥାପୁର, ଢେଙ୍କାନାଳ, ତାଳଚେର ରୋଡ, ଅନୁଗୋଳ, ବଇଣ୍ଡା, ରେଢାଖୋଲ, ସମ୍ବଲପୁର, ବରଗଡ ରୋଡ, ବଲାଙ୍ଗିର, ଟିଟିଲାଗଡ, କେସିଙ୍ଗା, ମୁନିଗୁଡା, ରାୟଗଡା, ଟିକିରି, ଲକ୍ଷ୍ମୀପୁର ରୋଡ, କିକିରିଗୁମା ଓ ଦାମନଯୋଡି । ଏହି ରୁଟ୍ ଦ୍ୱାରା ଅନେକ ଜିଲ୍ଲାର ଲୋକ ନୂଆ ଯାତାୟାତ ସୁବିଧା ପାଇପାରିବେ ।
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, “ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସୁଦୃଢ଼ ହେଉଛି ଯୋଗାଯୋଗ । ରାଜ୍ୟବାସୀଙ୍କ ସୁବିଧା ପାଇଁ ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସକୁ ମିଳିଛି ଅନୁମୋଦନ । ଏହା ଉପକୂଳ, ପଶ୍ଚିମ ଓ ଦକ୍ଷିଣ ଓଡିଶା ମଧ୍ୟରେ ସଂଯୋଗକୁ ଆହୁରି ମଜବୁତ କରିବା ସହ ଆଞ୍ଚଳିକ ବିକାଶକୁ ଗତି ଦେବ ।”
ନୂତନ ଟ୍ରେନ ସେବା ଆରମ୍ଭ ହେବା ପରେ ଶିକ୍ଷା, ବ୍ୟବସାୟ, ପର୍ଯ୍ୟଟନ ଓ ଚିକିତ୍ସା ଯାତ୍ରାରେ ମଧ୍ୟ ଲୋକମାନେ ବହୁତ ସୁବିଧା ପାଇବେ । ବିଶେଷକରି ଦକ୍ଷିଣ ଓଡିଶାର ଲୋକଙ୍କ ପାଇଁ ପୁରୀ ସହ ସିଧାସଳଖ ରେଳ ସଂଯୋଗ ଏକ ବଡ଼ ଉପହାର ଭାବେ ଦେଖାଯାଉଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
