Explore

Search

June 30, 2026 12:03 am

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମୁଦ୍ର : ଦିବ୍ୟ ସ୍ନାନ ପାଇଁ ସ୍ନାନବେଦୀରେ ବିରାଜିଲେ ଚତୁର୍ଦ୍ଧା ମୂରତି

ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତି ଓ ଆଧ୍ୟାତ୍ମିକତାର ଅଦ୍ଭୁତ ପରିବେଶ ସୃଷ୍ଟି ହୋଇଛି । ଭୋରୁ ଶ୍ରୀମନ୍ଦିର ପରିସରରେ ଆରମ୍ଭ ହୋଇଥିବା ପହଣ୍ଡି ନୀତି ମାଧ୍ୟମରେ ଚତୁର୍ଦ୍ଧା ମୂରତିଙ୍କୁ ରତ୍ନସିଂହାସନରୁ ସ୍ନାନବେଦୀକୁ ଆଣାଯାଇଛି। ପ୍ରଥମେ ସୁଦର୍ଶନ, ପରେ ମା’ ସୁଭଦ୍ରା, ବଡ଼ ଠାକୁର ବଳଭଦ୍ର ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ସ୍ନାନବେଦୀରେ ବିରାଜମାନ ହୋଇଛନ୍ତି।

ପରମ୍ପରା ଅନୁଯାୟୀ, ୧୦୮ ଗଡୁ ପବିତ୍ର ଜଳରେ ଶ୍ରୀଜିଉମାନଙ୍କର ମହାସ୍ନାନ ଅନୁଷ୍ଠିତ ହେବ। ଜଗନ୍ନାଥଙ୍କୁ ୩୫, ବଳଭଦ୍ରଙ୍କୁ ୩୩, ସୁଭଦ୍ରାଙ୍କୁ ୨୨ ଏବଂ ସୁଦର୍ଶନଙ୍କୁ ୧୮ ଗଡୁ ଜଳ ଲାଗି କରାଯିବ। ଦିନ ୧୨ଟାରୁ ୨ଟା ମଧ୍ୟରେ ଜଳବିଜେ ଓ ସ୍ନାନ ନୀତି ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି। ସ୍ନାନ ପରେ ତିନି ଠାକୁର ଗଜବେଶ ବା ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ଗଜବେଶ ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ, ସନ୍ଧ୍ୟା ୭ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯାଇଛି । ରାତିରେ ବାହୁଡ଼ା ପହଣ୍ଡି ମାଧ୍ୟମରେ ଶ୍ରୀଜିଉମାନେ ପୁଣି ଶ୍ରୀମନ୍ଦିରକୁ ବିଜେ କରିବେ।

ମହାପ୍ରଭୁଙ୍କ ଏହି ଦୁର୍ଲଭ ଦିବ୍ୟ ସ୍ନାନ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକ ପୁରୀରେ ସମବେତ ହୋଇଛନ୍ତି। ବିଶାଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ପୋଲିସବଳ ମୁତୟନ ହୋଇଥିବା ବେଳେ ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ଉପରେ ବିଶେଷ ନଜର ରଖାଯାଇଛି।

ପୁରୀ ପୋଲିସ ଭକ୍ତମାନଙ୍କୁ ସୁରକ୍ଷା ନିୟମ ପାଳନ କରିବାକୁ ଅନୁରୋଧ କରିଛି। ସମୁଦ୍ର ସ୍ନାନ ସମୟରେ କେବଳ ନିର୍ଦ୍ଧାରିତ ସୁରକ୍ଷିତ ଅଞ୍ଚଳକୁ ବ୍ୟବହାର କରିବା, ଛୋଟ ପିଲାମାନଙ୍କ ଉପରେ ନଜର ରଖିବା ଓ ନିଜ ସାମଗ୍ରୀ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଭକ୍ତମାନଙ୍କ ସୁବିଧା ପାଇଁ ସହରର ବିଭିନ୍ନ ସ୍ଥାନରେ ସରକାରୀ ଲକର ଏବଂ ଡିପୋଜିଟ୍ କାଉଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଦେବସ୍ନାନ ପୂର୍ଣ୍ଣିମା ସହିତ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମଧ୍ୟ ଆରମ୍ଭ ହୋଇଯାଇଛି ଉତ୍ସାହ ଓ ଅପେକ୍ଷା। ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ମଧ୍ୟରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score