Explore

Search

September 12, 2026 1:24 am

ଦୁବାଇରେ ଓଡ଼ିଶାର କଳାକୃତିକୁ ବିଶ୍ୱସ୍ତରୀୟ ପରିଚୟ

ଉଦଘାଟିତ ହେଲା ‘ୱାନ୍ ଡିଷ୍ଟ୍ରିକ୍ଟ, ୱାନ୍ ପ୍ରଡକ୍ଟ’ ଗ୍ୟାଲେରୀ

ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ, ହସ୍ତଶିଳ୍ପ ଓ କାରିଗରୀ କଳାକୁ ଅନ୍ତର୍ଜାତୀୟ ବଜାରରେ ନୂଆ ପରିଚୟ ଦେବା ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି। ଦୁବାଇରେ ଓଡ଼ିଶାର ‘ୱାନ୍ ଡିଷ୍ଟ୍ରିକ୍ଟ, ୱାନ୍ ପ୍ରଡକ୍ଟ’ ଗ୍ୟାଲେରୀର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏହି ଗ୍ୟାଲେରୀର ଉଦଘାଟନ କରିଛନ୍ତି।

ଏହି ଗ୍ୟାଲେରୀରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ପାରମ୍ପରିକ କଳା, ହସ୍ତଶିଳ୍ପ ଓ ସ୍ୱତନ୍ତ୍ର ଉତ୍ପାଦକୁ ଏକ ସ୍ଥାନରେ ପ୍ରଦର୍ଶନ କରାଯାଇଛି। ସମ୍ବଲପୁରୀ ଶାଢ଼ୀ ଠାରୁ ଆରମ୍ଭ କରି କଟକର ମଣିଆବନ୍ଧା ହସ୍ତତନ୍ତ, ରୂପା ତାରକସୀ, ରାୟଗଡ଼ାର ଡୋଙ୍ଗରିଆ ଶାଲ, କେନ୍ଦୁଝରର ଟେରାକୋଟା ମୂର୍ତ୍ତି, ବାଲେଶ୍ୱରର ବ୍ଲାକ୍ ଗ୍ରାନାଇଟ୍ ଆଧୁନିକ ମୂର୍ତ୍ତି ସହ ପୁରୀର ପଟ୍ଟଚିତ୍ର ଓ ତାଳପତ୍ର ଖୋଦେଇ କଳା ଏଠାରେ ସ୍ଥାନ ପାଇଛି।

ଓଡ଼ିଶାର ଗ୍ରାମାଞ୍ଚଳରେ ପିଢ଼ି ପରେ ପିଢ଼ି ଧରି ବଞ୍ଚି ରହିଥିବା କାରିଗରୀ ପରମ୍ପରାକୁ ଏହି ଗ୍ୟାଲେରୀ ଅନ୍ତର୍ଜାତୀୟ ମଞ୍ଚ ଦେବାରେ ସହାୟକ ହେବ। ଦୁବାଇ ଭଳି ବିଶ୍ୱ ବାଣିଜ୍ୟ କେନ୍ଦ୍ରରେ ଓଡ଼ିଶାର ସ୍ୱତନ୍ତ୍ର ଉତ୍ପାଦ ପ୍ରଦର୍ଶିତ ହେବା ଫଳରେ ବିଦେଶୀ ଗ୍ରାହକ ଓ ବଜାର ସହ କାରିଗରମାନଙ୍କ ସମ୍ପର୍କ ବଢ଼ିବାର ସୁଯୋଗ ସୃଷ୍ଟି ହେବ।

ଏହା ସହିତ ମହିଳା ଉଦ୍ୟୋଗୀ ଓ ସ୍ଥାନୀୟ କାରିଗରମାନଙ୍କ ପାଇଁ ମଧ୍ୟ ଏହି ପଦକ୍ଷେପ ନୂଆ ସମ୍ଭାବନା ଆଣିପାରିବ। ଉତ୍ପାଦ ପାଇଁ ଅଧିକ ବଜାର ମିଳିଲେ ରୋଜଗାର ସୁଯୋଗ ବଢ଼ିବା ସହ ଛୋଟ ଉଦ୍ୟମଗୁଡ଼ିକ ଆହୁରି ସୁଦୃଢ଼ ହେବ। ଓଡ଼ିଶାର ପାରମ୍ପରିକ ସାମଗ୍ରୀର ବିଦେଶୀ ବଜାର ଓ ରପ୍ତାନି ସମ୍ଭାବନାକୁ ମଧ୍ୟ ଏହା ନୂଆ ଗତି ଦେଇପାରେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score