ଆମେରିକା: ଇରାନ ଓ ଇସ୍ରାଏଲ ମଧ୍ୟରେ ଦେଖାଦେଇଥିବା ଯୁଦ୍ଧ ସଦୃଶ ପରିସ୍ଥିତିରେ ଏବେ ସାମୟିକ ବିରାମ ଲାଗିଛି। ପ୍ରାୟ ୨୪ ଘଣ୍ଟା ଧରି ଚାଲିଥିବା ଉତ୍ତେଜନା ପରେ ଉଭୟ ଦେଶ ମିସାଇଲ ଆକ୍ରମଣ ବନ୍ଦ କରିଥିବା ସୂଚନା ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସିଜଫାୟାର ଆହ୍ୱାନ ପରେ ପରିସ୍ଥିତି କିଛିଟା ଶାନ୍ତ ହୋଇଛି।
ଇସ୍ରାଏଲ ପକ୍ଷରୁ ତେହେରାନ ଉପରେ ଚାଲିଥିବା ଆକ୍ରମଣ ବନ୍ଦ କରାଯାଇଥିବା ବେଳେ ଇରାନ ମଧ୍ୟ ଆଗାମୀ ଦିନରେ ସଂଯମ ବଜାୟ ରଖିବାର ସଙ୍କେତ ଦେଇଛି। ତେବେ ଇସ୍ରାଏଲ ସ୍ପଷ୍ଟ କରିଛି ଯେ, ଦେଶ ଉପରେ ପୁଣି କୌଣସି ଆକ୍ରମଣ ହେଲେ ତାହାର କଡ଼ା ପ୍ରତିକ୍ରିୟା ଦିଆଯିବ।
ଅସ୍ତ୍ରବିରତି ପରେ ଇରାନ ସରକାର ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ପୁନଃ ଖୋଲିବାକୁ ଘୋଷଣା କରିଛନ୍ତି। ଅନ୍ୟପଟେ ସୋମବାର ଇରାନ ପକ୍ଷରୁ ଇସ୍ରାଏଲର ସାମରିକ ଠିକଣାକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ମାଡ଼ ହେବା ପରେ ଇସ୍ରାଏଲ ମଧ୍ୟ ପାଲଟା ଆକ୍ରମଣ କରିଥିଲା। ଏହା ଫଳରେ ସମଗ୍ର ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଉତ୍ତେଜନା ବଢ଼ିଯାଇଥିଲା।
ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଇରାକ ଓ ସିରିଆ ଭଳି ପଡ଼ୋଶୀ ଦେଶମାନେ ସେମାନଙ୍କ ଆକାଶପଥ ବନ୍ଦ କରିଦେଇଥିଲେ। ବିଶ୍ୱ ତୈଳ ବଜାର ଉପରେ ପଡ଼ିପାରୁଥିବା ପ୍ରଭାବ ଏବଂ ବୃହତ୍ତର ଯୁଦ୍ଧର ଆଶଙ୍କାକୁ ଦୃଷ୍ଟିରେ ରଖି ଟ୍ରମ୍ପ ଉଭୟ ଦେଶକୁ ତୁରନ୍ତ ଅସ୍ତ୍ରବିରତି ପାଇଁ ଆହ୍ୱାନ କରିଥିଲେ। ଏହା ପରେ ଉଭୟ ପକ୍ଷ ଆକ୍ରମଣ ବନ୍ଦ କରିଥିବାରୁ ଅଞ୍ଚଳରେ ସାମୟିକ ଶାନ୍ତି ଫେରିଥିବା ଦେଖିବାକୁ ମିଳିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
