ତେହରାନ : ମଧ୍ୟପୂର୍ବରେ ବଢୁଥିବା ଅସନ୍ତୋଷ ମଧ୍ୟରେ ଇରାନ ନିଜ ଭାବଧାରାରେ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି । ଆମେରିକାର ଲଗାତାର ଚାପ ଓ କଡା ସତର୍କବାଣୀ ପରେ ତେହରାନ ଏବେ ଯୁଦ୍ଧ ନୁହେଁ, କୁଟନୀତିକ ଆଲୋଚନାକୁ ଗୁରୁତ୍ୱ ଦେଉଥିବା ଦେଖାଯାଇଛି । ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି ଯେ ଦେଶର ସ୍ୱାର୍ଥ ଓ ଅଧିକାରକୁ ସୁରକ୍ଷିତ ରଖି ଆମେରିକା ଓ ଇସ୍ରାଏଲ ସହ ଦୀର୍ଘଦିନର ସଂଘର୍ଷକୁ ଶେଷ କରିବା ପାଇଁ ଇରାନ କୁଟନୀତିକ ପଦକ୍ଷେପ ନେବାକୁ ପୁରା ପ୍ରସ୍ତୁତ।
ସମ୍ପ୍ରତି ଓମାନ ଉପସାଗର ଓ ହର୍ମୁଜ ପ୍ରଣାଳୀକୁ କେନ୍ଦ୍ର କରି ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାକୁ ପହଞ୍ଚିଥିଲା । ଆମେରିକୀୟ ନୌସେନା ଇରାନର ତେଲ ଟ୍ୟାଙ୍କରକୁ ଟାର୍ଗେଟ କରିବା ପରେ ପରିସ୍ଥିତି ଆହୁରି ଗମ୍ଭୀର ହୋଇଥିଲା । ଏହାପରେ ଆମେରିକା ପକ୍ଷରୁ ହର୍ମୁଜ ପ୍ରଣାଳୀ ଖୋଲିବାକୁ ଚାପ ବଢାଯାଇଥିଲା ଏବଂ ଚୁକ୍ତି ନ ହେଲେ ଭୟଙ୍କର ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ମଧ୍ୟ ଦିଆଯାଇଥିଲା ।
ଏହି ପରିସ୍ଥିତିରେ ପେଜେସ୍କିଆନ କହିଛନ୍ତି ଯେ ଇରାନ ଶାନ୍ତି ଓ ଆଲୋଚନାର ପଥରେ ଆଗେଇବାକୁ ଚାହୁଁଛି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଆଲୋଚନା ସମୟରେ ସେ ଆମେରିକାର ଭୂମିକା ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଚାଲୁଥିବା ଆଲୋଚନା ମଧ୍ୟରେ ଇରାନ ଉପରେ ହୋଇଥିବା ଆକ୍ରମଣକୁ ସେ “ପଛପଟୁ ଆଘାତ” ବୋଲି ବର୍ଣ୍ଣନା କରିଥିଲେ ।
ଅନ୍ୟପଟେ ଆମେରିକୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ଓ ପରମାଣୁ ଆଲୋଚନାକୁ ନେଇ ଏକ ପ୍ରାଥମିକ ବୁଝାମଣା ପ୍ରସ୍ତୁତ ହେଉଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇରାନର ଅନ୍ତିମ ପ୍ରତିକ୍ରିୟାକୁ ଆମେରିକା ଅପେକ୍ଷା କରୁଛି । ତେବେ ଏପର୍ଯ୍ୟନ୍ତ କୌଣସି ଔପଚାରିକ ସହମତି ହୋଇନାହିଁ ।
ଟ୍ରମ୍ପ ନିଜ ସୋସିଆଲ ମିଡିଆ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ ଯଦି ଇରାନ ସମସ୍ତ ପ୍ରସ୍ତାବ ମାନିନେଇ, ତେବେ ହର୍ମୁଜ ପ୍ରଣାଳୀ ସମସ୍ତ ଦେଶ ପାଇଁ ଖୋଲିଦିଆଯିବ ଏବଂ ସଂଘର୍ଷର ଶେଷ ହେବ । କିନ୍ତୁ ଚୁକ୍ତି ନ ହେଲେ ପୁଣିଥରେ ଭୟଙ୍କର ବୋମାମାଡ ଆରମ୍ଭ ହେବ ବୋଲି ସେ କଡା ଚେତାବନୀ ଦେଇଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
